ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ଗାଡ଼କଣ ଶବର ସାହିରେ ଏକ ଗ୍ରାମ୍ୟ ଶ୍ମଶାନ ଓ ତା’ ପାଖକୁ ଲାଗି ଖେଳପଡ଼ିଆ ରହିଛି । ଏହି ଶ୍ମଶାନରେ ପୁରୁଷ ପୁରୁଷ ଧରି ଆଦିବାସୀ ଓ ହରିଜନମାନଙ୍କର ଶବ ସତ୍କାର କରାଯାଇଥାଏ ଏବଂ ତା’ପାଖକୁ ଲାଗିଥିବା ଖେଳପଡ଼ିଆରେ ସମଗ୍ର ଗାଡ଼କଣ ଅଞ୍ଚଳର ପିଲା ଓ ଯୁବକମାନେ ଫୁଟବଲ ଓ କ୍ରିକେଟ ଆଦି ଖେଳିଆସୁଛନ୍ତି । ଆଖପାଖ ଅଞ୍ଚଳରେ କୌଣସି ଖେଳପଡ଼ିଆ ନ ଥିବାରୁ ପ୍ରତିବର୍ଷ ୧୦/୧୫ଟି ଗ୍ରାମର ଫୁଟ୍ବଲ ଟିମ୍ ଆସି ଖେଳରେ ଭାଗ ନିଅନ୍ତି । ୪ ବର୍ଷ ତଳେ ବିଏମ୍ସି ତରଫରୁ ଶ୍ମଶାନ ଓ ପଡ଼ିଆ ଚାରିପଟେ ପାଚେରି ନିର୍ମାଣ କରାଗଲା ଏବଂ ଗ୍ରାମବାସୀମାନେ ପ୍ରତିବାଦ କରିବାରୁ କୁହାଗଲା, ଶ୍ମଶାନ ଓ ଖେଳପଡ଼ିଆର ନବୀକରଣ କରାଯିବ ।
କିନ୍ତୁ ହଠାତ୍ ଗତ ୧୪ ତାରିଖରେ ବିଏମ୍ସିର କିଛି ଅଧିକାରୀ ଓ କର୍ମଚାରୀ ଜେସିବି ଧରି ସେଠାରେ ପହଞ୍ôଚ ପଡ଼ିଆ ମଝିରେ ରାସ୍ତା ନେବା ପାଇଁ ଖୋଳିବାକୁ ଲାଗିଲେ । ଏହା ବିରୋଧରେ ଶହ ଶହ ଗ୍ରାମବାସୀ ଲାଲ୍ଝଣ୍ଡା ଧରି ସିପିଆଇର ଶାଖା ସମ୍ପାଦକ ଶଙ୍କର ବାରିକଙ୍କ ନେତୃତ୍ୱରେ ପ୍ରତିରୋଧ ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭକାରୀମାନଙ୍କୁ ଉଦ୍ବୋଧନ ଦେଇ ଶଙ୍କର ବାରିକ କହିଲେ- ଏ ପଡ଼ିଆ ଚାଲିଗଲେ ଆମ ଅଞ୍ଚଳର ଯୁବପୀଢ଼ି ପାରମ୍ପରିକ କ୍ରୀଡ଼ାରୁ ବଞ୍ôଚତ ହେବେ ଓ ଶବଟିଏ ପୋଡ଼ିବା ପାଇଁ ଜାଗା ନ ଥିବ । ଏହି ପ୍ରତିବାଦ ଫଳରେ ବିଏମ୍ସି ଅଧିକାରୀମାନେ ଫେରିଯାଇଥିଲେ । କିନ୍ତୁ ୪/୫ ଦିନ ପରେ ପୁଣି ଆସିବା ପାଇଁ ଧମକ ଦେଇ ଯାଇଛନ୍ତି ଏବଂ ଏହା ବିରୋଧରେ ଶ୍ମଶାନ ଓ ଖେଳପଡ଼ିଆକୁ ରକ୍ଷା କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ବିଏମ୍ସିର ମେୟରଙ୍କୁ ଏକ ଦାବିପତ୍ର ଦିଆଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ନବ ନାୟକ, ଟିକିନା ନାୟକ, ନାରୀ ନେତ୍ରୀ ଚିନା ନାୟକ, ମାନଗୋବିନ୍ଦ ନାୟକ, ପୀତାମ୍ବର ନାୟକ, ମିନି ଦେହୁରି, ଗିନି ନାୟକ ପ୍ରମୁଖ ଏହି ପ୍ରତିରୋଧ ଆନ୍ଦୋଳନ ଓ ବିକ୍ଷୋଭର ନେତୃତ୍ୱ ନେଇଥିଲେ ।