କୋରେଇ : ଚାଷର ବିକାଶ ପାଇଁ କେନ୍ଦ୍ର ସରକାର ନିକଟସ୍ଥ ନଦୀରୁ ଚାଷ ଜମି ପର୍ଯ୍ୟନ୍ତ ପାଇପ ମାଧ୍ୟମରେ ଜଳ ଯୋଗାଣ ପାଇଁ ଏକ ପ୍ରକଳ୍ପ ନିର୍ମାଣ କରିଥିଲେ। କିନ୍ତୁ, ଉକ୍ତ ପ୍ରକଳ୍ପଟିକୁ ନିର୍ମାଣ କରିବା ଲାଗି ଠିକା ନେଇଥିବା ‘ଜାଇକା’ର ବିଭାଗୀୟ କର୍ମକର୍ତ୍ତାଙ୍କର ତ୍ରୁଟିପୂର୍ଣ୍ଣ ପ୍ରକଳ୍ପ ନିର୍ମାଣ ପାଇଁ ଏବେ ଚାଷୀ ମାନେ ହନ୍ତସନ୍ତ ହେଉଥିବାର ସୂଚନା ମିଳିଛି।
ପ୍ରକାଶ ଯେ, କେନ୍ଦ୍ର ସରକାରଙ୍କ ଯୋଜନାରେ ଖରସ୍ରୋତା ନଦୀର କୋରାଇ ବ୍ଳକର ପହଙ୍ଗା ପଂଚାୟତ ଠାରୁ ଗୋଳେଇପୁର ପଂଚାୟତର ଚାଷ ଜମିକୁ ଜଳ ଯୋଗାଣ ପାଇଁ ପାଇପ ଲାଇନ ମାଧ୍ୟମରେ ଜଳଯୋଗାଣ ଲାଗି ଜାଇକା’କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଉକ୍ତ ଜଳଯୋଗାଣ ପ୍ରକଳ୍ପ ଦ୍ବାରା ପହଙ୍ଗା ସମେତ ତଣ୍ଡରା, ଲକ୍ଷ୍ମୀନଗର, ଖମଣ, ବଡ଼ବିରୁହାଁ ଓ ଜହ୍ନା ପଞ୍ଚାୟତର ଚାଷୀ ମାନେ ଉପକୃତ ହେବା ଲାଗି ଯୋଜନା କରାଯାଇଥିଲା । ମାତ୍ର ଜାଇକା ର କର୍ମକର୍ତ୍ତାଙ୍କ ଦ୍ଵାରା ତ୍ରୁଟିପୂର୍ଣ୍ଣ ଭାବେ ପାଇପ ଲାଇନ ବିଛାଯିବା କାରଣରୁ ନଦୀର ଜଳ ଉପର ମୁଣ୍ଡରେ ଥିବା ଚାଷ ଜମିକୁ ପାଣି ମାଡ଼ି ପାରୁନାହିଁ। ଫଳରେ ଉପର ମୁଣ୍ଡରେ ଥିବା ତଣ୍ଡରା, ପହଙ୍ଗା, ଲକ୍ଷ୍ମୀନଗର, ଖମଣ ଆଦି ପଞ୍ଚାୟତର ଚାଷୀ ମାନେ ଏହି ପ୍ରକଳ୍ପ ଯୋଗୁଁ ଉପକୃତ ହୋଇପାରୁନାହାନ୍ତି। ଏତଦ୍ ବ୍ୟତୀତ ଜଳ ନିଷ୍କାସନ ଲାଗି ଉଦ୍ଦିଷ୍ଟ ପଏଣ୍ଟ ଗୁଡ଼ିକ ବିଭାଗର ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ ଖୋଲା ମେଲାରେ ରହୁଥିବାରୁ ଚାଷ ଜମିକୁ ପାଣି ପହଞ୍ଚି ପାରୁନାହିଁ। ଫଳରେ ଚାଷୀ ମାନେ ଉପକୃତ ହୋଇପାରୁନଥିବା ଅଭିଯୋଗ ହୋଇଛି। ଏ ଦିଗରେ ବଡ଼ବିରୁହାଁ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପ୍ରମୋଦ କୁମାର ସାହୁ ଚାଷୀ ମାନଙ୍କ ସମସ୍ୟାକୁ ନେଇ ଜାଇକାର ତ୍ରୁଟିପୂର୍ଣ୍ଣ ନିର୍ମାଣ ବାବଦରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଜଣାଇଛନ୍ତି ।