କାଠମାଣ୍ଡୁ : ନେପାଳରୁ ଭାରତକୁ ପିଲା ଚାଲାଣ ବେଳେ ସୀମାନ୍ତରେ ଧରାପଡିଲେ ଯୁବକ । ରବିବାର ଦିନ ନେପାଳରୁ 2ଜଣ ପିଲାଙ୍କୁ ଚୋରି କରି ଭାରତକୁ ଆଣୁଥିବା ସୀମବର୍ତ୍ତୀ ଅଞ୍ଚଳ ଦକ୍ଷିଣ ଝଟକୈୟାର ଆଗରେ ଥିବା ବର୍ଡର ଆଉଟ ପୋଷ୍ଟରେ ସଶସ୍ତ୍ର ବାହିନୀ ଜଣେ ଯୁବକଙ୍କୁ ଗିରଫ କରିଛନ୍ତି । ସଶସ୍ତ୍ର ପ୍ରହରୀ ବଳର ଡିଏସପି ଶୈଳେନ୍ଦ୍ର ଥାପାଙ୍କ ସୂଚନା ମୁତାବକ ଗିରଫ ଅଭିଯୁକ୍ତ ଜଣକ ତବରେଜ ଆଲମ ଏବଂ ସେ ଭାରତର ନାଗରିକ । ତବରେଜ ବିହାରର ପୂର୍ବରେ ଥିବା ଚମ୍ପାରଣ ଜିଲ୍ଲାର ଆଦାପୁରର ବାସିନ୍ଦା ବୋଲି ସୂଚନା ମିଳିଛି ।
ନେପାଳର ସୀମାନ୍ତବର୍ତ୍ତୀ ଜିଲ୍ଲା ବାରାରେ ଘଟିଛି ଏଭଳି ଘଟଣା । ଅଭିଯୁକ୍ତ ଜଣକ ଜିଲ୍ଲାର ଦେବପାଳ ଗାଁରୁ ଶିବଙ୍କ ପୂଜାରୀଙ୍କର ନଅ ମାସର ଝିଅ ଲକ୍ଷ୍ମୀ ଓ ପ୍ରେମଚାନ୍ଦଙ୍କର 2 ବର୍ଷୀୟ ପୁଅ ସତ୍ୟମଙ୍କୁ ବସ୍ତାରେ ପୂରାଇ ନେଇଯାଉଥିଲା । ତେବେ ବର୍ଡର ଆଉଟ ପୋଷ୍ଟରେ ଚେକିଂ ସମୟରେ ବସ୍ତାରୁ କାନ୍ଦିବାର ଶବ୍ଦ ଶୁଭିଥିଲା । ଏହାପରେ ଅଭିଯୁକ୍ତଙ୍କ ପଚରାଉଚରା କରାଯାଇଥିଲା । ଏବଂ ପଚରାଉଚରା ସମୟରେ ସେ ସତ ମାନିବା ସହ ନିଜ ଭୁଲ ସ୍ୱୀକାର କରିଥିଲା ।