– ଲାଞ୍ଜିପଲ୍ଲୀ ଛକରେ ପ୍ରଦୀପ ସମର୍ଥକ-ବିଜେଡି କର୍ମୀ ମୁହାଁମୁହିଁ
-ବିଧାୟକଙ୍କ ଗାଡିକୁ ଅଣ୍ଡାମାଡ
– ସିଏମ୍ ଫେସ୍ ବଦଳିଯିବ, ଏମାନେ ପୂରା ମାଟି ହୋଇଯିବେ : ପ୍ରଦୀପ ପାଣିଗ୍ରାହୀ
-କୋଭିଡ୍ ବେଳେ ବାହାରୁ ଲୋକଙ୍କୁ ଗଂଜାମ ଫେରାଇ ନଆଣିବାକୁ ଚାହୁଁଥିଲେ ଜନ ପ୍ରତିନିଧି : ୫ ଟି ସଚିବ
ଗଂଜାମ/ଭୁବନେଶ୍ୱର, 25 ଅଗଷ୍ଟ – ବ୍ରହ୍ମପୁର ରାସ୍ତାରେ ଶୁକ୍ରବାର ସକାଳେ ଦେଖିବାକୁ ମିଳିଛି ହାଇ ଭୋଲଟେଜ୍ ଡ୍ରାମା । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଛକରେ ଅଟକାଇଥିଲେ ବିଜେଡି କର୍ମକର୍ତା । ବିଧାୟକଙ୍କ ଗାଡି ଉପରେ ଚଢି ତାଙ୍କୁ ଆକ୍ରମଣ ପାଇଁ ଉଦ୍ୟମ ହୋଇଥିଲା । ଫଳରେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ । ପୋଲିସ୍ ଉପସ୍ଥିତିରେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକମାନଙ୍କୁ ଠେଙ୍ଗାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ପ୍ରଦୀପ ପାଣିଗ୍ରାହୀଙ୍କ କାର୍ ଉପରକୁ ଅଣ୍ଡା ସହ ପଥର ଓ ପାଣି ବୋତଲ ମାଡ଼ କରାଯାଇଥିଲା । ଲାଞ୍ଜିପଲ୍ଲୀ ଛକ ରଣକ୍ଷେତ୍ରରେ ପରିଣତ ହୋଇଥିଲା ।
ବହ୍ମପୁର ଅଭିମୁଖେ ଯିବାକୁ ଦିଆଯାଉ ନଥିବାରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଘଟଣାସ୍ଥଳରୁ ତାଙ୍କ ମୋବାଇଲରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍ଓ), ମୁଖ୍ୟ ଶାସନ ସଚିବ, ଡିଜିପି, ଦକ୍ଷିଣାଂଚଳ ଆଇଜି ଓ ଗୃହ ବିଭାଗକୁ ମେଲ୍ କରିଥିଲେ ।ଘଟଣାସ୍ଥଳରେ ଗଣମାଧ୍ୟମକୁ ସେ କହିଥିଲେ ଯେ ରାସ୍ତା ସଫା କରିବାକୁ ଏସ୍ପିଙ୍କୁ ଫୋନ୍ କରିଥିଲି । ଏସ୍ପି ହଁ ମାରିଲେ, କିନ୍ତୁ କିଛି କଲେ ନାହିଁ ।
ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ପ୍ରଦୀପଙ୍କ ନାଁ ନନେଇ ବର୍ଷିଛନ୍ତି । ସେ କହିଛନ୍ତି କୋଭିଡ ସଂକ୍ରମଣ ସମୟରେ ଗଂଜାମ ଜିଲ୍ଲାର ଜଣେ ଲୋକପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ମୋବାଇଲ୍ ଫୋନ୍ ରେ କହିଥିଲେ ଓଡ଼ିଶା ବାହାରେ ଫସି ରହିଥିବା ଲୋକଙ୍କୁ ଗଂଜାମ ଆଣିବା ନାହିଁ । ବାହାରେ ଫସି ରହିଥିବା ଲୋକଙ୍କୁ ଗଂଜାମ ଆଣିଲେ ପରିସ୍ଥିତି ବିଗିଡ଼ି ଯିବ । ଆଗ ନିଜେ ବଂଚିବା ।
ବିରୋଧର ଶୀକାର ହେବା ପରେ ଗୋପାଳପୁର ବିଧାୟକ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ମୁଁ ଆସିବା ପୂର୍ବରୁ ବ୍ରହ୍ମପୁର ଏସପିଙ୍କୁ ଜଣାଇଥିଲି । ଏସପି ସମ୍ମତି ଦେଇଥିଲେ ବି ଏଯାଏଁ କିଛି ବ୍ୟବସ୍ଥା କରିନାହାନ୍ତି । ଜଣେ ସଚିବଙ୍କ ସୁରକ୍ଷା ପାଇଁ ୪ ହଜାର ପୁଲିସ୍ ବ୍ୟବସ୍ଥା ହୋଇଛି । ମୋ ଗାଡ଼ିକୁ ଏନଏଚରେ ଅଟକାଯାଇଛି, କାର୍ଯ୍ୟାନୁଷ୍ଠାନ ନିଆଯାଉ । ମୁଖ୍ୟମନ୍ତ୍ରୀ ଭଦ୍ରଲୋକ । ତାଙ୍କ ନାଁକୁ ନେଇ ଏମାନେ ଶାସନ କରୁଛନ୍ତି । ଯଦି ସିଏମ୍ ଫେସ୍ ବଦଳିଯିବ, ଏମାନେ ପୂରା ମାଟି ହୋଇଯିବେ । ଆଉ କେହି ମୁଖ୍ୟମନ୍ତ୍ରୀ ହେଲେ ଏମାନେ ବନ୍ଧା ହୋଇ ଭିତରକୁ ଯିବେ । ଜେଲ୍ ଯିବା ଭୟରେ ଏମାନେ ଶାସନକୁ ଜାବୁଡ଼ି ଧରିଛନ୍ତି ।
ଅପରପକ୍ଷରେ ବିଧାୟକଙ୍କୁ ବିରୋଧ କରୁଥିବା ବିଜେଡି କର୍ମୀମାନେ କହିଛନ୍ତି, ଗୋପାଳପୁର ବିଧାୟକଙ୍କୁ ଗଞ୍ଜାମକୁ ପ୍ରବେଶ କରିବାକୁ ଦିଆଯିବନି । ଚିଟଫଣ୍ଡ ଦୁର୍ନୀତିରେ ବିଧାୟକ ସାମିଲ ଥିବା ବେଳେ ପଂଚାୟତ ନିର୍ବାଚନ ବେଳେ କୁଆଡ଼େ ଯାଇଥିଲେ? ଟାଟା କମ୍ପାନୀରେ ଚାକିରି କରାଇ ଦେବାକୁ କହି ସେ ପିଲାଙ୍କଠାରୁ ଟଙ୍କା ନେଇଛନ୍ତି । ସେ ନେଇ ଆଗ ସେ ଜବାବ ଦିଅନ୍ତୁ । କେବେ ସେମାନଙ୍କୁ ଚାକିରି ମିଳିବ କୁହନ୍ତୁ । ନହେଲେ ଟଙ୍କା ଫେରାନ୍ତୁ । ସେ ଏ ସଂପର୍କରେ ଜବାବ ନଦେବା ପର୍ଯ୍ୟନ୍ତ ତାଙ୍କୁ ଛଡ଼ା ଯିବ ନାହିଁ । ତାଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ ।