ରିପୋର୍ଟ : ସତ୍ୟ ରଞ୍ଜନ ପଣ୍ଡା, କେନ୍ଦ୍ରାପଡା |
କେନ୍ଦ୍ରାପଡା : ଦୀର୍ଘ ଦିନ ଧରି ଶ୍ରମିକ ମାନଙ୍କର ହକ ପାଇଁ ଲଢେଇ କରି ଆସୁଥିବା ଟ୍ରେଡ ୟୁନିଅନ ବା ଶ୍ରମିକ ୟୁନିଅନକୁ ଉପେକ୍ଷା କରି ଶ୍ରମିକ ମାନଙ୍କ ମୃତ୍ୟୁ କାଳୀନ ସହାୟତା ରାଶିରେ କୋଟି କୋଟି ଟଙ୍କାର ହେର ଫେର କରିଛି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି ।ସରକାରୀ ଶ୍ରମ ଆଇନ ନିୟମ ଅନୁଯାୟୀ ସରକାରଙ୍କ ଦ୍ଵାରା ପଞ୍ଜୀକୃତ ଶ୍ରମିକଟିର ଯଦି ୬୦ବର୍ଷ ଭିତରେ ସ୍ଵଭାବିକ ମୃତ୍ୟୁ ଘଟେ,ତେବେ ୨ ଲକ୍ଷ ଟଙ୍କା ଓ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ରହିଛି ।ନିୟମାନୁଯାୟୀ ପ୍ରଥମେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ବାରା ତଦନ୍ତ ହୋଇ ସାରିବା ପରେ ମୃତ୍ୟୁ କାଳୀନ ସହାୟତା ନଥି ଗୁଡ଼ିକୁ ଶେଷ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଥାଏ । ଜିଲ୍ଲାପାଳଙ୍କ ଦସ୍ତଖତ ପରେ ଏହା ଅନୁମୋଦିତ ହୁଏ ।ଜିଲ୍ଲାର ମୃତ୍ୟୁ କାଳୀନ ସହାୟତା ରାଶି ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀ ଉଭୟଙ୍କ ମିଳିତ ଆକାଉଣ୍ଟକୁ ସାଙ୍କକ୍ସନ୍ ହୋଇଥାଏ ।ଇତି ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାରେ ୭୨ଟି ମୃତ୍ୟୁ କାଳୀନ ସହାୟତା ରାଶିର ହେର ଫେର ହୋଇଛି ବୋଲି ଅଣସଂଗଠିତ ଶ୍ରମିକ କଂଗ୍ରେସ ସଙ୍ଘ ପକ୍ଷରୁ ଅଭିଯୋଗ ହୋଇଛି ।ଏଥିରେ ମୁଖ୍ୟ କାର୍ପେଟଦାର ଶ୍ରମ ଅଫିସରେ ଚୁକ୍ତି ଭିତ୍ତିକ କାର୍ଯ୍ୟରତ ଥିବା ଆର.ଏଲ୍.ଆଇ ରୁ ପ୍ରମୋସନ ପାଇ ଏ.ଏଲ.ଓ ହୋଇଥିବା ଦେବାଶିଷ ଜେନାଙ୍କୁ ସଂଘ ପକ୍ଷରୁ ଦାୟୀ କରାଯାଇଛି ।ବଞ୍ଚି ଥାଉ ଥାଉ ଶ୍ରମିକ ମାନଙ୍କୁ ମୃତ ଦର୍ଶାଇ ତାଙ୍କ ମୃତ୍ୟୁ କାଳୀନ ସହାୟତା ରାଶିକୁ ଆତ୍ମସାତ କରିଛନ୍ତି ବୋଲି ବହୁବାର ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ନିକଟରେ ଶ୍ରମିକ ନେତାମାନେ ଅଭିଯୋଗ କରିଥିଲେ ।ଫଳସ୍ୱରୂପ ଦେବାଶିଷ ଜେନାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହୋଇ ବରଂ ତାଙ୍କୁ ପ୍ରମୋସନ ଦିଆଯାଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି ।ଜିଲ୍ଲା ପ୍ରଶାସନ ଓ ଶ୍ରମ ଅଫିସରେ କାର୍ଯ୍ୟରତ ଦେବାଶିଷ ଜେନାଙ୍କ ମଧୁ ଚନ୍ଦ୍ରିକାରେ ବଳି ପଡ଼ି ଯିବେନି ତ ସାଧାରଣ ଖଟିଖିଆ ଦିନ ମଜୁରିଆ ଶ୍ରମିକମାନେ ବୋଲି ପ୍ରଶ୍ନ କରିଛି ସଂଘ ।ଆଗାମୀ ଦିନରେ ଯଦି ଦେବାଶିଷ ଜେନାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ଓ ଏହାର କୌଣସି ସ୍ଥାୟୀ ସମାଧାନ କରା ନଯାଏ ,ତେବେ କେନ୍ଦ୍ରାପଡା ଜିଲ୍ଲା ମିଳିତ ଟ୍ରେଡ୍ ୟୁନିୟନ୍ ରାସ୍ତାରୋକ ଆନ୍ଦୋଳନ କରିବ ବୋଲି ସଂଘର ଜେନେରାଲ ସେକ୍ରେଟାରୀ ଇଁ. ସୌମ୍ୟରଞ୍ଜନ ଧଳ ଏକ ପ୍ରେସ ବିବୃତିରେ ମତ ପ୍ରକାଶ କରିଛନ୍ତି । ଏହି ପ୍ରେସ ବିବୃତିରେ ଅନ୍ୟମାନଙ୍କ ମଧ୍ୟରେ ଜଗତ ଜୀବନ ଦାସ,ବାବାଜୀ ଧଳ,ମୁକ୍ତାର ଖାଁ, ପ୍ରକାଶ ଚନ୍ଦ୍ର ମହାନ୍ତି, ଶିବ ପ୍ରସାଦ ନାଥ ପ୍ରମୁଖ ଉପସ୍ଥିତ ଥିଲେ ।