ଦସେଲଡୋର୍ଫ : ଜର୍ମାନୀ ଗସ୍ତରେ ଥିବା ଭାରତୀୟ କନିଷ୍ଠ ମହିଳା ହକି ଦଳ ଚଳିତ ଚତୁର୍ରାଷ୍ଟ୍ରୀୟ ପ୍ରତିଯୋଗିତାରେ ରବିବାର ଇଂଲଣ୍ଡ ସହ ପଏଣ୍ଟ ବାଣ୍ଟିଛି । ଏହି ମ୍ୟାଚ ୩-୩ ଗୋଲରେ ଶେଷ ହୋଇଛି । ପ୍ରଥମ ୩ କ୍ୱାର୍ଟରରେ ପଛୁଆ ଥିବା ଭାରତ ଶେଷ କ୍ୱାର୍ଟରରେ ଇଂଲଣ୍ଡଠୁ ପଏଣ୍ଟ ଛଡାଇ ନେଇଥିଲା । ଭାରତ ପାଇଁ ହିନା ବାନୋ ( 6 ମିନିଟ) , ରୁତୁଜା ଦାଦାସୋ ପିସଲ(49 ମିନିଟ) ଓ ମୁମତାଜ ଖାନ (53 ମିନିଟ) ଗୋଟିଏ ଗୋଟିଏ ଗୋଲ୍ କରିଥିଲେ । ସେହିପରି ଇଂଲଣ୍ଡ ତରଫରୁ ହୁରେ ମାର୍ଥା( 4,19 ମିନିଟ) ଓ ଅଲେକଜାଣ୍ଡର ବେଥ (9ମିନିଟ) ଗୋଲ କରିଥିଲେ ।
ଇଂଲଣ୍ଡ ପକ୍ଷରୁ ମଜବୁତ ଭାବେ ମ୍ୟାଚର ଆରମ୍ଭ କରାଯାଇଥିଲା । ହୁରେ ମାର୍ଥା 4 ମିନିଟ ଖେଳରେ ଫିଲ୍ଡ ଗୋଲ କରି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ତେବେ ଭାରତ ତୁରନ୍ତ ଏହାର ଜବାବ ଦେଇ ହିନା ବାନୋ 6ମିନିଟରେ ମୈଦାନୀ ଗୋଲ କରିଥିଲେ । ଆଲେକଜାଣ୍ଡର ବେଥ 9 ମିନିଟରେ ପେନାଲଟି କର୍ଣ୍ଣରର ସଫଳତାପୂର୍ବକ ଗୋଲ୍ କରିଥିଲେ । ପ୍ରଥମ କ୍ୱାର୍ଟରରେ ଇଂଲଣ୍ଡ 2-1 ଗୋଲରେ ଆଗୁଆ ଥିଲା ।
ଏହାପରେ ଭାରତ ପକ୍ଷରୁ ସ୍କୋରକୁ ବରାବର କରିବା ପାଇଁ ବାରମ୍ବାର ପ୍ରୟାସ କରାଯାଇଥିଲା । ଏବଂ ଲଗାତର ଆକ୍ରମଣ ଭାବେ ଖେଳାଯାଇଥିଲା । ମ୍ୟାଚର 19 ମିନିଟରେ ହୁରେ ମାର୍ଥା ନିଜର ଦ୍ୱିତୀୟ ଗୋଲ କରି ଇଂଲଣ୍ଡକୁ 3-1 ଗୋଲରେ ଆଗକୁ କରିଥିଲେ । ମଧ୍ୟାନ୍ତର ପର୍ଯ୍ୟନ୍ତ ଇଂଲଣ୍ଡ 3-1ରେ ଆଗୁଆ ଥିଲା ।