(ଜଗଦାନନ୍ଦ ପ୍ରଧାନଙ୍କଠାରୁ) : ଦୀର୍ଘ 47 ବର୍ଷ ପରେ ରୁଷିଆ ଆରମ୍ଭ କରିଥିବା ଚନ୍ଦ୍ର ମିଶନ ଶେଷରେ ବିଫଳ ହୋଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାକୁ ଯାଉଥିବା ରୁଷିଆର ମହାକାଶଯାନ ‘ଲୁନା -25’ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇ ଚନ୍ଦ୍ରପୃଷ୍ଠକୁ ଖସି ପଡିଛି । ରୁଷିଆର ସ୍ପେସ୍ ଏଜେନ୍ସି ରସକୋମୋସ୍ ପକ୍ଷରୁ କୁହାଯାଇଛି ଯେ ଲୁନା -25 ଶନିବାର ଦିନ ଚନ୍ଦ୍ରଠାରୁ ଏହାର ଦୂରତା ହ୍ରାସ କରିବା ପ୍ରକ୍ରିୟା ଚାଲିଥିବାବେଳେ ଏକ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା ଏବଂ ଏହା ପରେ ସେ ସମ୍ପର୍କ ହରାଇଥିଲା । ରୁଷିଆର ଏହି ମହାକାଶ ଯାନ ଲୁନା-25 ସୋମବାର ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିବାର ଥିଲା।ତେବେ ଏହା କ୍ରାସ ହୋଇ ଚନ୍ଦ୍ର ପୃଷ୍ଠକୁ ଖସି ପଡିତିଲା ।ସେ ପଟେ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ପୋଲ୍ ଉପରେ ଭାରତର ଚନ୍ଦ୍ରଯାନ-3 ଏକ ସଫ୍ଟ ଲ୍ୟାଣ୍ଡିଂ କରିବ । ଭାରତର ଏହି ଚନ୍ଦ୍ରଯାନ -3 ଉପରେ ସମଗ୍ର ବିଶ୍ବର ଆଖି ଏବେ ରହିଛି। ଏଥିରେ ସଫଳତା ପାଇଲେ ଭାରତ ଇତିହାସ ସୃଷ୍ଟି କରିବ ।ହେବ, କାରଣ ଆଜି ପର୍ଯ୍ୟନ୍ତ କୌଣସି ଦେଶର ମହାକାଶଯାନ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିପାରି ନାହାଁନ୍ତି।
ଆସନ୍ତୁ ଜାଣିବା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା କାହିଁକି କଷ୍ଟକର? ଚନ୍ଦ୍ରରେ ଅବତରଣ କରିବାକୁ ଅନେକ ପ୍ରକ୍ରିୟାକୁ ଏକ ସମୟରେ ସଠିକ୍ ପରିଚାଳନା କରାଯିବାର ଆବଶ୍ୟକତା ରହିଛି । ଚନ୍ଦ୍ରରେ ଅବତରଣ କରିବା ପାଇଁ ପିନପଏଣ୍ଟ ନେଭିଗେସନ୍ ଗାଇଡ୍, ସଠିକ୍ ଗତିଶୀଳତା ଊପରେ ଅନୁଧ୍ୟାନ, ସଠିକ୍ ସମୟରେ ଥ୍ରଷ୍ଟର ଆକ୍ଟିଭେସନ୍ ଏବଂ ସଠିକ୍ ସମୟରେ ଥ୍ରଷ୍ଟର ହ୍ରାସ ଅନ୍ତର୍ଭୁକ୍ତ । ଯଦି ଏହି ପ୍ରକ୍ରିୟାରେ କୌଣସି ଗୋଟିକରେ ସମସ୍ୟା ଊପୁଜେ ତେବେ ଏହି ମିଶନ ବିଫଳ ହୋଇପାରେ । ଯେତେବେଳେ ବି କୌଣସି ଏକ ମହାକାଶଯାନ ଚନ୍ଦ୍ରରେ ଅବତରଣ କରେ ତାହା ଏକ ପ୍ରକାରରେ ତଳକୁ ଖସିଥାଏ । କିନ୍ତୁ ଏହି ସମୟରେ ଥ୍ରଷ୍ଟରକୁ ସିଧା ଚଲାଇବା ଦ୍ୱାରା ମହାକାଶଯାନର ପତନର ଗତି ହ୍ରାସ କରାଇଥାଏ ।
