ଡକାର (ସେନେଗଲ) : ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ଜିହାଦୀମାନଙ୍କ ସହ ହୋଇଥିବା ସଂଘର୍ଷରେ 50 ରୁ ଅଧିକ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଥିବା ସହ ଅନେକ ସୈନିକ ଆହତ ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ଏକ ବିବୃତ୍ତିରେ ସେନା ଏହି ସୂଚନା ଦେଇଛି ।
ସୋମବାର ଦିନ ୟାତେଙ୍ଗା ପ୍ରଦେଶର କୈମ୍ବରୀ ପ୍ରଶାସନିକ ଜିଲ୍ଲାରେ ସେନାକୁ ସମର୍ଥନ କରୁଥିବା 17 ସୈନିକ ଏବଂ ଅନେକ ସ୍ୱେଚ୍ଛାସେବୀ ନିହତ ହୋଇଛନ୍ତି । ସେନା କହିଛି ଯେ, ଜିହାଦୀମାନଙ୍କୁ କୈମ୍ବରୀରୁ ପଛକୁ ହଟାଇବା ପାଇଁ ଏହି ଅପରେସନରେ ବହୁ ସଂଖ୍ୟାରେ ଇସଲାମ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି । ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ବିସ୍ଥାପିତ ଲୋକଙ୍କ ପ୍ରତ୍ୟାବର୍ତ୍ତନ ।
ସେନା ଏକ ବିବୃତ୍ତିରେ କହିଛି ଯେ, ଏଭଳି କାଣ୍ଡକୁ ଆଦୌ କ୍ଷମା କରାଯିବ ନାହିଁ । ଅବଶିଷ୍ଟ ଫେରାର ଆତଙ୍କବାଦୀମାନଙ୍କୁ ନିଷ୍କ୍ରିୟ କରିବା ପାଇଁ ଯଥା ସମ୍ଭାବ୍ୟ ପ୍ରୟାସ କରାଯାଉଛି ।
ସୂଚନାଯୋଗ୍ୟ ଯେ, ବୁର୍କିନା ଫାସୋରେ ଆତଙ୍କବାଦୀ ସଂଗଠନ ଅଲ-କାଏଦା ଏବଂ ଇସଲାମିକ ଷ୍ଟେଟ ସହ ଜଡିତ ଜିହାଦୀଙ୍କ ଆକ୍ରମଣରେ ହଜାର ହଜାର ଲୋକ ପ୍ରାଣ ହରାଇଥିବାବେଳେ 2 ମିଲିୟନରୁ ଅଧିକ ଲୋକ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି।