ଭୁବନେଶ୍ୱର, 17 ଅଗଷ୍ଟ – ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣାରେ ଶରତ ନାୟକଙ୍କୁ ବିଜୁ ଜନତା ଦଳ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି । କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ତାଙ୍କୁ ନିଲମ୍ବନ କରିଛନ୍ତି । ଶରତ ପୂର୍ବରୁ ମାହାଙ୍ଗା ପଂଚାୟତ ସମିତି ଅଧ୍ୟକ୍ଷ ଥିଲେ ।
ସୂଚନାଯୋଗ୍ୟ ଯେ ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା ନେଇ ଶରତଙ୍କର ଏକ ଅଡିଓ ଭାଇରାଲ ହୋଇଛି । ଏହି ମାମଲାର ସନ୍ଦିଗ୍ଧ ଖେଳ ଶିକ୍ଷକଙ୍କ ମା’ଙ୍କ ସହ ତାଙ୍କର କଥାବାର୍ତା ଭାଇରାଲ ହୋଇଛି । ଅଡିଓରେ ମାମଲା ରଫାଦଫା ପାଇଁ ସେ ୭୦ ହଜାର ମାଗୁଥିବା ଶୁଣିବାକୁ ମିଳିଛି । ଘଟଣାରେ ଗୋକନ ହାଇସ୍କୁଲ୍ କ୍ରୀଡ଼ା ଶିକ୍ଷକ ଓ ତାଙ୍କ ମା’ଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିଛି ପୋଲିସ୍ ।ମୃତ ଛାତ୍ରୀଙ୍କ ସହ ସଂପୃକ୍ତ କ୍ରୀଡ଼ା ଶିକ୍ଷକଙ୍କର ପ୍ରେମ ସଂପର୍କ ଥିଲା । ମାହାଙ୍ଗାର ନିଲମ୍ବିତ ବିଜେଡି ନେତା ଶରତ ନାୟକ ଏବଂ କ୍ରୀଡ଼ା ଶିକ୍ଷକଙ୍କ ମା’ଙ୍କ ମଧ୍ୟରେ ହୋଇଥିବା ବାର୍ତାଳାପ ରହିଛି ସେହି ଅଡିଓରେ । ଯେଉଁଥିରେ ବିନା ପୋଷ୍ଟମର୍ଟମରେ ମୃତଦେହକୁ ପୋଡ଼ିବା, ଅର୍ଦ୍ଧଦଗ୍ଧ ଶରୀର ଓ ପାଉଁଶକୁ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ନଦୀରେ ଭସାଇଦେବା ଏବଂ ମାମଲାର ରଫାଦଫା ପାଇଁ ୭୦ ହଜାର ଟଙ୍କାର ଡିଲ୍ କଥା ରହିଛି ।
ଏହି ଘଟଣାକୁ ନେଇ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମହିଳା କମିଶନ । ମହିଳା କମିଶନ ୧୫ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ଗ୍ରାମାଂଚଳ ଏସପିଙ୍କୁ ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ ।