କୋଲକାତା : କୋଲକାତାର ଉତ୍ତର 24 ପ୍ରଗଣା ଦତ୍ତପୁକୁରରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଯୋଗୁ 8ଜଣ ଲୋକଙ୍କ ମୃତ୍ୟୁ ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ହେଲେ ସଫିକ ଅଲ୍ଲୀ । ରବିବାର ବିଳମ୍ବିତ ରାତିରେ ନୀଳଗଞ୍ଜ ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ, ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ବାଣ କାରଖାନାର ମାଲିକ କୟାମତ ଅଲ୍ଲୀର ପାର୍ଟନର ହେଉଛି ସଫିକ୍ । ତେବେ 3ଜଣ ବ୍ୟକ୍ତି ମିଳିତ ଭାବେଏହି କାରଖାନା ଚଳାଉଥିବା ପ୍ରାଥମିକ ତଦନ୍ତ ସମୟରେ ସୂଚନା ମିଳିଛି । ସଫିକ୍ ଓ କୟାମତ ସହ ସମସୁଲ ମଧ୍ୟ ସାମିଲ ଥିଲା ଯିଏକି ତୃଣମୂଳ କଂଗ୍ରେସର ସ୍ଥାନୀୟ ନେତା । ଏହି ବାଣ କାରଖାନାରେ ବଡ ବଡ ବୋମା ତିଆରି କରାଯାଉଥିବା ଅଭିଯୋଗ ହୋଇଛି । ଏହି କାରଖାନାରୁ ପ୍ରତି ମାସରେ ପୋଲିସକୁ ବଡ ରକମର ଚାନ୍ଦା ଦିଆଯାଉଥିଲା । ତେଣୁ ପ୍ରଶାସନ ଆଖି ବନ୍ଦ କରିବସିଥିଲା ।
ତେବେ ବିସ୍ଫୋରଣ ପରେ ରବିବାର ସକାଳେ ଘଟଣାସ୍ଥଳରେ ରାଜ୍ୟପାଳ ପହଞ୍ଚିଥିଲେ । ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ହସ୍ପିଟାଲରେ ଆହତଙ୍କୁ ଭେଟିଥିଲେ । ବିସ୍ଫୋରଣରେ ଏପର୍ଯ୍ୟନ୍ତ 8ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ଏହା ଦୁର୍ଘଟଣା ନୁହେଁ, ଏହା ପଛରେ ଷଡଯନ୍ତ୍ର ଥିବା କହିଛନ୍ତି ପଶ୍ଚିମବଙ୍ଗର ରାଜ୍ୟପାଳ ।