ଭଦ୍ରକ : ଚଳିତବର୍ଷ ଯୋଡା ଶ୍ରାବଣ ମାସ ପଡିଥିବାରୁ ଆଜିର ୭ମ ସୋମବାରରେ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଆରଡି ଧାମର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ୨ ହଜାରରୁ ଉର୍ଦ୍ଧ୍ୱ କାଉଡିଆ ଭକ୍ତଙ୍କ ସମାଗମ ହୋଇଛି । ଏଥିସହ ପବିତ୍ର ଶ୍ରାବଣମାସର ଏହି ସୋମବାରରେ ମଣିବାବାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗିରହିଥିଲା । ଶୃଙ୍ଖଳିତ ଜଳାଭିଷେକ ଓ ଦର୍ଶନ ପାଇଁ ମନ୍ଦିର ଓ ଜିଲା ପ୍ରଶାସନ ପକ୍ଷରୁ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା ସହିତ ସ୍ୱତନ୍ତ୍ର ବ୍ୟାରିକେଡ୍ କରାଯାଇଥିଲା । ପୂର୍ବଦିନ ଅର୍ଥାତ୍ ରବିବାର ଠାରୁ ପୀଠର ସ୍ଥଳପଥ ଓ ଜଳପଥରେ ଚାଲି ଚାଲି ଆସୁଥିବା କାଉଡିଆ ଭକ୍ତଙ୍କ ଯାତାୟତ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ ୩ଟି ନଦୀଘାଟକୁ ସଜାଗ ରଖାଯାଇଥିଲା । ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ରବିବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ନଦୀଘାଟ ଗୁଡିକରେ ଡଙ୍ଗା ଚଳାଚଳ ବନ୍ଦ ରହିଥିଲା । ଡଙ୍ଗାରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ନଆଣିବା ପାଇଁ ଘାଟିଆଙ୍କୁ ତାଗିଦ କରିଥିଲା ପ୍ରଶାସନ । ଏଥିସହ ପ୍ରତି ଡଙ୍ଗାରେ ଲାଇଫ୍ ଜାକେଟ୍ ଓ ରବର ଟ୍ୟୁ ରଖିବାକୁ ପରାମର୍ଶ ଦିଆଯାଇଥିଲା । କାଉଡିଆ ଭକ୍ତଙ୍କ ଜଳାଭିଷେକ ପାଇଁ ଭୋର ୪ଟାରେ ଆଜି ପହଡ ଖୋଲିବା ପରେ କାଉଡିଆମାନେ ଲମ୍ବା ଧାଡିରେ ଯାଇ ମଣିବାବାଙ୍କ ଚଳନ୍ତି ପ୍ରତିମା ଶ୍ରାବଣୀ ମହାଦେବଙ୍କ ନିକଟରେ ଜଳାଭିଷେକ କରିଥିଲେ । ଅନ୍ୟପଟେ ମନ୍ଦିରର ରୀତିନୀତି ଅନୁସାରେ ମଙ୍ଗଳ ଆଳତି, ଘର୍ଷଣ ଲାଗି ଓ ଜଳାଭିଷେକ ସହ ଅନ୍ୟାନ୍ୟ ନୀତିକାନ୍ତି ଅପରାହ୍ନ ସୁଦ୍ଧା ସଂପୂର୍ଣ୍ଣ ହେବା ପରେ ବାବାଙ୍କୁ ବଡ ସିଂହାର ବେଶରେ ସଜ୍ଜିତ କରାଯାଇଥିଲା । ପରେ ସନ୍ଧ୍ୟା ଆଳତୀ ସହ ଅନ୍ୟ ନୀତି ସଂପନ୍ନ ହୋଇଥିଲା ।