କନ୍ଧମାଳ, ୧୯ ଅଗଷ୍ଟ – କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୀର୍ଘ ବର୍ଷ ଧରି ଚାଲିଛି ବେଆଇନ ଗଞ୍ଜେଇ କାରବାର। ତେବେ ଜିଲ୍ଲାରେ ସର୍ବାଧିକ ଗଞ୍ଜେଇ କାରବାର ଫିରିଙ୍ଗିଆ ଥାନା ଅଂଚଳରେ ହେଉଛି। ଏଥିରେ କିଛି ପୋଲିସ, ଅବକାରୀ ବିଭାଗ ଓ ବନ ବିଭାଗ କର୍ମଚାରୀ ମାନେ ଜଡ଼ିତ ଥିବା ବେଳେ ପୋଲିସ ବିଭିନ୍ନ ସମୟରେ ନୀରିହ ଲୋକଙ୍କ ଘର ଉପରେ ଚଢ଼ଉ କରିବା ସହ ସେମାନଙ୍କୁ ନିସ୍ତୁକ ମାଡ଼ ମାରି ଜେଲ ପଠାଉଥିବା ଘଟଣାର ତୀବ୍ର ନିନ୍ଦା କରିବା ସହ ଏହାର ଦୃଢ଼ ପ୍ରତିବାଦରେ ଫିରିଙ୍ଗିଆ ଥାନା ପୋଡ଼ି ମାମଲାରେ ଗିରଫ କରିଥିବା ନିରୀହ ଆଦିବାସୀଙ୍କୁ ନିଃସର୍ତ ଖଲାସ ଦାବିରେ ଆସନ୍ତା ୨୮ରେ ଫୁଲବାଣୀରେ ବିଶାଳ ରାଲି ଓ ବିକ୍ଷୋଭ କରାଯିବ ବୋଲି ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି। ଗତ ୩ ତାରିଖ ମଧ୍ୟରାତ୍ରିରେ ପୋଲିସ ଗାଡିରେ ପୋଲିସ ଉପସ୍ଥିତରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଗ୍ରାମବାସୀ ଧରିଥିଲେ, ଆଉ ପୋଲିସ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୋଲିସ ଉଚ୍ଚ କତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଫଳରେ ଉତ୍ୟକ୍ତ ଲୋକେ ଗତ ୫ ତାରିଖରେ ଫିରିଙ୍ଗିଆ ଥାନା ପୋଡ଼ି ଦେଇଥିଲେ । ଏହି ଘଟଣାରେ ପୋଲିସ ପ୍ରକୃତ ଅଭିଯୁକ୍ତ ମାନଙ୍କୁ ଗିରଫ ନକରି ନୀରିହ ଲୋକଙ୍କୁ ନିସ୍ତୁକ ମାଡ଼ ମାରି ଗିରଫ କରୁଥିବା ମିଳିତ ମଞ୍ଚ ଅଧ୍ୟକ୍ଷ ତଥା ବରିଷ୍ଠ ଆଦିବାସୀ ନେତା ଲମ୍ବୋଦର କହଁର ଅଭିଯୋଗ କରିଛନ୍ତି । ପୋଲିସ ନିରୀହ ଲୋକଙ୍କୁ ଗିରଫ ବନ୍ଦ କରିବା ପାଇଁ ଦାବୀ କରିଛନ୍ତି ଲମ୍ବୋଦର। ନଚେତ୍ ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଥାନା ଉପରେ ଏଭଳି କାଣ୍ଡ ଘଟିବା ନେ଼ଇ ସେ ଆଶଙ୍କା କରିଛନ୍ତି ।