ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ସ୍ଥିତିରେ ରହିଛି । ତେଣୁ ରାଜ୍ୟରେ ବଡ଼ ମୌସୁମୀ ବର୍ଷାର ସମ୍ଭାବନା ନାହିଁ । ତଥା ରାଜ୍ୟର ଉତର ଉପକୂଳ , ଦକ୍ଷିଣ ଓଡିଶାର କିଛି ଜିଲ୍ଲା ଏବଂ ଉତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଂଟା ମଧ୍ୟରେ ଉପକୂଳ, ଆଭ୍ୟନ୍ତରୀଣ, ଉତର ଓ ପଶ୍ଚିମ ଓଡ଼ିଶାର ୨୧ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଥିବା ବେଳେ ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ମଙ୍ଗଳବାର ଅପରାହ୍ନରେ ଏକ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ।
ଜାରି ସତର୍କ ସୂଚନା ଅନୁଯାୟୀ ୨୪ ଘଂଟା ମଧ୍ୟରେ ସୁନ୍ଦରଗଡ଼ , ଝାରସୁଗୁଡ଼ା ,ବରଗଡ଼,ସମ୍ବଲପୁର, ଦେବଗଡ଼,ଅନୁଗୁଳ,ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ,ବଲାଙ୍ଗୀର ,ସୋନପୁର, ବୌଦ୍ଧ,କଳାହାଣ୍ଡି, କନ୍ଧମାଳ,ରାୟଗଡ଼ା ଗଞ୍ଜାମ, ଗଜପତି,ଖୋର୍ଦ୍ଧା, ନୟାଗଡ଼,ପୁରୀ, କଟକ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ରାୟଗଡା, ଗଜପତି, କନ୍ଧମାଳ ,କେନ୍ଦୁଝର ଓ ମୟୂରଭଞ୍ଜ ପ୍ରଭୃତି ୫ଟି ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୧୧ସେମି)ର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।