ମାଲକାନଗିରି : ଖଣିଖାଦାନ ନାମରେ ଓଡ଼ିଶା ସରକାର ଆଦିବାସୀଙ୍କ ମୌଳିକ ଓ ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରୁଛନ୍ତି। କମ୍ପାନୀଙ୍କୁ ସରକାର ଅହେତୁକ ଅନୁକମ୍ପା ଦେଖାଇଥିବାରୁ ଜଙ୍ଗଲ ସମ୍ପଦକୁ ନଷ୍ଟ ସହ ଅନେକ ଆଦିବାସୀ ପରିବାରଙ୍କୁ ପିଢି ପିଢି ଧରି ନିଜର କଳା ସଂସ୍କୃତି ଓ ଭିଟାମାଟି ହରାଇବାକୁ ପଡୁଛି । ମାଲକାନଗିରି ଜିଲା ବାଲିମେଳା ଜଳବିଦ୍ୟୁତ୍ ପ୍ରକଳ୍ପ ସମୟରେ ବିସ୍ଥାପିତ ହୋଇଥିବା ଅନେକ ପରିବାରଙ୍କୁ ଅଦ୍ୟାବଧି ଥଇଥାନ କରାଗଲା ନାହିଁ । ଏଭଳି ସ୍ଥଳରେ ପୁନର୍ବାର ସରକାର ମାଲକାନଗିରି ଜିଲାରେ ଥିବା ବିଭିନ୍ନ ଗ୍ରାନାଇଟ ଖଣିକୁ କମ୍ପାନୀ ହାତରେ ଅହେତୁକ ଅନୁକମ୍ପା ଦେଖାଇ ହସ୍ତାନ୍ତର କରିବାକୁ ଚକ୍ରାନ୍ତ କରୁଛନ୍ତି। ପ୍ରଶାସନ ମଧ୍ୟ ସରକାରଙ୍କ ହାତବାରିସି ସାଜି କାର୍ଯ୍ୟ କରୁଥିବା ଅନୁମାନ ହେଉଥିବା ସିପିଆଇଏମ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଅଭିଯୋଗ କରିଛନ୍ତି । କିଛିଦିନ ପୂର୍ବେ ଖଇରପୁଟ ବ୍ଲକର ମାଝିଗୁଡାରେ ହୋଇଥିବା ଜନଶୁଣାଣି ସମ୍ପୂର୍ଣ ଏକତରଫା। ଏହା ପୂର୍ବରୁ ସ୍ଥାନୀୟ ଆଦିବାସୀଙ୍କୁ କୌଣସି ବିରୋଧ ନ କରିବା ପାଇଁ କିଛି ଦଲାଲଙ୍କ ସାହାଯ୍ୟରେ କମ୍ପାନୀ କର୍ତ୍ତୃପକ୍ଷ ପ୍ରବର୍ତାଇଥିଲେ। ଫଳରେ ଜନସାଧାରଣ ବାଧ୍ୟ ହୋଇ ସମର୍ଥନ ଜଣାଇଥିଲେ। ପୂର୍ବରୁ ମୋଟୁ ଅଞ୍ଚଳରେ ବେଆଇନ ଭାବେ କମ୍ପାନୀ ମାଲିକ ଖଣି ଖନନ ନେଇ ଲୋକପାଳରେ ଅଭିଯୋଗ ହୋଇଥିଲା। ଏଥିରେ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇଥିବା ଜିଲ୍ଲାପାଳଙ୍କୁ ସରକାର ବଦଳି କରି ତାଙ୍କ ନାମରେ ଭିଜିଲାନ୍ସରେ ମାମଲା ରୁଜ୍ଜୁ କରିଥିଲେ। ମାଟେରୁରେ ପ୍ରସ୍ତାବିତ ସିମେଣ୍ଟ କାରଖାନା ପାଇଁ ଦୁଇ ଦୁଇ ଥର ଜନଶୁଣାଣି ହୋଇଛି । ସେଠାରେ ମଧ୍ୟ ଶିଳ୍ପ ପାଇଁ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି । ଏଭଳି ସ୍ଥଳରେ ମାଝିଗୁଡା ଗ୍ରାନାଇଟ ପଥର ଖଣିକୁ ନେଇ ବିରୋଧାଭାସ ଦେଖିବାକୁ ମିଳିଛି ।
ଏକ ତଦନ୍ତରୁ ଜଣାପଡିଛି, ଖଇରପୁଟ ବ୍ଲକର ସଦର ପଞ୍ଚାୟତ ମାଝିଗୁଡା ସମ୍ବଳିତ ପଥରଖଣି ସମୂହରୁ ବାର୍ଷିକ ୪୦୧୭୮ ମିଟର ପଥର ଉତ୍ପାଦନ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିମଧ୍ୟରୁ ୪୦୧୭୮ ଘନ ମିଟର ଜମି ବିକ୍ରି ଯୋଗ୍ୟ। ଶୋଭା ବର୍ଦ୍ଧନ ପଥର ଓ ଅବଶିଷ୍ଟ ୧ ଲକ୍ଷ ୬୦ ହଜାର ୭୧୨ ଘନ ମିଟର ବର୍ଜ୍ୟବସ୍ତୁ ଥିବା ବେଳେ ଭୁବନେଶ୍ଵରୀ ଗ୍ରାନାଇଟ ନାମକ ଏହି କମ୍ପାନୀ ଆଗାମୀ ୩୦ ବର୍ଷ ପାଇଁ ଓ କେପିକେ ଗ୍ରାନାଇଟ ମଧ୍ୟ ୩୦ ବର୍ଷ ପାଇଁ ଲିଜ ନେଇଛନ୍ତି। ପୂର୍ବରୁ ଏହି ଖଣିକୁ ଅଞ୍ଚଳବାସୀ ବିରୋଧ କରି ଆନ୍ଦୋଳନ ମଧ୍ୟ କରିଥିଲେ। ଆଦିମ ବଣ୍ଡା ଜନଜାତି ବସବାସ କରୁଥିବା ଏହି ଅଞ୍ଚଳରେ ପବିତ୍ର ଅମାକୁଣ୍ଡ ଯାହାକି ପୁରାଣ ବର୍ଣ୍ଣିତ ରହିଛି । ଖଣିଖନନ ହେଲେ ସେହି ସ୍ଥାନଟି କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା କରି ଖଣିକୁ ଜୋରଦାର ବିରୋଧ କରାଯାଇଥିବା ବେଳେ ବର୍ତ୍ତମାନ ସବୁ ଓଲଟପାଲଟ ହୋଇଯାଇଛି । ଜଣେ ମଧ୍ୟ ବିରୋଧୀ ଜନ ଶୁଣାଣିରେ ଉପସ୍ଥିତ ରହିଲେ ନାହିଁ। ଏକ ତରଫା ଭାବେ ସେହି କାର୍ଯ୍ୟକ୍ରମ ହୋଇଥିଲା। କମ୍ପାନୀ ନିଜ ସପକ୍ଷରେ ଲୋକଙ୍କୁ ଆକୃଷ୍ଟ କରିବା ବିଭିନ୍ନ ଲୋଭନୀୟ ପ୍ୟାକେଜ ଘୋଷଣା କରିଥିଲା । ବାୟୁ ପ୍ରଦୂଷଣ ରୋକିବା ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ, ୫ ଗୁଣ ଅଧିକ ଚାରାରୋପଣ କରାଯିବ, ପାଣି ଢାଳି ମାଇନ୍ସରେ ବିସ୍ଫୋରଣ କରାଯିବ, ଭୂପୃଷ୍ଠ ଓ ଭୂ ଗର୍ଭ ଜଳର ନିୟମିତ ପରୀକ୍ଷା, ୩୧୫ ଜଣଙ୍କୁ ନିଯୁକ୍ତି ସୁଯୋଗ, ମୁକ୍ତ ଆକାଶ ଖନନ ପ୍ରକ୍ରିୟାରେ ପଥର କାଟିବା ଭଳି ବହୁ ଚୁକ୍ତି ବାଢିଥିବା ବେଳେ ନିରୀହ ଆଦିବାସୀ ଏ ସମ୍ପର୍କରେ ସଚେତନ ନ ଥିବାରୁ କମ୍ପାନୀର ସମସ୍ତ ସର୍ତ୍ତ ପୂରଣ ହେବ ବୋଲି ଆଶା ରଖିଛନ୍ତି। ବାସ୍ତବ କ୍ଷେତ୍ରରେ କିନ୍ତୁ ମୋଟୁ ଓ ଅନ୍ୟାନ୍ୟ ଅଞ୍ଚଳରେ ଥିବା ଗ୍ରାନାଇଟ ଖଣି ଖନନ ସମୟରେ କମ୍ପାନୀ ଦେଇଥିବା ପ୍ରତିଶ୍ରୁତିର ଅଧାରୁ ଅଧିକ ପାଳନ କରୁ ନ ଥିଲା । ମାଳିଗୁଡା ଖଣି ଖନନକୁ ନେଇ ଦାୟିତ୍ଵ ନେଇଥିବା କମ୍ପାନୀ ନିଜ ପ୍ରତିଶ୍ରୁତି କେତେଦୂର ପାଳନ କରିବ ତାହା ସମୟ କହିବ ବୋଲି ଆଲୋଚନା ହେଉଛି।
ଏନେଇ ଅତିରିକ୍ତ ଜିଲାପାଳ ତ୍ରିନାଥ ମାଝିଙ୍କୁ ପଚାରିବାରୁ ରାଜ୍ୟ ପ୍ରଦୂଷଣ ବୋର୍ଡର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମାଝିଗୁଡ଼ା ଜନ ଶୁଣାଣି କରାଯାଇଥିଲା । ଏଥିରେ କମ୍ପାନୀ ସପକ୍ଷରେ ୧୨ ଜଣ ନିଜର ମତ ଦେଇଥିଲେ । ଆଗାମୀ ଦିନରେ ପ୍ରଶାସନ ସମସ୍ତ ବିଷୟ ତର୍ଜମା କରି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି। ଆଗାମୀ ୪ ତାରିଖ ସିପିଆଇଏମ ରାଜ୍ୟ ସମ୍ପାଦକ ଶ୍ରୀ ପଟ୍ଟନାୟକ ମାଲକାନଗିରି ଗସ୍ତ କରି ବାସ୍ତବ ସ୍ଥିତି ପରିକ୍ଷ। ଓ ଆଦିବାସୀଙ୍କ ମୌଳିକ ଅଧିକାର ଯେପରି କ୍ଷୁଣ୍ଣ ହେବନି, ସେମାନଙ୍କ ଜୀବନ ଜୀବିକା, ପରିବେଶକୁ ଯେପରି ପ୍ରଭାବ ନ ପଡେ ସେଥିପାଇଁ ପଦକ୍ଷେପ ନେବେ ବୋଲି ସେ ପ୍ରକାଶ କରିଛନ୍ତି।