କୋରେଇ : ସରକାରୀ ରାଜକୋଷରୁ ଅର୍ଥ ବ୍ୟୟ ହୋଇ ଅନେକ ଯୋଜନାରେ କୋଟି କୋଟି ଟଙ୍କାର ରାସ୍ତା ଘାଟ ନିର୍ମାଣ କାର୍ଯ୍ୟ ତଥା ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ଚାଲୁରହିଛି । କିନ୍ତୁ ଅନେକ ସ୍ଥାନରେ ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲେ ମଧ୍ୟ ପ୍ରଶାସନ କିମ୍ବା ସ୍ଥାନୀୟ ଜନପ୍ରତିନିଧିଙ୍କ ଦୃଷ୍ଟି ନ ପଡ଼ିବା ଏବେ ଜନସାଧାରଣଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି । ଏହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ୨୦ ନମ୍ବର ଜାତୀୟ ରାଜପଥ ର ପାଣିକୋଇଲି ଛକ ଠାରୁ ଯାଜପୁର ରୋଡ ପର୍ଯ୍ୟନ୍ତ । ଏହି ରାଜପଥରେ ଦୀର୍ଘ ଦିନ ହେବ ପ୍ରାୟ ୧୦ ରୁ ୧୨ ଗୋଟି ଛୋଟ ବଡ଼ ଖାଲ ମାନ ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ରାସ୍ତାର ଅବସ୍ଥା କହିଲେ ନ ସରେ । ଏହି ବିପର୍ଯ୍ୟସ୍ତ ରାସ୍ତା ଯୋଗୁଁ ଛୋଟ ଦୁଇ ଚକିଆ ଗାଡ଼ି ଯଥା ବାଇକ୍ ଠାରୁ ଆରମ୍ଭ କରି ଟ୍ରକ,ବସ ପର୍ଯ୍ୟନ୍ତ ଗାଡି ନାହିଁ ନଥିବା ଅସୁବିଧାରେ ପଡ଼ୁଛନ୍ତି । ଏହି ଛୋଟ ବଡ଼ ଖାଲି ଯୋଗୁଁ ବିଶେଷ କରି ବାଇକ୍ ଆରୋହୀ ତଥା ସାଇକେଲ ଆରୋହୀ ମାନେ ପ୍ରତ୍ୟେକ ଦିନ ଦୁର୍ଘଟଣା ର ଶିକାର ହେଉଛନ୍ତି । ଏହି ବିପର୍ଯ୍ୟସ୍ତ ୨୦ ନମ୍ୱର୍ ଜାତୀୟ ରାଜପଥ ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଛୋଟ ବଡ଼ ଗାଡ଼ି ଯାତାୟାତ କରିଥାନ୍ତି । ସୁକିନ୍ଦା, ଶିଳ୍ପ ନଗରୀ କଳିଙ୍ଗନଗର ସହ ପଡୋଶୀ କେନ୍ଦୁଝର ଜିଲ୍ଲାର ଖଣିଜ ପଦାର୍ଥ ପରିବହନ କ୍ଷେତ୍ରରେ ଏହି ୨୦ ନମ୍ବର ଜାତୀୟ ରାଜପଥ ର ଗୁରୁତ୍ୱ ଅନେକ । ଏହି ରାଜପଥ ଦେଇ ପ୍ରତିଦିନ ନେତା ମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତ ଗାଡ଼ି ଯା ଆସ କରୁଛନ୍ତି । ହେଲେ ରାଜପଥ ରେ ସୃଷ୍ଟି ହୋଇଥିବା ଏହି ବିପର୍ଯ୍ୟସ୍ତ ଛୋଟ ବଡ଼ ଖାଲ ଗୁଡ଼ିକ କିପରି କାହା ନଜର ରେ ପଡୁନି ନା ଜାଣିଶୁଣି ସମସ୍ତେ ଅଣଦେଖା କରି ଚାଲିଯାଉଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି କିଛି ମାସ ପୁର୍ବରୁ ଏହି ରାଜପଥ ରେ ପିଚୁ କାମ ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ କାର୍ଯ୍ୟ ସରିବାର ୬ ମାସ ପୂରିନଥିବା ବେଳେ ରାସ୍ତା ମରଣଯନ୍ତା ପାଲଟିଯାଇଛି । ଦିନ ସମୟରେ ଯାହା ଯେପରି ଭାବେ ଦୁଇ ଚକିଆ ଗାଡ଼ି ଗୁଡ଼ିକ ଯାତାୟାତ କରୁଥିବା ବେଳେ ରାତି ସମୟରେ ଦୁର୍ଘଟଣା ର ଚିନ୍ତା ବଢିଯାଉଛି । ରାତି ବେଳା ଅନେକ ସମୟରେ ରାସ୍ତା ମଝିରେ ଥିବା ଏହି ଛୋଟ ବଡ଼ ଖାଲ ଗୁଡ଼ିକ ରେ ବାଇକ ଆରୋହୀ ପଡି ଖଣ୍ଡିଆ ଖାବରା ହୋଇ ମେଡିକାଲ୍ ଯାଉଛନ୍ତି । ଯଦି ରାଜପଥ ର ଏଭଳି ପରିସ୍ଥିତି ତେବେ ଗାଁ ଗହଳି ରେ ଥିବା ରାସ୍ତାର ଅବସ୍ଥା କିପରି ହୋଇଥିବ ତାହା ସ୍ପଷ୍ଟ ଅନୁମେୟ । ଏଣୁ ତୁରନ୍ତ ପ୍ରଶାସନ ତଥା ଜାତୀୟ ରାଜପଥ ବିଭାଗ ଦୃଷ୍ଟି ଦେଇ ଜାତୀୟ ରାଜପଥ ରେ ସୃଷ୍ଟି ହୋଇଥିବା ଏହି ଛୋଟ ବଡ଼ ଖାଲ ଗୁଡ଼ିକୁ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି ।