ଗଞ୍ଜାମ : ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ଉପରେ ସ୍ଥାନୀୟ ଅଂଚଳ ଏବଂ ଉପକଣ୍ଠ ଗ୍ରାମାଚଂଳ ସମେତ ସୀମାନ୍ତ କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ରୋଗୀ ମାନେ ନିର୍ଭର କରିଥାନ୍ତି । ଜିଲ୍ଲା ଚିକିତ୍ସାଳୟ ଓ ବ୍ରହ୍ମପୁର ବଡ ମେଡିକାଲ ବହୁ ଦୂରରେ ଥିବାରୁ ପ୍ରତିଦିନ ଏଠାକୁ ଶହ ଶହ ସଂଖ୍ୟାରେ ରୋଗୀ ଆସୁଛନ୍ତି । କିନ୍ତୁ, ଏଠାରେ ଡାକ୍ତର ଅଭାବଯୋଗୁଁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳିପାରୁନାହିଁ । ଡାକ୍ତରଙ୍କୁ ଦେଖା କରିବା ପାଇଁ ଘଂଟା ଘଂଟା ଧରି ଧାଡ଼ିରେ ଛିଡାହେବାକୁ ପଡୁଛି । ଏଠାରେ ମେଡ଼ିସିନ, ଶିଶୁ, ଚକ୍ଷୁ, ପ୍ରସୂତି ଓ ସର୍ଜ୍ଜରୀ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗରେ ପ୍ରାୟ ୧୨୦ଟି ଶଯ୍ୟା ରହିଛି । ମାସକୁ ପ୍ରାୟ ୧୨ ହଜାର ରୋଗୀଙ୍କୁ ଆଉଟ୍ ଡୋର ଏବଂ ପ୍ରାୟ ୩ରୁ ୪ ହଜାର ରୋଗୀଙ୍କୁ ଇନଡୋର ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । କିନ୍ତୁ, ଗତ ମାସରୁ ଏକ୍ସରେ ମେସିନ ଅଚଳ(ଖରାପ) ହୋଇପଡିଥିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚଳିତ ବର୍ଷ ଏବେ ସୁଦ୍ଧା ୫,୫୬୦ ଜଣ ରୋଗୀଙ୍କୁ ମାଗଣାରେ ଏକ୍ସରେ ସେବା ଯୋଗାଇ ଦିଆଯାଇଛି । ଜାନୁଆରୀ ମାସରେ ୧୦୫୩, ଫେବୃଆରୀ ରେ ୭୯୮, ମାର୍ଚ୍ଚରେ ୬୫୨, ଅପ୍ରେଲରେ ୯୫୯, ମଇରେ ୭୯୭, ଜୁନ୍ ରେ ୮୧୭ ଏବଂ ଜୁଲାଇ ୧୯ ତାରିଖ ସୁଦ୍ଧା ୪୮୪ ଜଣ ରୋଗୀଙ୍କ ଏକ୍ସରେ କରାଯାଇଛି । ଏହା ପର ଠାରୁ ମାସେ ହେଲା ମେସିନ୍ ଖରାପ ହୋଇ ପଡିଛି ।
ଅନ୍ୟପକ୍ଷରେ ଏହି ଡାକ୍ତରଖାନାରେ ଦୀର୍ଘ ବର୍ଷ ଧରି ସର୍ଜ୍ଜରୀ ବିଶେଷଜ୍ଞ ପଦବି ଖାଲି ପଡିଥିବା ବେଳେ ତାହା ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ । ଜଣେ ଅସ୍ଥିଶଲ୍ୟ ବିଶେଷଜ୍ଞ ଦେଢ଼ ବର୍ଷ ହେଲା ଏଠାରେ ନିଯୁକ୍ତି ପାଇଥିଲେ ମଧ୍ୟ ରୋଗୀ ଏକ୍ସରେ ସେବାରୁ ବଂଚିତ ହେଉଛନ୍ତି ଏବଂ ବେସରକାରୀ ସଂସ୍ଥାରେ ଏକ୍ସରେ କରୁଛନ୍ତି । ମେଡ଼ିକାଲ ଅଧିକ୍ଷକ ଡାକ୍ତର ସୀତାଶୁଂ ଶେଖର ଶତପଥି କହିଛନ୍ତି ଯେ, ମେସିନ୍ ଖରାପ ହୋଇଥିବା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ପ୍ରଶାସନକୁ ଅବଗତ କରିଛନ୍ତି । ରୋଗୀଙ୍କ ଆବଶ୍ୟକତା ଦୃଷ୍ଟିରୁ ଅତ୍ୟାଧୁନିକ ଡିଜିଟାଲ ଏକ୍ସରେ ସହ ଆଉ ଗୋଟିଏ ସି.ଆର.ଏକ୍ସରେ ମେସିନ ପାଇଁ ଚିଠି ଲେଖାଯାଇଛି । ଏଥିସହ ଆଉ ଗୋଟିଏ ଅତିରିକ୍ତ ମେସିନ୍ ଯୋଗାଇଦେବାକୁ ନିବେଦନ କରାଯାଇଛି । ଯାହାଫଳରେ ଏହା ବିକଳ୍ପ ଭାବେ କାର୍ଯ୍ୟ କରିବ ।