ଭୁବନେଶ୍ୱର : ରାଜ୍ୟରେ ଓବିସିମାନଙ୍କୁ ରାଜ୍ୟରେ ନାମେଲଖା ଓ ନିଯୁକ୍ତି କ୍ଷେତ୍ରରେ ୨୭ଭାଗ ସ୍ଥାନ ସଂରକ୍ଷଣ ଓ ପଛୁଆବର୍ଗ କମିଶନଙ୍କ ଦ୍ୱାରା ସର୍ବେକ୍ଷଣ କରାଯାଇଥିବା ଜାତି ଜନଗଣନା ରିପୋର୍ଟ ପ୍ରକାଶନ ଦାବି କରି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ପଛୁଆବର୍ଗ କମିଶନଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଏକ ପାଂଚଞ୍ଚଜଣିଆ ପ୍ରତିନିଧି ଦଳ ଓବିସି କମିଶନର ପ୍ରଶାସନିକ ଅଧିକାରୀଙ୍କୁ ସାକ୍ଷାତ କରି ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସ୍ମାରକପତ୍ରରେ କୁହାଯାଇଛି ଯେ, ରାଜ୍ୟ ପଛୁଆବର୍ଗ କମିଶନଙ୍କ ପକ୍ଷରୁ ମଇ ୧ ତାରିଖରୁ ଜୁଲାଇ ୨୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଜାତିଗତ ସର୍ବେକ୍ଷଣ ଚାଲିଥିଲା । ଏହି ସର୍ବେକ୍ଷଣ ପ୍ରାୟ ୧ ମାସ ହେଲା ଶେଷ ହୋଇଥିଲେ ସୁଦ୍ଧା ପଛୁଆବର୍ଗ କମିଶନ ରିପୋର୍ଟ ପ୍ରକାଶ କରିନାହାନ୍ତି । କମିଶନରଙ୍କର ଏହି ଅବହେଳା ଯୋଗୁଁ ରାଜ୍ୟର ପଛୁଆବର୍ଗ ନିଯୁକ୍ତି ଓ ନାମଲେଖା କ୍ଷେତ୍ରରେ ୨୭ଭାଗ ସ୍ଥାନ ସଂରକ୍ଷଣ ପାଇବାରୁ ବଞ୍ଚିତ ହେବାରେ ଲାଗିଛନ୍ତି । ଏହି ସ୍ମାରକପତ୍ରରେ ଆହୁରି କୁହାଯାଇଛି ଯେ ରାଜ୍ୟରେ ୨ଲକ୍ଷ ୨୬ ହଜାର ୫୫୯ଟି ସରକାରୀ ଚାକିରୀ ଖାଲି ପଡ଼ିଛି । ରାଜ୍ୟ ସରକାର ବିଭିନ୍ନ ସମୟରେ ଏହି ସବୁ ପଦବୀରେ ନିଯୁକ୍ତି ଦେବାରେ ଲାଗିଛନ୍ତି । ଉଦାହରଣସ୍ୱରୂପ ନିକଟ ଅତୀତରେ ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ, ୭ହଜାର ୭ଶହ ଡାକ୍ତର ପଦବୀ, ୭ ହଜାର ୪୮୩ ନର୍ସିଂ ପଦବୀ ଓ ୧୧ ହଜାର ଶିକ୍ଷକଙ୍କୁ ଆଗାମୀ ଦିନରେ ନିଯୁକ୍ତି ପ୍ରଦାନ କରାଯିବ । କିନ୍ତୁ ବର୍ତମାନର ବିଜ୍ଞପ୍ତି ଅନୁଯାୟୀ ରାଜ୍ୟର ଓବିସିମାନେ ମାତ୍ର ୧୧.୨୫% ସଂରକ୍ଷଣ ପାଉଛନ୍ତି । ତେଣୁ ଖାଲି ପଡ଼ିଥିବା ୨ଲକ୍ଷ ୨୬ ହଜାର ୫୫୯ପଦବୀ ମଧ୍ୟରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଇଥିଲେ ରାଜ୍ୟର ପଛୁଆବର୍ଗ ୬୧ ହଜାର ପଦବୀରେ ନିଯୁକ୍ତି ପାଇଥାଆନ୍ତେ । କିନ୍ତୁ ବର୍ତମାନ ଓବିସି ବର୍ଗ ମାତ୍ର ୨୪ ହଜାର ୫୯୫ଟି ପଦବୀ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଫଳରେ ସେମାନେ ୩୫ ହଜାର ସରକାରୀ ଚାକିରୀ ହରାଇବାକୁ ଯାଉଛନ୍ତି । ସେହିଭଳି ୨୦୦୫-୦୬ ଶିକ୍ଷାବର୍ଷ ଠାରୁ କେନ୍ଦ୍ର ସରକାର ଆଇଆଇଟି, ଆଇଆଇଏମ୍, ଅଖିଳଭାରତ ଆର୍ୟୁବିଜ୍ଞାନ ସଂସ୍ଥା ଓ ଦିଲ୍ଲୀ ଜେ.ଏନ୍.