ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ପଂଚାୟତର ସିନ୍ଧେକେଲା ଓ ନିକଟସ୍ଥ ତେଲସରାଇ ଗ୍ରାମରେ ସପ୍ତାହକ ମଧ୍ୟରେ ଝାଡାବାନ୍ତି ରୋଗରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଓ ଅନେକ ଆକ୍ରାନ୍ତ ହେବା ଘଟଣାକୁ ନେଇ ଏଠାରେ ପ୍ରଶାସନିକ ଅଧିକାରୀ ଓ ଦଳୀୟ ନେତାଙ୍କ ପରିଦର୍ଶନର ସୁଅ ଛୁଟିଛି । ଗତକାଲି କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସିନ୍ଧେକେଲା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ପହଂଚି ସେଠାରେ ଆକ୍ରାନ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ମେଡିକାଲର ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଞ୍ଜନ ଖୁଂଟିଆ ଓ ଅନ୍ୟାନ୍ୟ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ସହିତ ସ୍ଥିତିକୁ କିପରି ନିୟନ୍ତ୍ରଣକୁ ଅଣାଯାଇପାରିବ ସେନେଇ ଆଲୋଚନା କରିଥିଲେ । ଏବଂ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ । ଝାଡ଼ାବାନ୍ତିରେ ପ୍ରାଣ ହରାଇଥିବା ଦୁଇ ଜଣ ହେଲେ ସିନ୍ଧେକେଲା ଚାନ୍ଦଲି ପାହାଡ଼ ନିକଟ କ୍ରସର ପଡ଼ାର ମମତା କଁଅର (୨୫) ଓ ଗାୟତ୍ରୀ ପଡାର ସୁଶିଳା ଚନ୍ଦନ (୩୦) । ଗତ ରବିବାର ମମତାଙ୍କର ମୃତ୍ୟୁ ଘଟିଥିବା ବେଳେ ଶୁକ୍ରବାର ସୁଶିଳାଙ୍କ ମୃତ୍ୟୁ ଘଟିଥିଲା ।
ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ଏଡିଏମଓ) ଡାକ୍ତର୍ କେ.ସି. ମହନ୍ତ ଏନେଇ ଅଧିକ ସୂଚନା ଦେଇ କହିଛନ୍ତି ଯେ, ସ୍ଵାସ୍ଥ୍ୟ ବିଭାଗ ଏହା ଉପରେ ଦୃଷ୍ଟି ରଖି ବ୍ୟବସ୍ଥା ଗ୍ରହଣ କରିଛି । ବର୍ତମାନ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ଅପରିଷ୍କାର ପାଣି ବ୍ୟବହାର ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସେ କହିଛନ୍ତି ।