ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୮ଟି ବ୍ଲକ ଓ ୫ଟି ଏନଏସିକୁ ନେଇ ସ୍ଵତନ୍ତ୍ର ଘୁମୁସର ଜିଲ୍ଲା ଗଠନ ପାଇଁ ବିଭିନ୍ନ ମହଲରେ ଦାବି ଜୋର୍ ଧରିଛି । ଏହି କ୍ରମରେ ସ୍ଵରକୁ ଶାଣିତ କରିବାକୁ ଉପଖଣ୍ଡର ବିଭିନ୍ନ ବ୍ଲକର ଯୁବଗୋଷ୍ଠିଙ୍କୁ ନେଇ ଘୁମୁସର ବାହିନୀ ଗଠିତ ହୋଇଛି । ବାହିନୀର ସଦସ୍ୟମାନେ ବିଭିନ୍ନ ସ୍ତରରେ ଦାବିପତ୍ର ପ୍ରଦାନ କରିବା ସହ ବନ୍ଦ ପାଳନ ଓ ଶୋଭାଯାତ୍ରାର ଆୟୋଜନ କରିଛନ୍ତି । ଜନସମର୍ଥନ ସଂଗ୍ରହ ଉଦ୍ଦେଶ୍ୟରେ ଭଞ୍ଜନଗର ଜେଲ୍ ପଡ଼ିଆ ସମ୍ମୁଖରେ ସ୍ଵତନ୍ତ୍ର ଚିଠିଲେଖା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଞ୍ଜନଗର ସହର ସମେତ ଉପକଣ୍ଠ ଗ୍ରାମାଚଂଳରୁ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ୍ ହୋଇ ମୁଖ୍ୟମନ୍ତ୍ରୀ ଓ ଫାଇଭ୍-ଟି ସଚିବଙ୍କୁ ଚିଠି ଲେଖି ଦାବି ପୂରଣ ଦିଗରେ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ମୋଟ୍ ୨୬୭ ଚିଠି ଡାକଯୋଗେ ପ୍ରେରଣ କରାଯିବ ବୋଲି ସୂଚନା ମିଳିଛି । ସେହିପରି ଗଞ୍ଜାମ-କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ନିକଟରେ ଘୁମୁସର ଜିଲ୍ଲା ଆମର ଦାବି ବୋଲି ଲେଖାଯାଇ ଏକ ଫଳକ ପୋତା ଯାଇଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ବିଭିନ୍ନ ବ୍ଲକରେ ଜନସଚେତନତା ସାଙ୍ଗକୁ ଚିଠିଲେଖା ଅଭିଯାନ ଓ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଘୁମୁସର ବାହିନୀ ସଦସ୍ୟ ନଚିକେତା ପ୍ରଧାନ ସୂଚନା ଦେଇଛନ୍ତି ।