ଜଣେ ବରିଷ୍ଠ ଆଇଏସଆରଓ ବୈଜ୍ଞାନିକ କହିଛନ୍ତି ଯେ, ଯେତେବେଳେ ଲ୍ୟାଣ୍ଡର୍ ପ୍ରପୁଲସନ୍ ମଡ୍ୟୁଲ୍ ଠାରୁ ଅଲଗା ହୁଏ, ଏହା ଧୀରେ ଧୀରେ ଚନ୍ଦ୍ର ପୃଷ୍ଠକୁ ନିକଟତର ହେବାକୁ ଲାଗେ । ଏହି ସମୟରେ ଏହାର ତଳକୁ ଯିବା ଏବଂ ନିର୍ଦ୍ଦିଷ୍ଟ ଦିଗ ଆଡକୁ ଯିବାକୁ ନିୟନ୍ତ୍ରିତ କରାଯାଇଥାଏ । ସଫ୍ଟ ଲ୍ୟାଣ୍ଡିଙ୍ଗ୍ ପାଇଁ ଲ୍ୟାଣ୍ଡରର ଗତି ପ୍ରତି ସେକେଣ୍ଡରେ ତିନି ମିଟର ହ୍ରାସ ହେବା ଆବଶ୍ୟକ । ଏହି ଗତି ପାଇଁ ଥ୍ରଷ୍ଟର ଇଞ୍ଜିନ୍ ଚାଲୁ କରାଯାଇଥାଏ । ଚଳିତ ବର୍ଷ ଜାପାନର ହାକୁଟୋ-ଆର ଲ୍ୟାଣ୍ଡର ଭୁଲ ଗଣନା ହେତୁ ଏହା ଠିକ୍ ସମୟରେ ମନ୍ଥର କରିବାରେ ବିଫଳ ହୋଇଥିଲା ଯାହା ଦ୍ୱାରା ଏହା ଚନ୍ଦ୍ର ପୃଷ୍ଠରେ କ୍ରାସ ଲ୍ୟାଣ୍ଡିଂ କରିଥିଲା।
ଚନ୍ଦ୍ରଯାନ-3ର ଲ୍ୟାଣ୍ଡର ବିକ୍ରମ ବର୍ତ୍ତମାନ ଚନ୍ଦ୍ରର ଅତି ନିକଟତର। ଇସ୍ରୋ ପକ୍ଷରୁ ଶୁକ୍ରବାର ଅପରାହ୍ନ 4ଟାରେ ଏହାର ‘ଡିବୁଷ୍ଟିଂ’ ପ୍ରକ୍ରିୟା ବା ଗତି ହ୍ରାସ କରିବାର ପ୍ରକ୍ରିୟା ସଂପୂର୍ଣ୍ଣ ସଫଳ ହୋଇଛି। ପୂର୍ବରୁ ଚନ୍ଦ୍ରଯାନ-3ର ଲ୍ୟାଣ୍ଡର ଏହାର ପ୍ରପ୍ୟୁଲସନ ମଡ୍ୟୁଲ୍ ଠାରୁ ଅଲଗା ହୋଇଥିଲା। ଏବେ ଊଭୟ ଲ୍ୟାଣ୍ଡର “ବିକ୍ରମ” ଏବଂ ରୋଭର “ପ୍ରଜ୍ଞା” ଚନ୍ଦ୍ରର କକ୍ଷପଥରେ ରହିଛନ୍ତି। ଏହା ବର୍ତ୍ତମାନ ଚନ୍ଦ୍ର ପୃଷ୍ଠଠାରୁ ଅତି ନିକଟତର 25 କିଲୋମିଟର ଦୂରରେ ରହିଛି ଏବଂ 100 କିଲୋମିଟର ଅତି ଦୂରରେ ବୃତ୍ତାକାର କକ୍ଷପଥରେ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ତ୍ତମାନ ଲ୍ୟାଣ୍ଡର ଅଟୋମେଟେଡ ମୋଡ ବା ସ୍ୱୟଂଚାଳିତ ମୋଡରେ ରହିଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ଲ୍ୟାଣ୍ଡର ବର୍ତ୍ତମାନ ଏହାର ନିଜ ବୁଦ୍ଧି ବଳରେ କାର୍ଯ୍ୟ କରିବ। ଅର୍ଥାତ ଏହା ଏହାର ନିଜସ୍ବ ତଥ୍ୟ ସଂଗ୍ରହ କରି ନିଜର ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରିବ…..। ଯେମିତିକି ଏହା କେଉଁ ସ୍ଥାନରେ ଅବତରଣ କରିବ ଓ କିପରି ଅବତରଣ କରିବ ସେ ନେଇ ଏହା ନିଜେ ନିଜର ନିଷ୍ପତ୍ତି ନେବ। ଏବେ ଆଉ ସେ ଗ୍ରାଉଣ୍ଡ ଷ୍ଟେସନରୁ କୌଣସି ପ୍ରକାରର ସାହାଯ୍ୟ ଆବଶ୍ୟକ କରିବ ନାହିଁ ।
ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ର ପୂର୍ବତନ ଅଧ୍ୟକ୍ଷ କେ ସିଭାନ୍ କହିଛନ୍ତି ଯେ ଡିବୁଷ୍ଟିଂ ପ୍ରକ୍ରିୟା ପରେ ଲ୍ୟାଣ୍ଡର ‘ସ୍ୱୟଂଚାଳିତ ମୋଡ୍’ରେ ରହିବ। ସେ କହିଛନ୍ତି ଯେ ଏହାର ନିୟନ୍ତ୍ରଣ ପାଇଁ ଗ୍ରାଊଣ୍ଡ ଷ୍ଟେନରୁ ଆଊ କୌଣସି ନିର୍ଦ୍ଦେଶକୁ ଅପେକ୍ଷା କରିବ ନାହିଁ। ପୂର୍ବତନ ଇସ୍ରୋ ମୁଖ୍ୟ କହିଛନ୍ତି ଯେ ଲ୍ୟାଣ୍ଡରରେ ସ୍ଥାପିତ ସେନସର ଏବଂ ଅନ୍ୟାନ୍ୟ ସିଷ୍ଟମ ବା ପ୍ରଣାଳୀ ସାହାଯ୍ୟରେ ଏହା ଏହାର ବୁଦ୍ଧି ଅନୁଯାୟୀ ଏହା କାର୍ଯ୍ୟ କରିବ। ସିଭାନ୍ କହିଛନ୍ତି ଯେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ସମୟରେ ଲ୍ୟାଣ୍ଡର ବେଗକୁ ପ୍ରତି ସେକେଣ୍ଡରେ 2 କିଲୋମିଟରରୁ ସମ୍ପୂର୍ଣ୍ଣ ଶୂନକୁ ହ୍ରାସ କରିବାକୁ ପଡିବ। ଏହା ଏକ ସୂକ୍ଷ୍ମ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ହେବ ବୋଲି ସେ କହିଛନ୍ତି।ଲ୍ୟାଣ୍ଡର ବିକ୍ରମର ଆଉ ଏକ ଶେଷ ଡିବୁଷ୍ଟିଂ ବା ଗତିକୁ ଅଗଷ୍ଟ 20 ରେ ସକାଳ 2 ଟା ସମୟରେ ହ୍ରାସ କରାଯିବ। ତା’ପରେ ଏହା ଏହାର କକ୍ଷପଥକୁ ପରିବର୍ତ୍ତନ କରାଯିବ।ତାପରେ ଚନ୍ଦ୍ର ପୃଷ୍ଠରେ ଏହା ଅତି ନିକଟତର ହେବ। ଅଗଷ୍ଟ 23 ରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁ ଉପରେ ସଫ୍ଟ ଲ୍ୟାଣ୍ଡି କରିବ ବୋଲି ଆଶା କରାଯାଉଛି। କେ. ସିଭାନ୍ କହିଛନ୍ତି ଯେ ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ ବା ଅବତରଣର ପ୍ରାୟ 2 ଘଣ୍ଟା ପରେ ବିକ୍ରମ ଭିତରୁ ରୋଭର ‘ପ୍ରଜ୍ଞା’ ବାହାରକୁ ଚାଲି ଆସିବ। ଚନ୍ଦ୍ର ପୃଷ୍ଠରେ ବୁଲି ବୁଲି ଏହା ତଥ୍ୟ ବା ଡାଟା ସଂଗ୍ରହ କରିବ। ସିଭାନ୍ କହିଛନ୍ତି ଯେ ଚନ୍ଦ୍ରଯାନ-3 ମିଶନରେ ସମସ୍ତ ତ୍ରୁଟି ଏଥର ହଟାଇ ଦିଆଯାଇଛି ଏବଂ ପୁରା ସିଷ୍ଟମ ବା ପ୍ରଣାଳୀକୁ ଅପଗ୍ରେଡ କରାଯାଇଛି। ପ୍ରପ୍ୟୁଲସନ,ଗାଇଡାନସ ଏବଂ ନିୟନ୍ତ୍ରଣ ପ୍ରଣାଳୀକୁ ସଂପୂର୍ଣ୍ଣ ଉନ୍ନତ କରାଯାଇଛି ।ଏଥିରେ କିଛି ନୂତନ ଜିନିଷ ଯୋଡି ହୋଇଛି ଯାହା ଚନ୍ଦ୍ରଯାନ-2ରେ ନଥିଲା।
ଜୁଲାଇ 14ତାରିଖରେ ଚନ୍ଦ୍ରଯାନ-3କୁ ଊତକ୍ଷେପଣ କରାଯିବାପରେ ଏହା ଅଗଷ୍ଟ 5 ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା। ଲ୍ୟାଣ୍ଡର୍ ବିକ୍ରମ ବର୍ତ୍ତମାନ ଚନ୍ଦ୍ର ନିକଟରେ କକ୍ଷପଥରେ ରହିଛି ଏବଂ ଏହାରି ଭିତରେ ରୋଭର ପ୍ରଜ୍ଞା ରହିଛି। ବର୍ତ୍ତମାନ ଲ୍ୟାଣ୍ଡର୍ ଚନ୍ଦ୍ର