ଭୁବନେଶ୍ୱର : ବିଏମସି ଅଫିସ ଆଗରେ ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ନଂ ୬୩ ର କର୍ପୋରେଟର ସୁଜାତା ଛୋଟରାୟ ସେହି ଅଂଚଳର ବାସିନ୍ଦାଙ୍କ ସହ ଧାରଣାରେ ବସିଛନ୍ତି । ବିଜେପି କର୍ପୋରେଟର ହୋଇଥିବାରୁ ସେହି ୱାର୍ଡରେ ଜନସାଧାରଣଙ୍କ ମୌଳିକ ସୁବିଧା ଯୋଗାଇବା ପାଇଁ ଚେଷ୍ଟା କଲେ ମଧ୍ୟ ସ୍ଥାନୀୟ ମନ୍ତ୍ରୀଙ୍କ ଚାପରେ ଅଫିସର ମାନେ କାମ କରେଇଦେଉ ନାହାନ୍ତି । ଡ୍ରେନ ଓ ରାସ୍ତା କାମ ପାଇଁ ଟେଣ୍ଡର ଏବଂ ୱାର୍କ ଅଡର ସରି ଠିକାଦାର କାମ ଆରମ୍ଭ କଲା ବେଳେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନେତୃତ୍ୱରେ କିଛି ବିଜେଡିର କର୍ମୀ କାମ ବନ୍ଦ କରୁଥିବା କର୍ପୋରେଟର ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ଭତା ବଂଟନ, ଜାଗା ମିଶନରେ ପଟ୍ଟା ବଂଟନ, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ କର୍ପୋରେଟରଙ୍କୁ ଡକାଯାଉ ନଥିବା ଅଭିଯୋଗ ହୋଇଛି । ସଙ୍ଘୀୟ ବ୍ୟବସ୍ଥାରେ କର୍ପୋରେଟର ମାନଙ୍କ ଅଧିକାରକୁ ସରକାରୀ ଦଳ ଅବମାନନା କରୁଛି ଓ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବାଧକ ସୃଷ୍ଟି କରୁଛି । ଲୋକଙ୍କ ବିକାଶ କାମରେ ରାଜନୀତି ବନ୍ଦ କର । ୱାର୍ଡ ରେ କୌଣସି ବିକାଶ କାର୍ଯ୍ୟ ହେଉନାହିଁ ଏହାକୁ ନେଇ ବାରମ୍ବାର ମେୟର ଓ କମିଶନରଙ୍କୁ ଭେଟି ଜଣାଇବା ପରେ ମଧ୍ୟ ସମସ୍ତେ ନୀରବ ବୋଲି କର୍ପୋରେଟର ଶ୍ରୀମତୀ ଛୋଟରାୟ ଅଭିଯୋଗ କରିଛନ୍ତି ।