ଗଞ୍ଜାମ : ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ତିନି ଦିନିଆ ଗଞ୍ଜାମ ଗସ୍ତର ଆଜି ଦ୍ଵିତୀୟ ଦିନରେ ସେ ଭଞ୍ଜନଗର, ସୋରଡ଼ା, ଆସିକା ଏବଂ ପୋଲସରାରେ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଶନିବାର ପୂର୍ବାହ୍ନ ୧୦ଟା ୪୫ ମିନିଟ୍ ରେ ସେ ଭଞ୍ଜନଗର ସ୍ଥିତ ଉପେନ୍ଦ୍ର ଭଞ୍ଜ କଲେଜ ପଡ଼ିଆରେ ଆୟୋଜିତ ଜନସଭାରେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କ ଠାରୁ ଅଭିଯୋଗ ଓ ଦାବିପତ୍ର ଗ୍ରହଣ କରିଛନ୍ତି । ଏହି ସଭାରେ ବହୁ ସଂଖ୍ୟାରେ ମିଶନ ଶକ୍ତି ମହିଳା, ଛାତ୍ରଛାତ୍ରୀ ଓ ଜନସାଧାରଣ ଯୋଗ ଦେଇଥିଲେ । ଭଞ୍ଜନଗର ଅଂଚଳରେ ଥିବା ସମସ୍ତ କଲେଜକୁ ଖୁବ୍ ଶୀଘ୍ର ସ୍ମାର୍ଟ କଲେଜରେ ପରିଣତ କରାଯିବ ବୋଲି ଫାଇଭ-ଟି ସଚିବ ଘୋଷଣା କରିଥିଲେ । ଲୋକଙ୍କ ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଓ ଦାବି ଗୁଡିକ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ସେ ଉପସ୍ଥିତ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲେ । ଗତକାଲିର ଘଟଣା ପରେ ଆଜି ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଜନସଭାରେ ଯୋଗଦେଉଥିବା କୌଣସି ବ୍ୟକ୍ତି ପାଣି ବୋତଲ, କଳା ରଙ୍ଗର ପୋଷାକ ଓ ବ୍ୟାଗ୍ ଧରି ସଭାକୁ ନଯିବାକୁ ପୋଲିସ ପକ୍ଷରୁ ବାରଣ କରାଯାଇଥିଲା । ବିଜେପି ପକ୍ଷରୁ ଚକରା ବିଶୋଇ ଛକରେ ବିଜେପି କର୍ମୀ ମାନେ କଳା କପଡ଼ା ମୁହଁରେ ବାନ୍ଧି ନିରବ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫାଇଭ୍-ଟି ସଚିବଙ୍କ ଗସ୍ତ ପୂର୍ବରୁ ନବନିର୍ମାଣ କୃଷକ ସଂଘ ଗଞ୍ଜାମ ଜିଲ୍ଲା ଉପସଭାପତି ପଦ୍ମଚରଣ ପ୍ରଧାନଙ୍କୁ ପୋଲିସ ଉଠାଇ ନେଇଛି । ଆଜି ଫାଇଭ୍-ଟି ସଚିବଙ୍କ ସଭାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଥିଲା । ଗତକାଲି ପାଣ୍ଡିଆନଙ୍କ ସୁରକ୍ଷା ଦାୟିତ୍ଵରେ ଥିବା ପୋଲିସ ମାନେ ପିଙ୍କ୍ କଲର ଟି-ସାର୍ଟ ପିନ୍ଧିଥିବା ବେଳେ ଆଜି ବ୍ଲୁ କଲର ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏବଂ ପୋଲିସ ଅଧିକାରୀ ମାନେ ଧଳା ରଙ୍କର ସାର୍ଟ ପିନ୍ଧିଥିଲେ । ଏହି ସଭାରେ ଗଞ୍ଜାମ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ ।
ତେବେ ଗତକାଲି ଅପରାହ୍ନରେ ଅଚାନକ ଫାଇଭ-ଟି ସଚିବଙ୍କ ଗଜପତି ଜିଲ୍ଲା ଗସ୍ତକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି । ଅନ୍ୟପକ୍ଷରେ ଗତକାଲି ବ୍ରହ୍ମପୁରର ଲାଞ୍ଜିପଲ୍ଲୀ-ଖଜୁରିଆ ରାସ୍ତାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କାର୍ କୁ ଆକ୍ରମଣ ତଥା ବିଜେଡ଼ି କର୍ମୀ ଓ ପ୍ରଦୀପ ସେନାର କର୍ମୀ ମୁହାଁମୁହିଁ ହେବା ଘଟଣାକୁ ନେଇ ଜିଲ୍ଲା ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ବିଜେଡ଼ି କର୍ମୀ ମାନେ ପ୍ରଦୀପଙ୍କ କାର୍ ଉପରକୁ ପଥର, କାଚ ବୋତଲ ଏବଂ ଅଣ୍ଡା ଫିଙ୍ଗି ଥିଲେ । ଏହି ସମୟରେ ପ୍ରଦୀପ କାର୍ ଭିତରେ ଥାଇ ଓଡ଼ିଶା ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି ଏବଂ ବ୍ରହ୍ମପୁର ଏସପିଙ୍କୁ ଫୋନ୍ ମାଧ୍ୟମରେ ମେସେଜ୍ ଦେଇଥିଲେ ମଧ୍ୟ ଦୀର୍ଘ ସମୟ ବ୍ୟବଧାନରେ ପୋଲିସ ସେଠାରେ ପହଂଚି ପ୍ରଦୀପଙ୍କ ଗାଡିକୁ ଏସକର୍ଟ ଦେଇ ନେଇଥିଲେ ।
ପ୍ରକାଶ ଥାଉକି, ଗତକାଲି ଗଞ୍ଜାମ ଗସ୍ତର ପ୍ରଥମ ଦିନରେ ଫାଇଭ-ଟି ସଚିବ ଶାଳିଆ ଡ୍ୟାମ୍ ଓ ଏହାର ଆଖପାଖ ଅଂଚଳ ବୁଲି ଦେଖିବା ସହ ଏହାର ବିକାଶ ପାଇଁ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ମିଶନ ଶକ୍ତି କାଫେ ପରିଦର୍ଶନ କରିଥିଲେ । ଫାଇଭ୍-ଟି ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।