ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ତାରିଖ ତୁରନ୍ତ ଘୋଷଣା ଦାବିରେ ଏବଂ କ୍ୟାମ୍ପସରେ ୫-ଟି ସଚିବ ଓ ବିଜେଡ଼ି ଦ୍ୱାରା ରାଜନୀତିକରଣ ବିରୋଧରେ ଏବିଭିପି ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଏବିଭିପିର ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି ସାରା ରାଜ୍ୟରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କୁ ୫ଟି ସଚିବ ନିଜ ବ୍ୟକ୍ତିଗତ କାର୍ଯ୍ୟକ୍ରମକୁ ଗାଡ଼ିରେ ବୋହି ଆଣି ପିଲାଙ୍କ ପାଠପଢ଼ା ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲୁଛନ୍ତି । ବର୍ତମାନର ମୁଖ୍ୟମନ୍ତ୍ରୀ ରବର ଷ୍ଟାମ୍ପ ସଦୃଶ ହୋଇଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ବଦଳରେ ୫ଟି ସଚିବ ଆଜି ଜନତା ମଇଦାନକୁ ଭୁବନେଶ୍ୱର ଓ ଖୋର୍ଦ୍ଧାର ବିଭିନ୍ନ କଲେଜରୁ ନୋଟିସ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଗାଡ଼ିରେ ବୁହାଇ ଆଣି କାର୍ଯ୍ୟକ୍ରମରେ ସାମିଲ କରିବା ସହ କ୍ୟାମ୍ପସ ସମସ୍ୟାର ସମାଧାନର ଆଶା ଦେଖାଇ ବର୍ଷାରେ ଘଂଟା ଘଂଟା ଛିଡ଼ା କରି ପିଲାଙ୍କୁ ହଇରାଣ କରିଛନ୍ତି । ଇତି ମଧ୍ୟରେ ବିଜୁ ଛାତ୍ର ଜନତା ଦଳର କର୍ମୀମାନେ ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଦଳରେ ଭର୍ତି କରିବା ପାଇଁ ବାଧ୍ୟ କରିଛନ୍ତି । ରାଜ୍ୟରେ ଆଜି ଶିକ୍ଷା ବ୍ୟବସ୍ଥା ସଙ୍କଟାପନ୍ନ, କ୍ୟାମ୍ପସରେ ଆଜି ବିଦ୍ୟାର୍ଥୀ ଅସୁରକ୍ଷିତ, ଅଣଛାତ୍ର ପ୍ରବେଶ, କ୍ୟାମ୍ପସରେ ହିଂସାସ୍ଥିତି ଆଦି ବିଷୟକୁ ସରକାର ବାରମ୍ବାର ଅଣଦେଖା କରୁଛନ୍ତି । ସରକାର ତୁରନ୍ତ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ । ଏହା ସଙ୍ଗେ ସଙ୍ଗେ କ୍ୟାମ୍ପସରେ ରାଜନୀତିକୁ ପ୍ରତ୍ୟକ୍ଷ ପ୍ରଶ୍ରୟ ଦେଉଥିବା ବିଜୁ ଛାତ୍ର ଜନତା ଦଳର କର୍ମୀ ଓ ୫ଟି ସଚିବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଏବିଭିପିର ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ ଦାବି କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଚଣ୍ଡୀ ପ୍ରସାଦ ସୁଆର, ରାଜ୍ୟ ସହ-ସମ୍ପାଦିକା ଦୀପ୍ତିମୟୀ ପ୍ରତିହାରୀ, ମହାନଗର ସମ୍ପାଦିକା ଜ୍ଜ୍ୱାଲଜାଖି ସାହୁ, କ୍ଷେତ୍ରୀୟ ସାମାଜିକ ଗଣମାଧ୍ୟମ ସଂଯୋଜକ ପ୍ରତ୍ୟୁଷ ରଞ୍ଜନ ଦାଶ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ବିଶ୍ୱଜିତ ପାତ୍ରଙ୍କ ସହ ଅନ୍ୟାନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।