କୋରେଇ, ୨୬ ଅଗଷ୍ଟ ନାବାଳିକା ଅପହରଣ ମାମଲାରେ ଯାଜପୁର ଜିଲ୍ଲା ବିଂଝାରପୁର ଥାନାରୁ ନ୍ୟାୟ ନପାଇ ଶେଷରେ ଗତ ୧୯ ତାରିଖ ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ବାରମ୍ବାର ଗୁହାରୀ ପରେ ନ୍ୟାୟ ନମିଳିବାରୁ ନାବାଳିକାର ମାଆ ଦମୟନ୍ତି ସାହୁ ଜିଲ୍ଲା ପୁଲିସ ମୁଖ୍ୟାଳୟ ସମ୍ମୁଖରେ ଆଜି ଧାରଣାରେ ବସିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ରାଉତରାୟ ଆଜି କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ଦେବା ସହ ବିଂଝାରପୁର ଥାନାକୁ ପଠାଇଥିଲେ । ଝିଅ ମିଳୁନଥିବାରୁ ସେ ଜୀବିତ କି ମୃତ ତାହା ସନ୍ଦେହଘେରରେ ଥିବା ବେଳେ ସପ୍ତାହେ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ଜିଲ୍ଲା ପୁଲିସ ମୁଖ୍ୟାଳୟ ସମ୍ମୁଖରେ ଆତ୍ମାହୂତି ଦେବେ ବୋଲି ଘୋଷଣା କରିଛନ୍ତି ଦମୟନ୍ତି ।
ଦୀର୍ଘ ୪ ମାସ ହେଲା ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ । ପୀଡିତାଙ୍କ ପରିବାର ବାରମ୍ବାର ଥାନାକୁ ଓ ଜିଲ୍ଲା ପୁଲିସ ମୁଖ୍ୟାଳୟ ଆସି ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ପ୍ରକାଶ ଯେ, ବିଂଝାରପୁର ଥାନା ଅନ୍ତର୍ଗତ ବାଳମୁକୁଳି ଗ୍ରାମର ସ୍ଵର୍ଗତଃ ସୁଶାନ୍ତ ସାହୁଙ୍କ ନାବଳିକା ଝିଅ (୧୭) ୨୦୨୩ ଅପ୍ରେଲ ୧୨ ତାରିଖ ସକାଳ ୭ଟା ସମୟରେ ଘର ସମ୍ମୁଖରେ କୁକୁର ବୁଲାଉଥିବା ବେଳେ ତାଙ୍କୁ ଉକ୍ତ ଥାନା ଅନ୍ତର୍ଗତ ତୋଟାସାହି (ମଧୁସୁଦନପୁର) ଗ୍ରାମର ହରି ଯେନାଙ୍କ ପୁଅ ଜିତେନ୍ଦ୍ର ଯେନା ଏକ ବାଇକରେ ଜବରଦସ୍ତ ବସାଇ ନେଇଯାଇଥିଲା । ଝିଅ ପାଟି କରିବା ପୂର୍ବରୁ ସେଠାରୁ ସେ ଦ୍ରୁତ ଗତିରେ ବାଇକ୍ ନେଇ ପଳାଇଯାଇଥିଲା । ଝିଅକୁ ବହୁ ଖୋଜା ଖୋଜି କରି ନପାଇବା ପରେ ନାବାଳିକାଙ୍କ ମା ଦମୟନ୍ତି ସାହୁ ଝିଅ ଅପହରଣ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୧୩୫/୨୩ ରେ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ, ପୁଲିସ ଅଭିଯୁକ୍ତଙ୍କୁ ଧରିବା ବଦଳରେ ନାବାଳିକାଙ୍କ ମାଙ୍କୁ ବାରମ୍ବାର ଥାନାକୁ ଡକାଇ ମାନସିକ ନିର୍ଯ୍ୟାତନା ଦେଉଛି । ଅଭିଯୁକ୍ତଙ୍କର ଜଣେ ସମ୍ପର୍କିୟ ଥାନାର କର୍ମଚାରୀ ହୋଇଥିବାରୁ ପୁଲିସ ତଦନ୍ତ ନକରି ହାତବାନ୍ଧି ବସିଛି ବୋଲି ଦମୟନ୍ତି ଅଭିଯୋଗ କରିଛନ୍ତି । ଥାନାବାବୁଙ୍କ ପକ୍ଷପାତିତାକୁ ନେଇ ୪ ମାସ ମଧ୍ୟରେ ଦମୟନ୍ତି ୪ ଥର ଜିଲ୍ଲା ପୁଲିସ ମୁଖିଆଙ୍କ ନିକଟରେ ମଧ୍ୟ ଫେରାଦ ହୋଇସାରିଛନ୍ତି । କିନ୍ତୁ, ଆଜି ପର୍ଯ୍ୟନ୍ତ କୌଣସି ନ୍ୟାୟ ପାଇପାରି ନାହାନ୍ତି ।
ଦମୟନ୍ତିଙ୍କ ସ୍ଵାମୀ ସୁଶାନ୍ତ ୯ ବର୍ଷ ହେଲା ଆରପାରିରେ । ପରିବାର କହିଲେ ଗୋଟିଏ ବୋଲି ଝିଅକୁ ନେଇ ସେ ବଂଚୁଥିଲେ । ଝିଅ ଚାଲିଗଲା ପରେ ପୁରା ଭାଙ୍ଗି ପଡିଛନ୍ତି ଦମୟନ୍ତି । ଆଜି ଧାରଣାରେ ବସିବେ ବୋଲି ପୂର୍ବରୁ ପୁଲିସ ମୁଖ୍ୟାଳୟରେ ଅବଗତ କରାଇଥିଲେ । ସବୁ ସତ୍ୱେ ମଧ୍ୟ ପୁଲିସ ଅପହରଣକାରୀଙ୍କୁ ଏଯାବତ୍ ଗିରଫ କରିପାରିନାହିଁ । ଫଳରେ ଆଜି ଶେଷରେ ନିରୁପାୟ ଦମୟନ୍ତି ପାଣିକୋଇଲି ସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟ ସମ୍ମୁଖରେ ସର୍ମ୍ପକୀୟଙ୍କ ସହ ଧାରଣାରେ ବସିଥିଲେ ।