ଭୁବନେଶ୍ୱର : ଅନୁଗୁଳକୁ କେନ୍ଦ୍ର ସରକାର ଅବହେଳା କରୁଛନ୍ତି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇ ଏହାର ପ୍ରତିବାଦ କରାଯାଇଛି । ବିଜେଡି ପକ୍ଷରୁ ଏହାର ପ୍ରତିବାଦରେ ଦୁଇ ଘଂଟା ଧରି ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ପିଟିସି ଛକଠାରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ କରିଛି ବିଜେଡି । ସକାଳ ୮ଟାରୁ ଆନ୍ଦୋଳନ ଆରମ୍ଭ ହୋଇ 10 ଟା ଯାଏ ଆନ୍ଦୋଳନ ଚାଲିଛି ।
ବିଜେଡି ନେତା ମାନଙ୍କର କହିବା ଅନୁଯାୟୀ ଜିଲ୍ଲାରେ ଶୋଚନୀୟ ହୋଇପଡ଼ିଛି ଜାତୀୟ ରାଜପଥ । ୫୫ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ସଂପ୍ରସାରଣ କାର୍ଯ୍ୟ ଦୀର୍ଘବର୍ଷ ଧରି ଚାଲିଥିଲେ ବି ସରିବାର ନାଁ ଧରୁନି । ତୁରନ୍ତ କାମ ସାରିବାକୁ ବାରମ୍ବାର ଦାବି ପରେ ବି ଦୃଷ୍ଟି ଦେଉନି କେନ୍ଦ୍ର । ଏହାଛଡ଼ା ଏମସିଏଲ ବିସ୍ଥାପନ ନେଇ ଟାଳଟୂଳ ନୀତି ଆପଣାଉଛି ।
ସେହିପରି ଏମସିଏଲ ଅନୁଗୁଳ ଜିଲ୍ଲାର ଜମି ହରାଇଥିବା ଲୋକଙ୍କୁ ଯାତନା ଦେଇଆସୁଛି । ଥଇଥାନ ନେଇ କେନ୍ଦ୍ର ସରକାରଙ୍କର ରହିଥିବା 2006 କିମ୍ବା 2013 ପଲିସିକୁ ସମାଧାନ କରୁନାହାନ୍ତି । ଫଳରେ ୩୦ ବର୍ଷ ହେଲା ଲୋକ ବିସ୍ଥାପନ ପ୍ରକ୍ରିୟାରେ ରହିଥିବା ବେଳେ ଆଜି ଯାଏ ଥଇଥାନ ହୋଇପାରୁନାହାନ୍ତି । ଏମଏସିଏଲ ଲୋକଙ୍କ ପାଇଁ ସେପରି କୌଣସି ଆଖିଦୃଶିଆ କାର୍ଯ୍ୟ କରୁନାହିଁ । ଏମସିଏଲ ଦ୍ବାରା ତାଳଚେରରେ ପ୍ରଦୂଷଣ ବୃଦ୍ଧି ସହିତ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେଣୁ ଏହି ପ୍ରତିବାଦ କରାଯାଉଛି ବୋଲି ସେମାନେ କହିଛନ୍ତି ।