ପୃଷ୍ଠ ସହିତ ସମାନ୍ତରାଳ ଭାବରେ ହରାଇଜଣ୍ଟାଲ ହୋଇ ଗତି କରୁଛି । ଅଗଷ୍ଟ 23 ତାରିଖରେ ଏହା ହରାଇଜଣ୍ଟାଲରୁ ଭର୍ଟିକାଲ କରାଯିବ। ତାପରେ ଅବତରଣ ପାଇଁ ଏହା ସିଧା ଚନ୍ଦ୍ର ପୃଷ୍ଠ ଆଡକୁ ଯିବ। ଗତ ଥର ଚନ୍ଦ୍ରଯାନ-2 ରୁ ପଠାଯାଇଥିବା ଲ୍ୟାଣ୍ଡର ଅବତରଣବେଳେ ଏହି ପ୍ରକ୍ରିୟା ସମୟରେ ସମସ୍ୟା ଦେଖାଦେଇଥିଲା,ଯାହା କି ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିକଟରେ ISRO ମୁଖ୍ୟ ଏସ୍ ସୋମନାଥ ଏ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଅବତରଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି 30 କିଲୋମିଟର ଉଚ୍ଚତାରୁ ଲ୍ୟାଣ୍ଡରକୁ ସଫ୍ଟ ଲ୍ୟାଣ୍ଡିଂ ବା ଅନ୍ତିମ ଅବତରଣକୁ ଆଣିବା ପ୍ରକ୍ରିୟା । ISRO ମୁଖ୍ୟଙ୍କ କହିବା ଅନୁଯାୟୀ, ଯାନକୁ ସମାନ୍ତରାଳ ପ୍ରକ୍ରିୟାରୁ ଭୂ-ଲମ୍ବ ବା ଭର୍ଟିକାଲଭାବେ ସ୍ଥାନାନ୍ତର କରିବା ପ୍ରକ୍ରିୟାରେ ଆମକୁ ଆମର ସାମର୍ଥ୍ୟ ଦେଖାଇବାକୁ ପଡିବ’।
ISRO ଚେୟାରମ୍ୟାନ୍ ସୋମନାଥ କହିଛନ୍ତି ସଫ୍ଟ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବାବେଳେ ଏହାର ବେଗ ପ୍ରତି ସେକେଣ୍ଡ ପିଛା ପ୍ରାୟ 1.68 କିଲୋମିଟର ରହିବ ଓ ଏହି ଗତି ଚନ୍ଦ୍ର ପୃଷ୍ଠରେ ସମାନ୍ତରାଳ ରହିବ। ଏହି ସମୟରେ ଚନ୍ଦ୍ରଯାନ -3 ପ୍ରାୟ 90 ଡିଗ୍ରୀ ହୋଇ ଝୁଲି ରହିଥିବ।ବେଳେ ଏହାକୁ ଭର୍ଟିକାଲ କରିବାକୁ ପଡିବ।।ଏହି ପୁରା ପ୍ରକ୍ରିୟା ଗାଣିତିକ ଦୃଷ୍ଟି କୋଣରୁ ମହତ୍ତ୍ବପୂର୍ଣ୍ଣ ଅଟେ।ଗତ ଚନ୍ଦ୍ରଯାନ-2ର ଏହି ପ୍ରକ୍ରିୟା ସମୟରେ ସମସ୍ୟା ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ଚନ୍ଦ୍ରଯାନ ୩ ପଠାଇଥିବା ଏକ ଭିଡିଓକୁ ଇସ୍ରୋ ସେୟାର କରିଛି। ବିକ୍ରମ ଲ୍ୟାଣ୍ଡରର ଏଲ୍ପିଡିସି (ଲ୍ୟାଣ୍ଡର ପୋଜିସନ ଡିଟେକ୍ସନ କ୍ୟାମେରା) ଦ୍ବାରା ନିଆଯାଇଥିବା ଏହି ଭିଡିଓରେ ଚନ୍ଦ୍ରପୃଷ୍ଠର ରହସ୍ୟମୟ ଦୃଶ୍ୟ ଦେଖିବାକୁ ମିଳିଛି । ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ରୋଭର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ରାସାୟନିକ ସଂରଚନା ସହ ଜଳର ଉପସ୍ଥିତି ନେଇ ପରୀକ୍ଷାନିରୀକ୍ଷା କରିବା ସହ ପୃଥିବୀର ବାୟୁମଣ୍ଡଳ ଉପରେ ଅନୁଧ୍ୟାନ କରିବ।