-ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାକୁ ଯିବା ବେଳେ ଯୁବକଙ୍କ କାଳିମାଡ
– କାଳିମାଡ କରିଥିବା ଯୁବକ ଗିରଫ
ପୁରୀ, ୧୯ ଅଗଷ୍ଟ – ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଉପରକୁ କାଳି ମାଡ଼ ହୋଇଛି । ଶନିବାର ଦିନ ପୁରୀ ଜିଲ୍ଲା ସତ୍ୟବାଦୀରେ ଥିବା ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାକୁ ଯିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳି ମାଡ଼ କରିଥିଲେ । କାଳି ୫ ଟି ସଚିବ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ମୁହଁରେ ପଡ଼ିଥିଲା । କାଳିମାଡ଼ କରିଥିବା ବ୍ୟକ୍ତି ଜଣଙ୍କ କଣାସ ଅଂଚଳର ଭାସ୍କର ସାହୁ । ତାଙ୍କୁ ପୁଲିସ ଗିରଫ କରିଛି ।
ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଏହି ଘଟଣା ପାଇଁ ବିଜେପିକୁ ଦାୟୀ କରିଛନ୍ତି । ଏହା ସତ୍ୟବାଦୀ ବିଜେଡିରେ ରହିଥିବା ଅନ୍ତର୍ଦ୍ୱନ୍ଦ୍ୱର ପରିଣାମ ବୋଲି ଯାହା କୁହାଯାଉଛି, ତାହା ଠିକ୍ ନୁହେଁ । ସେହିପରି ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ରହିଥିଲା ବୋଲି ଯେଉଁ ଚର୍ଚ୍ଚା ହେଉଛି, ତାହା ବି ଠିକ୍ ନୁହେଁ ବୋଲି ସେ କହିଛନ୍ତି ।
ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ବିଜେଡି ବିଧାୟକ ଅରବିନ୍ଦ ଢାଲି, ପ୍ରଦୀପ ଦିଶାରୀ, ସାଂସଦ ମାନସ ମଙ୍ଗରାଜ , ବିଜେଡି ନେତା ଲେଲିନ୍ ମହାନ୍ତି, ଓଏଏସ୍ ସଂଘ, ଓଡିଶା କର୍ମଚାରୀ ମହାମଂଚ, ସଚିବାଳୟ କର୍ମଚାରୀ ସଂଘ ପକ୍ଷରୁ କାଳିମାଡ ଘଟଣାକୁ ଦୃଢ ନିନ୍ଦା କରାଯାଇଛି ।
ସୂଚନା ଅନୁଯାୟୀ ୫ଟି ସଚିବ ଭି.କେ ପାଣ୍ଡିଆନ ୨ ଦିନିଆ ପୁରୀ ଜିଲ୍ଲା ଗସ୍ତରରେ ଯାଇଥିବା ବେଳେ ଆଜି ଦ୍ୱିତୀୟ ଦିନରେ ସେ କାକଟପୁର, ନିମାପଡ଼ା,ପୁରୀ ଓ ସତ୍ୟବାଦୀରେ କାର୍ଯ୍ୟକ୍ରମ ଥିଲା । ସେ କାକଟପୁର, ନିମାପଡ଼ା ଓ ପୁରୀରେ କାର୍ଯ୍ୟକ୍ରମ ସାରି ସତ୍ୟବାଦୀରେ ପହଂଚିଥିଲେ । ସେଠାରେ ୟୁଜିଏସ୍ କଲେଜରେ ଆୟୋଜିତ ହୋଇଥିବା ସଭାରେ ଯୋଗ ଦେବା ପୂର୍ବରୁ ସେ ଉପସ୍ଥିତ ମିଶନ ଶକ୍ତି ମହିଳାଙ୍କ ସହ ହାତ ମିଳାଇଥିଲେ । ଏହି ସମୟରେ ଭାସ୍କର ସାହୁ ହଠାତ୍ ପଶି ଆସି ବୋତଲରେ ଆଣିଥିବା କାଳିକୁ ପାଣ୍ଡିଆନଙ୍କ ଉପରକୁ ଫିଙ୍ଗି ଦେଇଥିଲା । ପାଣ୍ଡିଆନଙ୍କ ମୁହଁରେ କାଳି ପଡ଼ିଥିଲା । ତାଙ୍କ ସାଙ୍ଗରେ ଥିବା ପୁରୀ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡ଼ିଥିଲା । ପରେ ଭାସ୍କରଙ୍କୁ ପୁଲିସ କାବୁ କରିଥିଲା । ତେବେ ଭାସ୍କର କାହିଁକି ପାଣ୍ଡିଆନଙ୍କୁ କାଳିମାଡ଼ କଲେ, ତାହା ଜଣାପଡ଼ି ନାହିଁ ।