ୟୁ, ବନାରସ ଭଳି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ନାମଲେଖା କ୍ଷେତ୍ରରେ ଓବିସି ଛାତ୍ରଛାତ୍ରୀଙ୍କୁ ୨୭ ଭାଗ ସ୍ଥାନ ସଂରକ୍ଷଣ ଦେଉଛନ୍ତି । କିନ୍ତୁ ଦୁଃଖର କଥା, ଓଡ଼ିଶା ସରକାର ରାଜ୍ୟର ଓବିସି ଛାତ୍ରଛାତ୍ରୀମାନଙ୍କୁ ନାମଲେଖା କ୍ଷେତ୍ରରେ କୌଣସି ସଂରକ୍ଷଣ ଦେଉନାହାଁନ୍ତି । ଫଳରେ କେବଳ ଚଳିତ ଶିକ୍ଷାବର୍ଷରେ ରାଜ୍ୟର ପଛୁଆବର୍ଗର ଛାତ୍ରଛାତ୍ରୀମାନେ ପାଖାପାଖି ୫୦୦ ମେଡିକାଲ୍ ସିଟ୍ ଓ ୨୦ ହଜାର ଇଂଜିନିୟରିଂ ସମେତ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ନାମଲେଖା କ୍ଷେତ୍ରରେ ହଜାର ହଜାର ସିଟ୍ ହରାଇଛନ୍ତି । ରାଜ୍ୟର ପଛୁଆବର୍ଗଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓବିସି କମିଶନ ନାମଲେଖା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆବର୍ଗଙ୍କୁ ୨୭ଭାଗ ସଂରକ୍ଷଣ ଦେବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସମାଜବାଦୀ ପାର୍ଟିର ଏହି ପ୍ରତିନିଧିମାନେ ଦାବି କରିଛନ୍ତି । ଏଠାରେ ଉଲ୍ଲେଖଥାଉକି, ରାଜ୍ୟର ପଞ୍ଚାୟତ, ଜିଲ୍ଲା ପରିଷଦ ଓ ମୁନିସିପାଲଟି ନିର୍ବାଚନ ମାନଙ୍କରେ ଓଡ଼ିଶାର ପଛୁଆବର୍ଗର ପ୍ରାର୍ଥୀମାନେ ୧୯୯୭ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ୨୭ଭାଗ ସ୍ଥାନ ସଂରକ୍ଷଣ ପାଇଆସୁଥିଲେ । କିନ୍ତୁ ଓବିସି ଜନଗଣନା ଆଳ ଦେଖାଇ ରାଜ୍ୟ ସରକାର ୨୦୨୨ ମସିହା ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନରେ ରାଜ୍ୟର ୫୨ଭାଗ ପଛୁଆବର୍ଗଙ୍କୁ ୨୭ଭାଗ ସଂରକ୍ଷଣ ଦେଲେନାହିଁ । ଫଳରେ ଏହି ବର୍ଗର ହଜାର ହଜାର ପ୍ରାର୍ଥୀ ତୃଣମୂଳ ସ୍ତରର ବିକାଶ ପ୍ରକ୍ରିୟାରୁ ବାଦ୍ ପଡ଼ିଗଲେ । ତେଣୁ ଏହି ପରିପ୍ରେକ୍ଷୀରେ ରାଜ୍ୟର ପଛୁଆବର୍ଗଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାର ଓ କମିଶନ ଯଦି ତୁରନ୍ତ ପଦକ୍ଷେପ ନ ନିଅନ୍ତି, ତାହେଲେ ରାଜ୍ୟର ପଛୁଆବର୍ଗ ରାଜରାସ୍ତାକୁ ଓହ୍ଲାଇ ନିଜର ସାମ୍ବିଧାନିକ ଅଧିକାର ଓ ହକ୍ ମାଗିବେ । ଯେଉଁଥିପାଇଁ ସରକାର ଦାୟୀ ରହିବେ ବୋଲି ଶ୍ରୀ ବେହେରା ସତର୍କ କରାଇ ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ପାର୍ଟିର କୋଷାଧ୍ୟକ୍ଷ ସଂଜୟ ନାୟକ, ନାରୀ ନେତ୍ରୀ ଅଲିଭା ରଥଶର୍ମା, କଳାହାଣ୍ଡିର ଯାଦବ ନେତା କୀର୍ତନ ନାୟକ ଓ ନଗେନ୍ ଦାସ ପ୍ରମୁଖ ଓବିସି କମିଶନଙ୍କ ପ୍ରଶାସନିକ ଅଧିକାରୀଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିଥିଲେ । କମିଶନର ଅଧ୍ୟକ୍ଷ ବିଚାରପତି ରଘୁନାଥ ବିଶ୍ୱାଳଙ୍କ ଅନୁପସ୍ଥିତିରେ କମିଶନର ପ୍ରଶାସନିକ ଅଧିକାରୀ ସ୍ମାରକପତ୍ରଟିକୁ ଗ୍ରହଣ କରି ଏହି ଦାବିଗୁଡ଼ିକ ସମୟରେ ମାନ୍ୟବର ଅଧ୍ୟକ୍ଷ ଓ ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିନିଧିଦଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।