ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଜାଲି ପଂଚାୟତ ଅନ୍ତର୍ଗତ ଜାଲି ଗ୍ରାମର ବିଶିଷ୍ଟ ସାହିତ୍ୟିକ, ଗବେଷକ ଡ଼କ୍ଟର କୃଷ୍ଣଚନ୍ଦ୍ର ନାୟକ (୭୧)ଙ୍କ ସୋମବାର ଭୋର ୩. ୩୦ମି. ସମୟରେ କଟକ ସନ ଘୋରୋଇ ହସପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ କିଛି ମାସ ହେବ ଅସୁସ୍ଥତା ହେତୁ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ଗ୍ରାମ ଜାଲି ସମେତ କେନ୍ଦୁଝରଗଡ଼ ସାହିତ୍ୟ ସଂସ୍କୃତି ମହଲ ରେ ଗଭୀର ଶୋକର ଲହରୀ ଖେଳିଯାଇଛି । ସେ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ରୁ ଓଡ଼ିଆ ବିଭାଗରୁ ଅବସର ନେବାପରେ ଉତ୍ତର ଓଡିଶା ଶ୍ରୀରାମ ଚନ୍ଦ୍ର ବିଶ୍ୱବିଦ୍ୟାଳୟ ର ସିଣ୍ଡିକେଟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ସେ ଜଣେ ଛାତ୍ର ବତ୍ସଳ ଅଧ୍ୟାପକ, ପରୋପକାରୀ, ଧର୍ମ ପରାୟଣ ବ୍ୟକ୍ତି ଭାବେ ସବୁରି ପ୍ରିୟ ଥିଲେ । କେନ୍ଦୁଝର ର ଲୋକ ନାଟକ, କେନ୍ଦୁଝର ଦର୍ଶନ କଥା ଓ କାହାଣୀ ଇତ୍ୟାଦି ପୁସ୍ତକ ଗ୍ରନ୍ଥ ର ସେ ରଚୟିତା । ଜାଲି ଗ୍ରାମ ମ୍ରେମେଦା ନଈକୂଳ ରେ ତାଙ୍କ ନିଜ ଜମିରେ ମୃତ ହାତୀ ଛୁଆର ସୃତିରେ ହାତୀ ମିନାର ଓ ମା ” ତାରା ତାରିଣୀ ମନ୍ଦିର ପ୍ରତିଷ୍ଠା କରି ପରିବେଶ ସଚେତନତା ପାଇଁ କାର୍ଯ୍ୟ କରି ଚାଲି ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ ଡ଼କ୍ଟର ଯଯାତି ନାୟକ, ବୋହୁ ସ୍ୱୟଂପ୍ରଭା ନାୟକ, ଝିଅ ପ୍ରଜ୍ଞାପାରମିତା, ଅପରାଜିତା ପ୍ରିୟଦର୍ଶିନୀ, ବିଚିସ୍ମିତା, ଜ୍ୱାଇଁ ଲକ୍ଷ୍ମୀଧର ନାୟକ, କ୍ଷୀରୋଦ ଚନ୍ଦ୍ର, ତପନ କୁମାର ଓ ଭଉଣୀ ସୁଷମା ନାୟକ ଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।
ପୁରୀ ସ୍ୱର୍ଗ ଦ୍ୱାର ଠାରେ ତାଙ୍କ ଦାହ ସଂସ୍କାର କରାଯାଇଥିଲା । ପୁତ୍ର ଯଯାତି ନାୟକ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରି ଭଣ୍ଡା, ସଂଜୀବନୀ ସାହିତ୍ୟ ସଂସଦ ର ସମ୍ପାଦକ ଡମ୍ବରୁ ମହାନ୍ତ, ବିଶିଷ୍ଟ ଫୁଟବଲ କୋଚ, ସଂଗଠକ ବୀରେନ୍ଦ୍ର ମହାନ୍ତ, ଜିଲ୍ଲା ପରିଷଦ ସଦସ୍ୟା ରମଣୀ ନାୟକ, ଲେଖକ, ସଂଗଠକ କୈଳାସ ଚନ୍ଦ୍ର ତନ୍ତୀ, କେନ୍ଦୁଝର ଖବର ସମ୍ପାଦକ ଦେବୀଶଙ୍କର ଦାଶ, ସାମ୍ବାଦିକ ତ୍ରିନାଥ ମହାନ୍ତ, ମିଳନୀ ସାହିତ୍ୟ ସଂସଦ, କେନ୍ଦୁଝର ର ସଭାପତି ଦେବାଶିଷ ଚକ୍ରବର୍ତ୍ତୀ, ସମ୍ପାଦକ ଡ଼କ୍ଟର ଚିତ୍ତ ମିଶ୍ର ଗଭୀର ଶୋକ ପ୍ରକାଶ କରି ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇ ଶ୍ରଦ୍ଧାଞ୍ଜଳି ଜଣାଇଥିବା ଜଣାଯାଇଛି ।