ଗଞ୍ଜାମ : ବର୍ଦ୍ଧିତ ଜନସଂଖ୍ୟା ଓ ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥାକୁ ନେଇ ବହୁ ବର୍ଷ ହେଲା ବ୍ରହ୍ମପୁର ସହର ବାହାରେ ରିଙ୍ଗ୍ ରୋଡ଼ ନିର୍ମାଣ ସକାଶେ ସହରବାସୀଙ୍କ ଦାବି ରହିଥିଲା । ୨୦୧୩ରେ ମୁଖ୍ୟମନ୍ତ୍ରୀ ରିଙ୍ଗ୍ ରୋଡ଼ର ଆବଶ୍ୟକତା ରହିଥିବା ନେଇ କହିବା ସହ ଯଥାଶୀଘ୍ର ଏହାର ଡିପିଆର ପ୍ରସ୍ତୁତି ଓ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ । କିନ୍ତୁ, ଏହି ଘୋଷଣାର ୮ ବର୍ଷ ପରେ ପୁଣି ୨୦୨୧ ଜାନୁଆରୀ ୪ ରେ ରାମଲିଙ୍ଗେଶ୍ଵର ପାର୍କ ଉଦଘାଟନ ବେଳେ ରିଙ୍ଗ ରୋଡ଼ କାର୍ଯ୍ୟ ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀ ସହରବାସୀଙ୍କୁ ସୂଚନା ଦେଇଥିଲେ । ୨୦୨୧ ନଭେମ୍ବର ୯ ତାରିଖରେ ଉକ୍ତ ପ୍ରକଳ୍ପର ଭିତିପ୍ରସ୍ତର କୁସୁମି ଠାରେ ଦିଆଯାଇଥିଲା । ତେବେ କାର୍ଯ୍ୟାରମ୍ଭର କିଛିଦିନ ପରେ ଉକ୍ତ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରହିଥିଲା । କାରଣ ଘରୋଇ ଜମି ଅଧିଗ୍ରହଣକୁ ନେଇ ସମସ୍ୟା ଉପୁଜିଥିଲା । ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ରଙ୍ଗିପୁର ଠାରୁ ତୁରୁବୁଡି, ଗଉଞ୍ଜ, ପୋଡାପଦର, ମାଣ୍ଡିଆପଲ୍ଲୀ, ଜଗନ୍ନାଥପୁର, ରଘୁନାଥପୁର, ନରେନ୍ଦ୍ରପୁର, ନିମଖଣ୍ଡି, ରତନପୁର, ଗୁଣ୍ଠବନ୍ଧ, ଲଙ୍ଗଳଦେଇ, ମହୁଡ଼ା ହୋଇ ପୁଣି ଏକ ରିଙ୍ଗ ରୋଡ଼ ହଳଦିଆପଦର ଠାରେ ସଂଯୋଗ କରିବ । ସମୁଦାୟ ୪୬.୮୩୩ କି.ମି. ରାସ୍ତା ମଧ୍ୟରେ ଜାତୀୟ ରାଜପଥର ୧୩.୬୮୦ କି.ମି. ରହିଥିବା ବେଳେ ରାସ୍ତା ଓ କୋଠାବାଡି ବିଭାଗ ପ୍ରଥମର ୧୫.୩୫୩ କି.ମି. ଏବଂ ଦ୍ଵିତୀୟର ୧୭.୮୦୦ କି.ମି. ରାସ୍ତା ରହିଛି । ଏହା ମଧ୍ୟରେ ସରକାରୀ ଓ ବେସରକାରୀ ଭାବେ ୨୦୦ ଏକର ଜମି ଯାଉଥିବା ଦେଖିବାକୁ ମିଳିଛି । ତନ୍ମଧ୍ୟରେ ସରକାରୀ ଜମି ୩୦ ଏକର ରହିଥିବା ବେଳେ ବେସରକାରୀ ଜମି ୧୭୦ ଏକର ରହିଛି । ସରକାରୀ ଜମି ଅଧିଗ୍ରହଣ ପାଇଁ କୌଣସି ସମସ୍ୟା ନଥିବା ବେଳେ ବେସରକାରୀ ଜମି ଅଧିଗ୍ରହଣ କାର୍ଯ୍ୟକ୍ରମ ଚାଲୁ ରହିଛି । ବେସରକାରୀ ଜମି ଅଧିଗ୍ରହଣ ପାଇଁ ୫୩ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସମ୍ପ୍ରତି ୫୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇ ଜମି ହରାଇଥିବା ହିତାଧିକାରୀଙ୍କୁ ଅଧିକ ଅନୁଦାନ ପ୍ରଦାନ କରାଯାଇଛି । ରାସ୍ତା ଓ କୋଠାବାଡି ବିଭାଗ ପ୍ରଥମ ଅଧିନରେ ଥିବା ୧୩.