ଖୋର୍ଦ୍ଧା : ଓଡିଶା ବାହାରକୁ ଦାଦନ ଖଟିବାକୁ ଯାଇ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। କ୍ଷତିପୂରଣ ଦାବୀରେ ପରିବାର ଲୋକ ଓ ଗ୍ରାମବାସୀ ଶବକୁ ବାଣପୁର ଥାନା ସମ୍ମୁଖରେ ଧାରଣା ଦେଇଥିଲେ।ପରେ କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ସୂଚନା ମୁତାବକ ବାଣପୁର ଥାନା ଅନ୍ତର୍ଗତ ସାଲୁଣି ଗ୍ରାମର ସତ୍ୟ ରଣସିଂହଙ୍କ ପୁଅ ସୁନୀଲ ରଣସିଂହ (୧୯) ପରିବାର ପ୍ରତିପୋଷଣ ପାଇଁ ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ବାହାର ରାଜ୍ୟକୁ ଯାଇଥିଲେ।ତେବେ ବାପା ସତ୍ୟଙ୍କର ଶରୀର ଅସୁସ୍ଥ ଥିବାରୁ ପୁଅ ରୋଜଗାର କଲେ ବାପାଙ୍କୁ ଔଷଧ କଣିବା ପାଇଁ କହି ବାଣପୁର ଦାଶରଥିପୁର ଗ୍ରାମର ଠିକାଦାର ପ୍ରଦୀପ ପରିଡାଙ୍କ ସହିତ ସୁଦୂର ଚେନ୍ନାଇ ଯାଇଥିଲେ। ହେଲେ ଏକମାସ ପୂର୍ବେ ସୁନୀଲ ଯାଇଥିବା ବେଳେ କାମ ଠିକସେ କରିପାରୁ ନଥିବାରୁ ଠିକାଦାର ମାରଧର କରୁଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି।ତେବେ ଠିକାଦାର ଅତ୍ୟଧିକ ନିର୍ଯ୍ୟାତନା ଦେଉଥିଲା।ଏପରିକି ଖାଇବାକୁ ମଧ୍ୟ ଠିକ ସେ ଦେଉନଥିଲା ବୋଲି ସେଠାରେ ସୁନୀଲଙ୍କର ଶରୀର ଅସୁସ୍ଥ ହୋଇଯାଥିଲା।ତେବେ ଅସୁସ୍ଥ ସୁନୀଲଙ୍କୁ ଚିକିତ୍ସା ନ କରି ଠିକାଦାର ଚେନ୍ନାଇରେ ଟ୍ରେନ ଟିକେଟ କାଟି ଗ୍ରାମକୁ ଅନ୍ୟଜଣେ ଶ୍ରମିକଙ୍କ ସହ ଛାଡିଦେଇଥିଲେ। ସେଠାରୁ ମାତ୍ର ୧୦୦ କିଲୋମିଟର ଦୂର ନେଲୁର ଷ୍ଟେସନଠାରେ ସୁନୀଲଙ୍କର ଟ୍ରେନରେ ବାନ୍ତି ହୋଇଥିଲା।ଫଳରେ ଟ୍ରେନରେ ବସିଥିବା ଯାତ୍ରୀମାନେ ସୁନୀଲଙ୍କୁ ବାହାରକୁ ବାହାର କରିଦେଇଥିଲେ। ଫଳରେ ଷ୍ଟେସନର ଅତ୍ୟଧିକ ଖରାରେ ପଡି ସୁନୀଲଙ୍କର ମୃତ୍ୟୁ ଘଟିଥିଲା।ତେବେ ମୃତ ଶରୀର ସେଠାରୁ ଆଣିବାକୁ ଠିକାଦାର କୌଣସି ପଦକ୍ଷେପ ନ ନେବାରୁ ପରିବାର ଲୋକ ଧାର କରଜ କରି ଗ୍ରାମବାସିଙ୍କ ସହାୟତାରେ ଦୀର୍ଘ ଚାରିଦିନ ପରେ ଆମ୍ବୁଲାନ୍ସ ମାଧ୍ୟମରେ ମୃତ ଶରୀର ଗ୍ରାମକୁ ଆଣିଛନ୍ତି। ତେବେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବାଣପୁର ଥାନାରେ କ୍ଷତିପୂରଣ ଦାବିରେ ହୋ ହଲ୍ଲା କରିଥିବା ବେଳେ ପୋଲିସ ବୁଝାସୁଝା କରିଛି।ସ୍ଥାନୀୟ କିଛି ଭଦ୍ରଲୋକଙ୍କ ହସ୍ତକ୍ଷେପ ପରେ ଠିକାଦାର କ୍ଷତିପୂରଣ ବାବଦକୁ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦେବାପାଇଁ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଥାନାରୁ ଫେରିଥିବା ଜଣାପଡ଼ିଛି।