ଭଦ୍ରକ : ଭଦ୍ରକ ଜିଲା ତିହିଡି ବ୍ଲକ ତାଳପାଦା ପଞ୍ଚାୟତ ଅଧୀନ ତାଳପଦା ଗ୍ରାମର ତରଣୀସେନ ଦାସ ନାମକ ଜଣେ ହିତାଧିକାରୀଙ୍କୁ ୬ମାସ ହେଲା ଭତ୍ତା ଟଙ୍କା ମିଳୁନାହିଁ । ତାଙ୍କ ଭତ୍ତା ଟଙ୍କା ଆଉଜଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଥିବା ସେ ଅଭିଯୋଗ କରିଛନ୍ତି । ବ୍ଲକ ଦିବ୍ୟାଙ୍ଗ ସଂଘର କର୍ମକର୍ତ୍ତାଙ୍କ ସହ ତରଣୀସେନ ସୋମବାର ବିଡିଓଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିବା ସହ ଭତ୍ତା ଟଙ୍କା ତାଙ୍କ ଆକାଉଣ୍ଟରେ ଜମା ହେବା ପାଇଁ ପଦକ୍ଷେପ ନେବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ଜଣାଇଛନ୍ତି । ଦିତାଧିକାରୀ ତରଣୀସେନ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟଭତ୍ତା ପାଉଥିଲେ । ମାତ୍ର ୬ମାସ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ସେ ବିଭିନ୍ନ ସମୟରେ ବ୍ୟାଙ୍କ ଠାରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ନିରାଶ ହେବା ପରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭେଟିଥିଲେ । ତାଙ୍କ ଭତ୍ତା ଟଙ୍କା ଜଣେ ମହିଳାଙ୍କ ଆକାଉଣ୍ଟକୁ ପଠାଯାଉଥିବା ସେହି ଅଧିକାରୀଙ୍କ ଠାରୁ ଜାଣିବା ପରେ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସେହି ହିତାଧିକାରୀଙ୍କ ସହ ବ୍ଲକ ଦିବ୍ୟାଙ୍ଗ ସଂଘର ସଭାପତି ରଞ୍ଜନ ପାଢୀ, ଯୁବ ସଭାପତି ଅଜୟ ପ୍ରଧାନ, ପଞ୍ଚାୟତ ସଂଯୋଜିକା ରୀନାରାଣୀ ଦାସ, ତ୍ରିଲୋଚନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ । ବିଡିଓ ଜ୍ୟୋତିର୍ମୟ କର ଏହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି ହିତାଧିକାରୀ ତରଣୀସେନଙ୍କୁ କହିଥିବା ଜଣାଯାଇଛି ।