ଜୟପୁର : ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ବିଭାଗ ପକ୍ଷରୁ ସୁନାବେଡ଼ା ପରିସରରେ ‘ସାମାଜିକ ବିଜ୍ଞାନ ଅନୁସନ୍ଧାନ ପାଇଁ ପ୍ରଭାବଶାଳୀ ଗବେଷଣା ପ୍ରସ୍ତାବ ପ୍ରସ୍ତୁତି’ ଶୀର୍ଷକ ଏକ ସ୍ୱତନ୍ତ୍ର ବକ୍ତୃତା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ବିଭାଗର ପ୍ରଫେସର ପ୍ରଦୀପ କୁମାର ପରିଡ଼ା ଏକ ସାରଗର୍ଭକ ବକ୍ତୃତା ପ୍ରଦାନ କରିବା ସହ ଏକାଡେମିକ ଗବେଷଣାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ । ସାମାଜିକ ବିଜ୍ଞାନ କ୍ଷେତ୍ରରେ ଶ୍ରେଷ୍ଠ ଗବେଷଣା କାର୍ଯ୍ୟ ପାଇଁ ଛାତ୍ରଛାତ୍ରୀ ଓ ଗବେଷକ ମାନେ ବିଭିନ୍ନ କୌଶଳ ଶିଖିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ପ୍ରଫେସର ସୁଧେନ୍ଦୁ ମଣ୍ଡଳ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ସଭାପତିତ୍ୱ ଭାଷଣ ଦେଇଥିଲେ । ଆସୋସିଏଟ୍ ପ୍ରଫେସର ତଥା ସମାଜବିଜ୍ଞାନ ବିଭାଗ ର ମୁଖ୍ୟ ଡ. କପିଳା ଖେମୁଣ୍ଡୁ ସ୍ୱାଗତ ଭାଷଣ ଦେବା ସହ ସ୍ୱତନ୍ତ୍ର ବକ୍ତୃତା ଆୟୋଜନ କରିବାର ସୁଯୋଗ ପ୍ରଦାନ କରିଥିବାରୁ ମାନ୍ୟବର କୁଳପତିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ପ୍ରଫେସର ପରିଡ଼ା ଏକାଡେମିକ ଗବେଷଣା କ’ଣ ତାହା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଏକ ଶୃଙ୍ଖଳିତ ଗବେଷଣା ଡିଜାଇନ୍ ଯାଂଚ ଯୋଗ୍ୟ ପ୍ରମାଣ, ସଠିକ ତଥ୍ୟ ଏବଂ ଶୃଙ୍ଖଳିତ ସୂଚନା ହାସଲ କରିବାରେ ସାହାଯ୍ୟ କରେ । ସେ ସାମାଜିକ ବିଜ୍ଞାନ ଗବେଷଣା, ବିଶ୍ୱସନୀୟତା ଏବଂ ପୂର୍ବାନୁମାନରେ ବାସ୍ତବତା ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ପ୍ରାକୃତିକ ବିଜ୍ଞାନ ତୁଳନାରେ ସାମାଜିକ ବିଜ୍ଞାନର ପୂର୍ବାନୁମାନ ବହୁତ କମ୍ ବୋଲି ସେ କହିଥିଲେ । ଉତମ ଗବେଷଣା ପ୍ରସ୍ତାବ ପ୍ରସ୍ତୁତି ଏବଂ ସାମାଜିକ ବିଜ୍ଞାନ ଗବେଷଣାର ଉଦ୍ଦେଶ୍ୟ ହେଉଛି ହାଇପୋଥିସିସ୍, ସମସ୍ୟା ପ୍ରସ୍ତୁତି, ନମୁନା, ଉପକରଣ ଏବଂ ସାମାଜିକ ବିଜ୍ଞାନ ଗବେଷଣା କୌଶଳ ପରିପ୍ରେକ୍ଷୀରେ ଆଲୋଚନା କରାଯାଇଥିବା କେତେକ ପ୍ରମୁଖ ବିଷୟ ବୋଲି ସେ ଗୁରୁତ୍ୱ ଦେଇଥିଲେ ।
ପ୍ରଫେସର ସୁଧେନ୍ଦୁ ମଣ୍ଡଳ ତାଙ୍କ ସଭାପତିତ୍ୱ ଭାଷଣରେ ଗବେଷଣାର ପ୍ରଭାବଶାଳୀ ପ୍ରକାଶନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି ଗବେଷଣାକୁ ଶ୍ରେଷ୍ଠ ପତ୍ରିକାରେ ପ୍ରକାଶ କରିବାକୁ ସେ ଗବେଷକ ମାନଙ୍କୁ ପରାମର୍ଶ ଦେଇଥିଲେ । ଯାହା ଦ୍ୱାରା ସମାଜ ଉପକୃତ ହୋଇପାରିବ ।
ଏହି କାର୍ଯ୍ୟକ୍ରମରେ ଏହି କାର୍ଯ୍ୟକ୍ରମରେ କୋଟସର ପ୍ରଫେସର ରବି ନାରାୟଣ ପାତ୍ର, ବିଶ୍ୱବିଦ୍ୟାଳୟର ପରିସଂଖ୍ୟାନ ବିଭାଗର ପ୍ରଫେସର ଶ୍ରୀଜିବ ଭୂଷଣ ବାଗଚୀ, ସମାଜବିଜ୍ଞାନ ଅଧ୍ୟାପକ ଡ. ଆଦିତ୍ୟ କେଶରୀ ମିଶ୍ର ଓ ଡ. ନୁପୁର ପଟ୍ଟନାୟକ, ଜନସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଙ୍କ ସମେତ ସମାଜବିଜ୍ଞାନ ବିଭାଗ ଓ ଅନ୍ୟାନ୍ୟ ବିଭାଗର ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସମାଜବିଜ୍ଞାନ ଏମଏ ଦ୍ୱିତୀୟ ବର୍ଷର ଛାତ୍ରୀ ହରପ୍ରିୟା ଦାଶ ପରିଚାଳନା କରିଥିବା ବେଳେ ବିପ୍ଲବ ମାଇତି ଧନ୍ୟବାଦ ଅର୍ପଣ କରିଥିବା ଡ. ଫଗୁନାଥ ଭୋଇ, ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।