ମାଲକାନଗିରି : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଅର୍ଥ ଅଭାବରୁ ବାପା ଝିଅର ଚିକିତ୍ସା କରାଇବାରେ ବିଫଳ ହୋଇଛନ୍ତି । ଏବେ ସରକାରଙ୍କ ସାହାଯ୍ୟ ଅପେକ୍ଷାରେ ପରିବାର ଲୋକେ । ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଖଇରପୁଟ ବ୍ଲକ, କଦମଗୁଡା ପଞ୍ଚାୟତ ଖୁରୀଗୁଡା ଗ୍ରାମରେ । ଏହି ଗ୍ରାମରେ ରହୁଥିବା ଜୟରାମ କିର୍ଶାନିଙ୍କ ଝିଅ ସଞ୍ଜୁ କିର୍ଶାନି ବୟସ ସାତ ବର୍ଷ । ଆଜିକୁ ଦୀର୍ଘ ଦୁଇ ବର୍ଷ ଧରି ରୋଗ ଶଯ୍ୟାରେ ପଡିଛି । ପ୍ରଥମେ ଜ୍ଵର ହେଲା ପରେ ଧୀରେ ଧୀରେ ଏକ ଅଜଣା ରୋଗ ମାଡ଼ିବସିଲା । ବିଭିନ୍ନ ଡ଼ାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ । କିନ୍ତୁ, ଭଲ ନ ହେବାରୁ ଘରକୁ ଫେରି ଆସିଥିଲେ । ଘରେ ବିଛଣାରେ ପଡି ଛଟପଟ ହେଉଛନ୍ତି ସଞ୍ଜୁ । ଛଅ ପ୍ରାଣୀଙ୍କୁ ନେଇ ତାଙ୍କ ସଂସାର । ସରକାର ସୁବିଧା କହିଲେ ମାସକୁ ୩୦ କେଜି ଚାଉଳ ମିଳୁଛି ତାହା ମଧ୍ୟ ମାସେ ଯାଉନାହିଁ । ମା ସକାଳ ହେଲେ ପର ଘରେ ମୂଳ ଲାଗିବାକୁ ଯାଉଥିବା ବେଳେ ଜୟରାମ ଝିଅକୁ ଜଗି ରୁହନ୍ତି । ଯାହା ଦୁଇ ପଇସା ମିଳିଲେ ଚୁଲି ଜଳୁଛି । ସବୁ ଆଡୁ ନିରାଶ ହେବା ପରେ ଶେଷରେ ଜିଲ୍ଲା ପ୍ରଶାସନ ନିକଟରେ ଚିକିତ୍ସା ସହାୟତା ଯୋଗାଇ ଦେବାପାଇଁ ନିବେଦବ କରିଛନ୍ତି ।ଗରିବ ପରିବାର ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି । କୌଣସି ଏକ ଯୋଜନାରେ ସଞ୍ଜୁଙ୍କୁ ସାମିଲ କରି ଚିକିତ୍ସା ସହାୟତା ଯୋଗାଇ ଦେବାକୁ ପରିବାର ପକ୍ଷରୁ ଦାବି କରାଯାଇଛି |