ବଲାଙ୍ଗିର : ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ଜ଼ିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ସଭାପତିତ୍ଵରେ ଗତକାଲି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନକଲି ଆଦିବାସୀ କର୍ମଚାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ରାଜ୍ୟସ୍ତରୀୟ ଯାଞ୍ଚ କମିଟିର ଅଧ୍ୟକ୍ଷ ତଥା ଉତ୍ତରାଞ୍ଚଳ ରାଜସ୍ବ କମିଶନର ସମ୍ବଲପୁର ଟାଳଟୁଳ ନୀତି ଅବଲମ୍ବନ ନ କରି ତ୍ଵରାନ୍ବିତ କରିବାକୁ ଦାବୀ କରାଯାଇଛି। ଅଣ- ଆଦିବାସୀଙ୍କ ଜବରଦଖଲରେ ଥିବା ଆଦିବାସୀ ମାନଙ୍କ ଜମି ଫେରସ୍ତ, ଜମି ହସ୍ତାନ୍ତର ଅନୁମତି ବନ୍ଦ, ଆଦିବାସୀ ଏବଂ ଅନ୍ୟାନ୍ୟ ବନବାସୀଙ୍କ ଜଙ୍ଗଲ ଜମି ଅଧିକାର ସ୍ଵୀକୃତି ଆଇନ ଅନୁସାରେ ଜଙ୍ଗଲ ଜମି ର ପଟ୍ଟା ପ୍ରଦାନ, ବେଛାପରି ଗାଁ ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ଗୁଡିକରେ ସିଟ ର ଅଭାବ ହେଉଛି, ତେଣୁ ସିଟ ବୃଦ୍ଧି, ଏଟ୍ରୋସିଟି କେଶ ରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା, କେନ୍ଦୁପତ୍ରରୁ ଜିଏସଟି ପ୍ରତ୍ୟାହାର କରିବା, ଟିଟିଲାଗଡ଼ ବ୍ଲକ, ବଙ୍ଗୋମୁଣ୍ଡା, ବଲାଙ୍ଗିର ବ୍ଲକ, ଲୋଇସିଂହା ବ୍ଲକ, ଆଗଲପୁର ବ୍ଲକ, ପୁଇଁତଲା ବ୍ଲକକୁ ସ୍ଵତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ କରିବା ପାଇଁ ଆଲୋଚନା କରାଯାଇଥିଲା। ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଆଶ୍ରମ, ସେବାଶ୍ରମ କନ୍ୟାଶ୍ରମ ଗୁଡିକରେ ସିଟ ସଂଖ୍ୟା ବୃଦ୍ଧି କରିବା, ହଷ୍ଟେଲ ସଂଖ୍ୟା ବୃଦ୍ଧି କରିବା, ଶିକ୍ଷକ ପଦବୀ ପୂରଣ କରିବା, ଆଦିବାସୀ ମାନଙ୍କ ପାଇଁ ଖାଲି ପଡ଼ିଥିବା ପଦବୀ ଗୁଡିକୁ ସ୍ଵତନ୍ତ୍ର ନିଯୁକ୍ତି ପ୍ରକ୍ରିୟାରେ ପୂରଣ କରିବା ପାଇଁ ସଭାରେ ଦାବୀ କରିବା ସହ ଆନ୍ଦୋଳନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।
ବୈଠକରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସ୍ଵତନ୍ତ୍ର ଅତିଥି ଭାବରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜ ମୋହନ ବିଶି, ସାଧାରଣ ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ଜ଼ିଲ୍ଲା କାର୍ଯ୍ୟକାରୀ ସଭାପତି ବନଲତା ମାଝି, ବ୍ଲକ ସଭାପତି ଭୁବନେଶ୍ଵର କୁଅଁର ପାଟଣାଗଡ, ଦଶରଥ ଛତ୍ରିଆ ଲୋଇସିଂହା, ବ୍ଲକ ସଭାପତି ନିମାଇଁ ଝାଙ୍କର ବଲାଙ୍ଗିର, ସନ୍ତୋଷ ପୁଟା ସଇଁତଳା, ରସିକ ଧରୁଆ ବେଲପଡା, ମନରଞ୍ଜନ ଭୋଇ ବଙ୍ଗୋମୁଣ୍ଡା, ରାଜୀବ କୁଅଁର ମୁରିବାହାଲ, ବରୁଣଚନ୍ଦ୍ର ଭୋଇ ଆଗଲପୁର, ବ୍ଲକ କାର୍ଯ୍ୟକାରୀ ସଭାପତି ଭୁବନେଶ୍ଵର ଧରୁଆ, ଦେଓଗାଁ ବ୍ଲକ କାର୍ଯ୍ୟକାରୀ ସଭାପତି ସୁରଥ ଧରୁଆ, ଟିଟିଲାଗଡ଼ କାର୍ଯ୍ୟକାରୀ ସଭାପତି ଦେବସିଂ ମାଝି, ଜ଼ିଲ୍ଲା କୋଷାଧ୍ୟକ୍ଷ ପ୍ରଫୁଲ୍ଲ ତୁମୁନିଆଁ ପ୍ରମୁଖ ମଞ୍ଚାସିନ ଥିଲେ। ଗିରିଧାରୀ ଭୋଇ, ଥବିର ପୁଝାରୀ, ନିତ୍ୟାନନ୍ଦ ମାଝି, ପାଲା ଭୋଇ, ଅଚ୍ୟୁତ ଧରୁଆ, ଟଙ୍କଧର ଧରୁଆ, ମାହେଶ୍ଵରୀ ମାଝି, ପତ୍ରଙ୍ଗୀ ମାଝି, ସାରଥୀ ବାଗ, ଘନ ଭୋଇ, ମଧୁ ବିଶ୍ଵାଳ, ରାଜ ଭୋଇ, ବିକ୍ରମ ଭୋଇ, ଭୁବନ ମାଝି, ଜଗଜୀବନ ଭୋଇଙ୍କ ସହିତ ଚଉଦଟି ବ୍ଲକ ର କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ।