ଭୁବନେଶ୍ୱର : ମୋ ମାଟି, ମୋ ଦେଶ ଅଭିଯାନରେ ଅମୃତ କଳସ ଯାତ୍ରାର ପ୍ରଥମ ଦିନରେ ପିପିଲି ବିଧାନସଭା ଅନ୍ତର୍ଗତ ଘନିପୁର ଗ୍ରାମର ବୀର ସୁପୁତ୍ର ଅମର ସହୀଦ ଦିଲ୍ଲୀପ ବଳିଆରସିଂହଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମାଟି ସଂଗ୍ରହ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ।
ପାତ୍ର ପୁରୀ ଲୋକସଭା ଅନ୍ତର୍ଗତ ପିପିଲି ବିଧାନସଭା ସ୍ଥିତ ଘନିପୁର ପଞ୍ଚାୟତରେ ଆୟୋଜିତ ମୋ ମାଟି, ମୋ ଦେଶ ଅଭିଯାନ ଅନ୍ତର୍ଗତରେ ଗ୍ରାମ ମାନଙ୍କରୁ ମାଟି ସଂଗ୍ରହ କରିବା ପାଇଁ ଅମୃତ କଳସ ଯାତ୍ରାର ଶୁଭାରମ୍ଭ କରିଛନ୍ତି ।
ଅମୃତ କଳସ ଯାତ୍ରାର ପ୍ରଥମ ଦିନରେ ପିପିଲି ବିଧାନସଭା ଅନ୍ତର୍ଗତ ଘନିପୁର ଗ୍ରାମର ବୀର ସୁପୁତ୍ର ଅମର ସହୀଦ ଦିଲ୍ଲୀପ ବଳିଆରସିଂହଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସହୀଦ ଦିଲ୍ଲୀପ ବଳିଆରସିଂହ, ୨୦୦୧ ମସିହାରେ ଜାମ୍ମୁ କାଶ୍ମୀରର କୂପବାଡା ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଲଢ଼ି ସହୀଦ ହୋଇଥିଲେ । ଭାରତମାତାଙ୍କ ପ୍ରତି ତାଙ୍କର ଏହି ବଳିଦାନ ସଦା ସର୍ବଦା ଚିରସ୍ମରଣୀୟ ହୋଇ ରହିବ ।
ଏହି ଅବସରରେ ଶ୍ରୀ ପାତ୍ର ଦିଲ୍ଲୀପ ବଳିଆରସିଂହଙ୍କ ଭାଇ ଗୋପବନ୍ଧୁ ବଳିଆରସିଂହଙ୍କୁ ସମ୍ମାନିତ କରିଛନ୍ତି । ଦିଲ୍ଲୀପ ବଳିଆରସିଂହଙ୍କ ସ୍ମୃତି ପୀଠରେ ଅମୃତ ବାଟିକା ତିଆରି କରିବା ପାଇଁ ତାଙ୍କ ସ୍ମୃତି ସ୍ଥଳ ନିକଟରେ ବୃକ୍ଷ ରୋପଣ କରି ଅମୃତ କଳସରେ ମାଟି ସଂଗ୍ରହ କରିଛନ୍ତି । ପୁରୀ ମାଟିର ସୁପୁତ୍ର ଦିଲ୍ଲୀପ ବଳିଆରସିଂହଙ୍କ ଗ୍ରାମ ଜୋରକାନୀ ଯାଇ ତାଙ୍କ ଘରୁ ମାଟି ସଂଗ୍ରହ କରିବା ସହ ତାଙ୍କ ମାତାଙ୍କୁ ଶ୍ରୀ ପାତ୍ର ସମ୍ମାନିତ କରିଛନ୍ତି ।
ଶ୍ରୀ ପାତ୍ର କହିଛନ୍ତି ଯେ ଭାରତ ମାତା ଚରଣରେ ନିଜକୁ ସମର୍ପିତ କରି ନିଜର ବଳିଦାନ ଦେଇଥିବା ସହୀଦ ବୀର ମାନଙ୍କୁ ସମ୍ମାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆରମ୍ଭ ହୋଇଥିବା ମୋ ମାଟି, ମୋ ଦେଶ ଅଭିଯାନ ଆଜି ସମସ୍ତ ଭାରତବାସୀଙ୍କ ଅଭିଯାନ ପାଲଟିଛି ।