କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୈାରାଂଚଳର ମହିପାଳରେ ଅଲକେମିଷ୍ଟ ନାମକ ଏକ ଚିଟଫଣ୍ଡ କମ୍ପାନୀ କାର୍ଯ୍ୟାଳୟ ଖୋଲି ତାହାର ୪ଟି ସହଯୋଗୀ ସଂସ୍ଥା ଯଥା-ଅଲକେମିଷ୍ଟ କରପୋରେଶନ ଲିମିଟେଡ, ଅଲକେମିଷ୍ଟ ହୋଲଡିଂସ ଲିମିଟେଡ, ଅଲକେମିଷ୍ଟ ଇନଫୋ ରିଗାଡିଂ ଲିମିଟେଡ ଓ ଅଲକେମିଷ୍ଟ ଟାଉନସିପ୍ ଇଣ୍ଡିଆ ଲିମିଟେଡ ମାଧ୍ୟମରେ କେନ୍ଦ୍ରାପଡା ଜିଲ୍ଲାରୁ ଶହ ଶହ କୋଟି ଟଙ୍କା ଲୁଟି ନେଇ ଫେରାର୍ ହୋଇ ଯାଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ବିଭିନ୍ନ ଲୋଭନୀୟ ସ୍କିମ ମାଧ୍ୟମରେ ଟଙ୍କା ଜମା ରଖିଲେ ୬ ବର୍ଷରେ ଦୁଇ ଗୁଣ, ୯ ବର୍ଷରେ ତିନି ଗୁଣ ଓ ୧୨ ବର୍ଷରେ ୫ ଗୁଣ ତଥା ୧୬ ବର୍ଷରେ ୧୦ଗୁଣ ଟଙ୍କା ଫେରସ୍ତ ପାଇବେ ବୋଲି ପ୍ରତିଶୃତି ଦେଇ ଏହି କମ୍ପାନୀ କେନ୍ଦ୍ରାପଡା ଜିଲ୍ଲାର ସରଳ ଲୋକ ମାନଙ୍କୁ ଠକେଇ କରିଥିବା ଅଭିଯୋଗକାରୀ ମାନେ ଲିଖିତ ଭାବେ ଜଣାଇଛନ୍ତି । ମହିପାଳ ଟାଉନରେ ଏହି କମ୍ପାନୀ ୨୦୧୧ ମସିହା ସେପ୍ଟେମ୍ବର ମାସରେ ତାହାର କାର୍ଯ୍ୟାଳୟ ଖୋଲି ଟଙ୍କା ଆଦାୟ କରି ୨୦୧୬ ମସିହା ଠାରୁ ଉଭାନ ହୋଇ ଯାଇଛି । ଫଳରେ ଶହ ଶହ ଜମାକାରୀ ମାନେ ନିରାଶ ହୋଇ ସେମାନଙ୍କର ଜମା ଟଙ୍କା ଫେରସ୍ତ ପାଇବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଟଙ୍କା ଫେରସ୍ତ ପାଇବା ପାଇଁ ଏକ ଅଭିଯୋଗ ପତ୍ର ଡେପୁଟି କଲେକ୍ଟର ତଥା ଜିଲ୍ଲା ସବ ରେଜିଷ୍ଟାର ତୃପ୍ତି ମହାନ୍ତିଙ୍କୁ ପ୍ରଦାନ କରିଛନ୍ତି । ଏହା ସହ ଜମାକାରୀ ମାନେ ଯୋଗେନ୍ଦ୍ରେ କୁମାର ପାତ୍ର, ସମୀର ରାଉତ, ମନୋଜ କୁମାର ନାୟକ, ଉମାକାନ୍ତ ନାୟକ, ରାଜ କିଶୋର ନାୟକ ପ୍ରମୁଖ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିବା ଜଣାପଡିଛି ।