ଧର୍ମଶାଳା : ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଙ୍ଗ ସାରା ବିଶ୍ଵକୁ ଚକିତ କରିଛି । ଆମେରିକା, ରୁଷ ଓ ଚୀନ ଭଳି ଆଗ ଧାଡିର ରାଷ୍ଟ୍ର ଯାହା କରିପାରି ନ ଥିଲେ, ତାହା ଭାରତ କରି ଦେଖାଇଛି । ଏହି ଚନ୍ଦ୍ରଯାନ -୩ର ସଫଳତା ପାଇଁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଜାରି ରହିଥିଲା । ଫଳରେ ବୁଧବାର ସନ୍ଧ୍ୟାରେ ସଫଳତାର ସହ ଅବତରଣ କରିଥିଲା । ଯାହା ମହାକାଶ କ୍ଷେତ୍ରରେ ନୂଆ ଇତିହାସ ଲେଖିଛି ଭାରତ । ଏହି ସଫଳତାର ବାର୍ତା ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଯାଜପୁର ଜିଲା ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀମାନେ । ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ପରସ୍ପରକୁ ମିଷ୍ଟାନ୍ନ ବଂଟନ କରି ସଫଳତା ଦେଇଥିବା ନାୟକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପରେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ଵର ପାଢୀଙ୍କ ତତ୍ଵାବଧାନରେ ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ଏକ ବିଶାଳ ଶୋଭାଯାତ୍ରାରେ ବ୍ରହ୍ମବରଦାର ଚାରିଗାରପୁର, ଥାନା ଛକ, ମହିମା ଛକ, ବରଦା ଛକ ଓ ପଂଚାୟତ କାର୍ଯ୍ୟାଳୟ ଛକ ପରିକ୍ରମା କରି ଭାରତମାତାର ଜୟ ଜୟ ଗାନ କରିଥିଲେ । ଚନ୍ଦ୍ରଯାନ-୩ ଆମ ପାଇଁ ଗୌରବ ଆଣି ଦେଇଛି । ସର୍ବ ପ୍ରଥମେ ଭାରତ ଦକ୍ଷିଣ ମେରୁରେ ପଂହଚି ଇତିହାସ ରଚିବା ସହ ସାରା ପୃଥିବୀ ପାଇଁ ଉଦାହାରଣ ପାଲଟିଛି ବୋଲି ବରିଷ୍ଠ ମୁରବୀ ବିପିନ ବିହାରୀ ଦେଓ, ସମାଜସେବୀ ନିମାଇଁ ଚରଣ ଦାସ ଓ ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁଦର୍ଶନ ପୃଷ୍ଟି କାର୍ଯ୍ୟକ୍ରମରେ ଯୋଗଦେଇ ମତବ୍ଯକ୍ତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟାପକ ସୌଭାଗ୍ୟ କୁମାର ସାହୁ, ଡ. ରଶ୍ମୀକାନ୍ତ ଦାସ, ସୂର୍ଯ୍ୟକାନ୍ତ ରାଉତ, ବାବୁଲା ରଣା, ଉଲ୍ଲାସ କୁମାର ବିଶ୍ଵାଳ, ସେକ୍ ରୁହୁଲ ଅମିନ, ଅମୂଲ୍ୟ କୁମାର ପତି, ଶିବ ପ୍ରସାଦ ସାହୁ, ସଂଜୟ ପ୍ରଧାନ, ରସ୍ମିତା ସାମଲ, ଅକ୍ଷୟ କୁମାର ସାହୁ, ନିୟାମତ ହୋସେନ, ସାଗରିକା ଦାସ, ସଂଜିତା ପରୱିନ, ବିବେକାନନ୍ଦ ଜେନା, ରାମଚନ୍ଦ୍ର ମଲ୍ଲିକ, ବଳରାମ ରାଉତ, ଧର୍ମେନ୍ଦ୍ର ମହାନ୍ତି, ବିନୟ ରାଉତ ଓ ସୁନିଲ କୁମାର ଓଝା ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଶୋଭାଯାତ୍ରାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପରଚାଳନା କମିଟିର ସମସ୍ତ ସଭ୍ୟ ଓ ସମସ୍ତ ଶିକ୍ଷା କର୍ମଚାରୀ ସାମିଲ ହୋଇ ସଫଳ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।