କନ୍ଧମାଳ :କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନରେ ଏକ ଆପ୍ରେଣ୍ଟିସିପ୍ ମେଳା ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ସାଲୁଙ୍କି ପାଇପ୍ସ୍ ଏଣ୍ଡ୍ ଟ୍ୟୁବସ୍ର ପରିଚାଳନା ନିର୍ଦ୍ଦେଶକ ନୀଳମାଧବ ମିଶ୍ର, ସମ୍ମାନିତ ଅତିଥି ଭାବେ କସମ୍ର ମ୍ୟାନେଜର ସଞ୍ଜୀବ କୁମାର ପଟ୍ଟନାୟକ ଓ ସରକାରୀ ଆଇଟିଆଇର ଅଧ୍ୟକ୍ଷ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇଥିଲେ ବେଳେ ଆଇଟିଆଇର ଶତାଧିକ ପାସ୍ ଆଉଟ୍ ପ୍ରଶିକ୍ଷାର୍ଥୀ ସାମିଲ ହୋଇଥିଲେ ।
ଆଇଆଇଟିରେ ପାଠପଢ଼ା ଓ ତାଲିମ୍ ସରିବା ପରେ ନିଜର କୌଶଳକୁ ଆହୁରି ଅଧିକ ଶାଣିତ କରିବା ସହିତ ଅଭିଜ୍ଞତା ହାସଲ କରିବାରେ ଆପ୍ରେଂଟିସିପ୍ କିପରି ସହାୟକ ହେବ ସେହି ବିଷୟରେ ଆଇଟିଆଇ ଅଧ୍ୟକ୍ଷ ବିସ୍ତୃତ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଜଣେ ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିବା ସହିତ ନିଜ ଅଂଚଳରେ ଉଦ୍ୟୋଗ ମାଧ୍ୟମରେ ବିକାଶ ଓ ବେକାରୀ ସମସ୍ୟା ଦୂରୀକରଣ କରିବାର ଗୁରୁମନ୍ତ୍ର ପ୍ରଦାନ କରିଥିଲେ ତଥା ନିଜ ସଂଘର୍ଷମୟ ଉଦ୍ୟୋଗୀ ଜୀବନ କଥା ବର୍ଣ୍ଣନା କରି ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ସମ୍ମାନୀତ ଅତିଥି ସଞ୍ଜୀବ କୁମାର ପଟ୍ଟନାୟକ କିପରି ଆପ୍ରେଂଟିସିପ୍ ଟ୍ରେନିଂ ନିଆଯାଏ ଓ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ନେଇଥିବା ଛାତ୍ରଛାତ୍ରୀ କିପରି ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ପାଉଛନ୍ତି ସେ ବିଷୟରେ ଆଲୋଚନା କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଦେବାଶିଷ ବ୍ରହ୍ମା ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଅନସୂୟା ଦାସ୍ ପ୍ରଶିକ୍ଷାର୍ଥୀଙ୍କ ପଞ୍ଜୀକରଣ କରିଥିଲେ, ଅଧ୍ୟାପକ ରଶ୍ମୀରଞ୍ଜନ ବିଶ୍ୱାଳ, ରଶ୍ମୀରଞ୍ଜନ ବେହେରା ଓ ସ୍ମୃତି ରଞ୍ଜନ ଦାଶ୍ ଅନଲାଇନ୍ ରେଜିଷ୍ଟ୍ରେସନ କରିଥିଲେ, ଅଧ୍ୟାପକ କୁମାର ଗୌରବ ମହାପାତ୍ର ଛାତ୍ରଛାତ୍ରୀଙ୍କୁ ଗାଇଡ୍ କରିଥିଲେ । ଆଇଟିଆଇ ର ସମସ୍ତ ଶିକ୍ଷକ ସହୋଯାଗ କରିଥିଲେ । ଆଇଟିଆଇର ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ଡ଼ଃ ନୃସିଂହାନନ୍ଦ ମହାପାତ୍ର କାର୍ଯ୍ୟକ୍ରମର ସାରାଂଶ ପୁନଃ ଉଚ୍ଚାରଣ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।