୬୮୦ କି.ମି.ରୁ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟରେ ୫.୧୯ କି.ମି. ରାସ୍ତା ପାଇଁ ଜମି ଅଧିଗ୍ରହଣ ଶେଷ ହୋଇଛି । ଜାତୀୟ ରାଜପଥ ନଂ ୧୬ରୁ ୫.୧୯ କି.ମି. ନିମନ୍ତେ ୨୦.୨୧ କୋଟି ଟଙ୍କା ବିନିଯୋଗ ଟେଣ୍ଡର ଡକାଯାଇ କାର୍ଯ୍ୟ ଆରମ୍ଭ ହୋଇଛି । ଯେଉଁଥିରେ ମହୁଡ଼ା, କୁମାରପୁର, କୁସୁମି, ଗୋବିନ୍ଦପୁର-୧, ଗୋବିନ୍ଦପୁର-୨, ମନୋହରା, ମଦନମୋହନ ଆଦି ଗ୍ରାମ ଗୁଡିକ ଦେଇ ଏହି ରାସ୍ତା ନିର୍ମାଣ ହେବ । ରିଙ୍ଗ ରୋଡ ର ୧୦୦୦ ମିଟର ରେଲୱେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ହେବ ବୋଲି ବିଭାଗ ପକ୍ଷରୁ ଜଣାପଡିଛି । ବିଭାଗ ପକ୍ଷରୁ ପୁରୁଣା ଡିପିଆରକୁ ପରିବର୍ତନ କରି ନୂତନ ଡିପିଆର ପ୍ରସ୍ତୁତ କରାଯାଉଥିବା ଜଣାପଡିଛି । ନୂତନ ଡିପିଆରରେ ରାସ୍ତା ଓ କୋଠାବାଡି ବିଭାଜନ-୧ ଅଧିନରେ ଥିବା ୧୩.୬୮୦ କି.ମି. ରାସ୍ତା ପାଇଁ ୨୨୩ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୭୫ କୋଟି ଟଙ୍କାର ଅନୁମୋଦନ ଦେଇଥିବା ଓ ଟେଣ୍ଡର ଆହ୍ଵାନ କରାଯାଇଥିବା ଜଣାପଡିଛି ।
ଏହାଛଡା ବିଭାଗ ପକ୍ଷରୁ ପ୍ରାୟ ୭୦ ଏକର ବେସରକାରୀ ଜମି ଅଧିଗ୍ରହଣ କରିଥିବା ବେଳେ ଏହା ବାବଦକୁ ଜମି ହରାଇଥିବା ହିତାଧିକାରୀଙ୍କୁ ପ୍ରାୟ ୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିପରି ରାସ୍ତା ଓ କୋଠାବାଡି ବିଭାଜନ-୨ ଓ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ମଧ୍ୟ ବେସରକାରୀ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲୁ ରହିଥିବା ଓ ପ୍ରାୟ ୪୦ ଏକର ଜମି ଇତିମଧ୍ୟରେ ଅଧିଗ୍ରହଣ ହୋଇଥିବା ଜଣାପଡିଛି । ସମୁଦାୟ ୨୦୦ ଏକର ଜମିରୁ ୩୦ ଏକର ସରକାରୀ ଜମି ବଳକା ୧୭୦ ଏକର ଘରୋଇ ଜମି ଥିବା ବେଳେ ଇତିମଧ୍ୟରେ ୧୧୦ ଏକର ଜମି ଅଧିଗ୍ରହଣ କରାଯାଇଥିବା ଜଣାପଡିଛି । ରାସ୍ତା ଓ କୋଠାବାଡି ବିଭାଜନ-୧ ପକ୍ଷରୁ କରାଯାଇଥିବା ଟେଣ୍ଡର ଖୋଲିବା ପରେ ଏହାର କାର୍ଯ୍ୟ ତ୍ଵରାନ୍ବିତ ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।