ସମ୍ବଲପୁର, ୧୯ ଅଗଷ୍ଟ: ସମ୍ବଲପୁର ଫଟୋଗ୍ରାଫର୍ସ ଆସୋସିଏସନ ଓ ଫଟୋଫିଲିକ୍ସ ମିଳିତ ଆନୁକୂଲ୍ୟରେ ଆଜି ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ମ୍ଯୁନିସପାଲଟି ଛକରୁ ଶତାଧିକ ଫୋଟଗ୍ରାଫରଙ୍କୁ ନେଇ ଏକ ଶୋଭାଯାତ୍ରା ନେଲସନ ମଣ୍ଡେଲା ଛକ ପରିକ୍ରମା କରି ଫୋଟୋଗ୍ରାଫିର ବାର୍ତ୍ତା ଜନସାଧାରଣଙ୍କୁ ବାଣ୍ଟିଥିଲେ । ପରେ ସମ୍ବଲପୁର ସାମ୍ବାଦିକ ଭବନ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
ସମ୍ବଲପୁର ଫୋଟଗ୍ରାଫର ସଙ୍ଘ ସମ୍ପାଦକ ସତ୍ୟଜିତ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଫଟୋଫିଲିକ୍ସର ସଭାପତି ଅରବିନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁରର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ଫଟୋଗ୍ରାଫର ଆସୋସିଏସନ ସଭାପତି ଡମ୍ବରୁଧର ପ୍ରଧାନ ଓ ଫଟୋଫିଲିକ୍ସର ସମ୍ପାଦକ ସନ୍ତୋଷ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ବରିଷ୍ଠ ସଭ୍ୟ ରଞ୍ଜିତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ l ଫଟୋଫିଲିକ୍ସ ସଭାପତି ଶ୍ରୀ ମିଶ୍ର ବିଶ୍ୱ ଫୋଟୋଗ୍ରାଫି ଦିବସର ଇତିହାସ ଓ ଉଦ୍ଦେଶ୍ୟ ଆଲୋକପାତ କରିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ସାହୁ ଫଟୋ ଓ ଫୋଟୋଗ୍ରାଫିର ଗୁରୁତ୍ୱ ସମ୍ପର୍କରେ ବିଶ୍ଲେଷଣ କରିଥିଲେ । ଆଜିର ଦିନରେ ଦୃଢ଼ ସଂକଳ୍ପ ନେଇ ନୂତନ ପିଢ଼ିର ଫଟୋଗ୍ରାଫର ମାନେ ମନଲଗାଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଆଶାପ୍ରକାଶ କରିଥିଲେ । ଏହି ଅବସରରେ ଫଟୋଫିଲିକ୍ସ ସମ୍ପାଦକ ଶ୍ରୀ ପଣ୍ଡା ଆଗାମୀ ଦିନରେ ଅନ୍ତର୍ଜାତୀୟ ଫୋଟୋଗ୍ରାଫି ପ୍ରଦର୍ଶନୀ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଶିଷ ପ୍ରଧାନ, ଲଳିତ ରୋହିଦାସ, ସୂର୍ଯ୍ୟ ପାଣିଗ୍ରାହୀ ଓ ଅନ୍ୟ ସଦସ୍ୟ ମାନେ ଫୋଟୋଗ୍ରାଫି ଦିବସ ଉପରେ ନିଜର ମତାମତ ରଖିଥିଲେ । ଶେଷରେ ସମ୍ବଲପୁର ଫଟୋଗ୍ରାଫର ଆସୋସିଏସନର ଯୁଗ୍ମ ସମ୍ପାଦକ ତପନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।