ଜୟପୁର : ଫାଇନାନ୍ସ ଟଙ୍କା କିସ୍ତି ନବାନ୍ଧିବାରୁ ଯୁବକକୁ ହତ୍ୟା ମାମଲାରେ ତୁରନ୍ତ ଅଭିଯୁକ୍ତକୁ ଗିରଫ ଦାବିରେ ଟାଉନ ଥାନା ଘେରାଉ କଲେ ବିଧାୟକ ତାରା ପ୍ରସାଦ ବାହିନିପତି । ବିଧାୟକ ତାରାଙ୍କ ସହ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଶତାଧିକ କଂଗ୍ରେସ କର୍ମି ଓ ନେତା ଘେରାଉ କରିଥିଲେ । ଫାଇନାନ୍ସ ଟଙ୍କା କିସ୍ତି ନବାନ୍ଧିବାରୁ ଜୟପୁର ଭେଟନାରି କଲୋନିର ବିପିନ ବାହାଦୁରକୁ ହତ୍ୟା କରାଯାଇଥିଲା । ଗତ ୧୨ ତାରିଖ ଦିନ ବିପିନ ବାହାଦୁର ଡ୍ୟୁଟି ଯାଉଥିବା ବେଳେ ପାୱାର ହାଉସ ମହାଦେବ ଷ୍ଟକୟାର୍ଡ ପାଖରେ ଅଭିଯୁକ୍ତ ପ୍ରତ୍ୟୁଷ ଦାସ ଛୁରିରେ ଆକ୍ରମଣ କରିଥିଲା । ଛୁରିଟି ବିପିନର ପେଟରେ ବାଜିଥିଲା । ଏନେଇ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ପ୍ରଥମେ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଗତ ୧୪ ତାରିଖରେ ବିପିନର ମୃତ୍ୟୁ ହୋଇଥିଲା । ପୋଲିସର ସୂଚନା ଅନୁଯାୟୀ, ଜୟପୁର ଭେଟନାରି କଲୋନିର ବିପିନ ବାହାଦୁର (୪୨) ଏକ ଅଲଟୋ କାର ଫାଇନାନାନ୍ସରେ ଆଣିଥିଲେ । ଟାଟା ଫାଇନାନ୍ସରୁ ଫାଇନାନ୍ସ କରିଥିଲେ । ସେ ୨ଟି କିସ୍ତି ବାନ୍ଧିନଥିଲେ । ତେବେ ଏହି କମ୍ପାନିର ଏଜେଣ୍ଟ ପ୍ରତ୍ୟୁଷ ଦାସଙ୍କ ସହ ଏହି ଘଟଣାକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇପଡିଥିଲେ ଅଭିଯୁକ୍ତ ପ୍ରତ୍ୟୁଷ ଦାସ । ଏନେଇ ବିପିନର ଭାଇ ଯକ୍ଷ ବାହୁଦୁର ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜଣକ ବିଜେଡି ଦଳର ବରିଷ୍ଠ ନେତାଙ୍କ ପୁଅ ହୋଇଥିବାରୁ ପୋଲିସ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ବିଧାୟକ ତାରା ଅଭିଯୋଗ କରିଛନ୍ତି । ଏନେଇ ବିଧାୟକ ତାରାଙ୍କ ସହ ଟାଉନ ଥାନା ଅଧିକାରି ସତ୍ୟାନନ୍ଦ ପାତ୍ର ଆଲୋଚନା କରି ସାତ ଦିନ ସମୟ ମାଗିଛନ୍ତି । ଯଦି ସାତ ଦିନ ଭିତରେ ଅଭିଯୁକ୍ତକୁ ଗିରଫ କରାନଗଲେ ଜୟପୁର ବନ୍ଦ କରାଯିବ ବୋଲି ଚେତାବନି ଦେଇଛନ୍ତି ବିଧାୟକ ତାରା । ଆଇନ ଶୃଙ୍ଖଳା ବିପଯ୍ୟସ୍ତ ହେଲେ ଗୃହ ବିଭାଗ ଦାୟି ରହିବ ବୋଲି ଚେତାବନି ଦେଇଛନ୍ତି ବିଧାୟକ । ଏପରିକି ଜୟପୁର ସହରରେ ଚୋରି, ଡକାୟତି ସହ ଗତ ତିନି ମାସ ତଳେ ବ୍ୟବସାୟୀଙ୍କୁ ଗୁଳି କରାଯାଇଥିଲା। ଦିନକୁ ଦିନ ଜୟପୁର ସହରରେ ଚୋରି ଡକାୟତି, ଲୁଟ ଭଳି ଘଟଣା ବଢୁଥିବା ବେଳେ ପୋଲିସ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ଅଯୋଗ୍ୟ ଡିଜିଙ୍କ ଯୋଗୁଁ ଆଇନ ଶୃଙ୍ଖଳା ଭୁଷୁଡି ପଡିଥିବା ବିଧାୟକ ତାରା ଅଭିଯୋଗ କରିଛନ୍ତି ।