ଭୁବନେଶ୍ୱର : ପ୍ରଧାନ ମହଲେଖାକାର (ଲେଖା ଓ ହକଦାରୀ)ଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଓ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହଯୋଗରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆସନ୍ତା ୨୪ ତାରିଖରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ ହେବ । ଖୋର୍ଦ୍ଧା ଜିଲ୍ଲାର ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କର ବକେୟା ଅବସରକାଳୀନ ପ୍ରାପ୍ୟ ଯଥା ପେନସନ, ବାକି ଥିବା ଗ୍ରାଚୁଇଟି ଓ ଭବିଷ୍ୟନିଧି ପ୍ରାପ୍ୟ ପ୍ରଦାନ ନିମନ୍ତେ ଏହି ପେନସନ ଅଦାଲତ ଅନୁଷ୍ଠିତ ହେବ । ଉକ୍ତ ପେନସନ ଅଦାଲତରେ ପ୍ରଧାନ ମହାଲେଖାକାର, ଓଡିଶା (ଏ.ଜି ), ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହି ବକେୟା ଅବସରକାଳୀନ ପ୍ରାପ୍ୟ ପ୍ରଦାନ ପାଇଁ ତ୍ୱରିତ ପଦକ୍ଷେପ ନେବେ । ଇତି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ପେନସନ ମଂଜୁର କର୍ତ୍ତା ଓ ପେନସନରମାନଙ୍କୁ ଆବଶ୍ୟକ ପେନସନ କାଗଜପତ୍ର ସହ ଉପସ୍ଥିତ ରହିବାପାଇଁ ଏ.ଜି ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଅଦାଲତ ଦିନ ୧୦.୩୦ରୁ ଅପରାହ୍ନ ୫ଟା ପ୍ରଯ୍ୟନ୍ତ କାର୍ଯ୍ୟ କରିବ । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପେନସନ ମଂଜୁର କର୍ତାମାନେ ଅବସରପ୍ରାପ୍ତ କର୍ମଚାରୀ ଯେଉଁମାନଙ୍କର ବକେୟା ଅବସରକାଳୀନ ପ୍ରାପ୍ୟ ବିଭିନ୍ନ କାରଣରୁ ମଂଜୁର ହୋଇପାରିନାହିଁ ସେମାନଙ୍କର କାଗଜପତ୍ର ଏହି ଅଦାଲତରେ ଉପସ୍ଥାପନ କରିବାକୁ ଏ. ଜି କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି । ଯାହାଫଳରେ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ମଂଜୁର କରାଯାଇ ପାରିବ । ଅଧିକ ବିବରଣୀ ଜାଣିବା ପାଇଁ ସରୋଜ କୁମାର ବେହେରା, ବରିଷ୍ଠ ଲେଖାଧିକାରୀ ଓ ସହକାରୀ ଲେଖାଧିକାରୀ ଆଶୁତୋଷ ଦାସଙ୍କୁ ତାଙ୍କ ମୋବଇଲ ନମ୍ବର ୯୪୩୭୧୮୨୪୯୪/୯୪୩୭୩୮୭୩୨୨ ରେ ଯୋଗାଯୋଗ କରିବାକୁ ଏ. ଜି ପକ୍ଷରୁ ଅନୁରୋଧ କରାଯାଇଛି ।