ଭୁବନେଶ୍ୱର : ମୌସୁମୀ ନିମ୍ନଚାପ ରେଖା ଆଜି ପଞ୍ଜାବର ଫିରୋଜ଼ପୁର ରୁ ବାହାରି କର୍ଣ୍ଣଲ, ମିରଟ, ଆଯମଗଡ, ପାଟନା, ମୁଙ୍ଗେର, ଦେଓଘର, ବାଙ୍କୁରା ମଧ୍ୟ ଦେଇ ପଶ୍ଚିମବଙ୍ଗର ଡାଇମଣ୍ଡ-ହାରବର ରୁ ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ୨୪ ଘଂଟା ମଧ୍ୟରେ ବାଲେଶ୍ୱର,ଭଦ୍ରକ, ଯାଜପୁର,କେନ୍ଦ୍ରାପଡା,କଟକ,ଜଗତସିଂହପୁର,ସୁନ୍ଦରଗଡ,ଝାରସୁଗୁଡା,ବରଗଡ,ସମ୍ବଲପୁର, ଦେବଗଡ,ଅନୁଗୁଳ,ଢେଙ୍କାନାଳ,କେନ୍ଦୁଝର,ମୟୁରଭଂଜ,ବଲାଙ୍ଗିର,ବୌଦ୍ଧ,କଳାହାଣ୍ଡି,କନ୍ଧମାଳ,ନୟଗଡ,ଖୋର୍ଦ୍ଧା , ଗଂଜାମ ଓ ପୁରୀ ଆଜି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ଏହି ସମୟ ମଧ୍ୟରେ ସୁନ୍ଦରଗଡ,ସମ୍ବଲପୁର,ଝାରସୁଗୁଡା, ଦେବଗଡ,କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ବରଗଡ,ସୋନପୁର,ବଲାଙ୍ଗିର,ଅନୁଗୁଳ, ଢେଙ୍କାନାଳ, ମୟୁରଭଂଜ,କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ଏ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।