ପଲାମୁ, 30 ଅଗଷ୍ଟ : ଲାଇନରେ ଛିଡା କରି କୁନି କୁନି ଛାତ୍ରଙ୍କୁ ନିର୍ଧୁମ ପିଟିଲେ ପ୍ରିନସିପାଲ । ଏଭଳି ଘଟଣା ଘଟିଛି ଝାଡଖଣ୍ଡର ପଲାମୁରେ । ଜିଲ୍ଲା ମୁଖ୍ୟାଳୟ ମେଦିନୀନଗର ସଦର ବ୍ଲକ ଅନ୍ତର୍ଗତ ଲହଲହେ ପଞ୍ଚାୟତର ବାରିମୋଡର ଭୋଗୁ ଗାଁରେ ଥିବା ଏକ ଘରୋଇ ସ୍କୁଲର ପ୍ରିନସିପାଲ ପ୍ରାୟ 50ଜଣ ଛାତ୍ରଙ୍କୁ ଲାଇନରେ ଛିଡା କରାଇ ନିର୍ଧୁମ ମାଡ ମାରିଛନ୍ତି । ଏନେଇ ମଙ୍ଗଳବାର ରାତିରେ କିଛି ଛାତ୍ର ନିଜ ପରିବାର ସହ ସତବରୱା ଥାନାରେ ଅଭିଯୋଗ କରିଛନ୍ତି । ଥାନା ଅଧିକାରୀ ଅମିତ କୁମାର ସୋନୀଙ୍କ ନିକଟରେ ଛାତ୍ରମାନେ ପ୍ରିନସିପାଲ ଚନ୍ଦନ କୁମାର ଶର୍ମାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ପରେ ଅଭିଯୁକ୍ତ ପ୍ରିନସିପାଲ ଚନ୍ଦନ କୁମାର ଶର୍ମାଙ୍କୁ ପଚରାଉଚରା ପାଇଁ ପୋଲିସ ଥାନାକୁ ଆଣିଥିବା ସୂଚନା ମିଳିଛି । ମାଡ ମାରିବା ଯୋଗୁ ୟୁକେଜିରୁ 5ମ ଶ୍ରେଣୀ ଯାଏ ଛାତ୍ର ଆହତ ହୋଇଛନ୍ତି । ମାଡ ପରେ ଛୋଟଛୋଟ ପିଲାଙ୍କ ପିଠିରେ ଦାଗ ରହିଛି । ଏବଂ ପିଲାମାନେ ଏହି ଦାଗ ପୋଲିସକୁ ଦେଖାଇଥିବା ଜଣାପଡିଛି ।
ସୋମବାର ପିଲାମାନେ ସ୍କୁଲ ଆସିନଥିବା କାରଣରୁ ପ୍ରିନସିପାଲ ସେମାନଙ୍କୁ ଲାଇନରେ ଛିଡା କରାଇ ମାଡ ମାରିଥିଲେ । ସୋମବାର ଗାଁରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା କାରଣରୁ ପିଲାମାନେ ସେଥିରେ ସାମିଲ ହୋଇଥିଲେ । ତେଣୁ ସ୍କୁଲ ଆସିନଥିବା ଜଣାପଡିଛି । ତେବେ ଭଗବାନଙ୍କୁ ମାନେନି କହି ଛାତ୍ରଙ୍କୁ ପିଟିଥିଲେ ପ୍ରିନସିପାଲ । ଏବଂ ମାଡ ସମ୍ପର୍କରେ ଅଭିଭାବକଙ୍କୁ କହିଲେ ଆହୁରି ମାଡ ବସିବ ବୋଲି କହି ଛାତ୍ରଙ୍କୁ ଧମକାଇଥିଲେ ପ୍ରିନସିପାଲ ।