ଭୁବନେଶ୍ୱର : ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ଜୁନିୟର ଟିଚର୍ସ(ସ୍କିମାଟିକ) ବା କନିଷ୍ଠ ଶିକ୍ଷକ(ଯୋଜନା ଭିତିକ) ଜିଲ୍ଲା ପରିଷଦ ଅଧିନରେ ଠିକା ନିଯୁକ୍ତି ପାଇବେ । କନିଷ୍ଠ ଶିକ୍ଷକମାନଙ୍କୁ ଜିଲ୍ଲା ପରିଷଦ ଅଧିନରେ ଯୋଜନା ଭିତିରେ (ସ୍କିମାଟିକ) ନିଯୁକ୍ତି ପ୍ରକ୍ରିୟାକୁ ଏଆଇଡିଏସ୍ଓ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।
ଏଆଇଡିଏସ୍ଓ ଓଡିଶା ରାଜ୍ୟ ପରିଷଦର ସଭାପତି ସୋମନାଥ ବେହେରା ଓ ସଂପାଦକ ସିଦ୍ଧାର୍ଥ ରଥ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ନ୍ୟାସନାଲ କାଉନସିଲ ଫର୍ ଟିଚର୍ସ ଏଜୁକେସନ (ଏନସିଟିଇ) ଓ ସୁପ୍ରିମକୋର୍ଟଙ୍କ ଚଳିତମାସ ୧୧ ତାରିଖ ରାୟ ଆଧାରରେ ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟ ଗୁଡିକରେ “ସମଗ୍ର ଶିକ୍ଷା ଯୋଜନା” ରେ ଜୁନିୟର ଟିଚର୍ସ(ସ୍କିମାଟିକ) ବା କନିଷ୍ଠ ଶିକ୍ଷକ(ଯୋଜନା ଭିତିକ) ଜିଲ୍ଲା ପରିଷଦ ଅଧିନରେ ଠିକା ନିଯୁକ୍ତି ହେବ ବୋଲି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ସେମାନଙ୍କର ଚୁକ୍ତି ପ୍ରତିବର୍ଷ ନବୀକରଣ କରାଯିବ । ସେମାଙ୍କର ଦରମା ମଧ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ସମୟ ସମୟ ରେ ପରିବର୍ତନ ହେବ । ଚୁଡାନ୍ତ ନିଯୁକ୍ତି ପ୍ରକ୍ରିୟା ଓ ଚୁକ୍ତି ନବୀକରଣରେ ଜିଲ୍ଲା ପରିଷଦ ହିଁ ଶେଷ ନିଷ୍ପତି ଗ୍ରହଣ କରିବେ ବୋଲି କୁହାଯାଇଛି । ଯାହା ଫଳରେ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ହେବା ସହ ଉପଯୁକ୍ତ ପ୍ରାର୍ଥୀ ଚାକିରୀ ପାଇବାରୁ ବଂଚିତ ହେବେ । ଏହା ସହ ଜଣେ ଶିକ୍ଷକଙ୍କୁ ପ୍ରାୟ ନଅ ବର୍ଷ ଧରି ଯୋଜନା ଭିତିକ ଓ ଠିକା ଭାବରେ ଜିଲ୍ଲା ପରିଷଦଙ୍କ ଦୟାରେ ଗୋତି ଖଟିବାକୁ ହେବ । ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାର ସମସ୍ତ ପରିଚାଳନାକୁ ପର୍ଯ୍ୟାୟ କ୍ରମେ ଜିଲ୍ଲା ପରିଷଦ ଓ ପଂଜାୟତିରାଜ କୁ ହସ୍ତାନ୍ତର କରିବା ନିଷ୍ପତି ପ୍ରାଥମିକ ଶିକ୍ଷାର କବର ରଚନା କରିବ ବୋଲି ଏଆଇଡିଏସଓ ପକ୍ଷରୁ କୁହାଯାଇଛି । ଏଣୁ ଏହି ଶିକ୍ଷା ବିରୋଧୀ ଅଗଣତାନ୍ତ୍ରିକ ନିଷ୍ପତି ବିରୁଦ୍ଧରେ ଶକ୍ତିଶାଳୀ ପ୍ରତିରୋଧ ଆନ୍ଦୋଳନ ସଂଗଠିତ କରିବା ପାଇଁ ରାଜ୍ୟର ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଆଶାୟୀ ଶିକ୍ଷକ ତଥା ସର୍ବସ୍ତରର ଜନଗଣଙ୍କୁ ଏଆଇଡିଏସଓ ପକ୍ଷରୁ ଆହ୍ୱାନ ଦିଆଯାଇଛି ।