କାଠମାଣ୍ଡୁ : କୁହାଯାଏ ପାଠ ପଢିବାର କୌଣସି ବୟସ ନଥାଏ । ପଢିବାର ଇଚ୍ଛା ଶକ୍ତି ଥିଲେ କୌଣସି ବାଧା ଅଟକାଇ ପାରେନା । ଏଭଳି ଜଣେ ଉଦାହରଣ ସୃଷ୍ଟିକାରୀ ବୃଦ୍ଧ ମହିଳା ହେଉଛନ୍ତି ନେପାଳର ରତ୍ନା ସୁନୁୱାର । ୮୦ ବର୍ଷୀୟ ବୃଦ୍ଧା ଜଣକ ଦ୍ୱାଦଶ ପରୀକ୍ଷା ପାସ୍ କରି ଏବେ ନିଜ ପୁଅ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଯିଏକି ନିଜ ପାଠପଢା ସମ୍ପୂର୍ଣ୍ଣ କରିନାହିଁ ।
ବୁଧବାର ନେପାଳରେ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ପ୍ରକାଶ ପାଇଥିଲା । ତେବେ ଏଥିରେ ବାଜି ମାରିଥିଲେ କାଠମାଣ୍ଡୁର ରତ୍ନା ସୁନୁୱାର । ଆଉ ତାଙ୍କ ଖୁସି କହିଲେ ନସରେ । କାଠମାଣ୍ଡୁର ଶାନ୍ତିନଗର ସ୍ଥିତ ବାନେଶ୍ୱର କଲେଜରେ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଥିଲେ ୮୦ ବର୍ଷୀୟା ରତ୍ନା । ଗ୍ରାମୀଣ ବିକାଶ, ସମାଜ ଶାସ୍ତ୍ରୀ ଓ ଜନସଞ୍ଚାର ବିଷୟରେ ପାଠ ପଢି 65 ପ୍ରତିଶତ ମାର୍କ ରଖି ପାସ୍ କରିଛନ୍ତି । ଆଉ ଏକ ଗ୍ରାଜୁଏସନ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ନେପାଳର ରାମେଛାପ ଜିଲ୍ଲାର ରତ୍ନାଙ୍କର 4ଜଣ ସନ୍ତାନ ଥିବା ବେଳେ 7ଜଣ ନାତି ଅଛନ୍ତି । ଦୁର୍ଗମ ଇଲାକାରେ ଘର ଓ କମ୍ ବୟସରୁ ବିବାହ କାରଣରୁ ସେ ନିଜ ପାଠ ପଢା ସମ୍ପୂର୍ଣ୍ଣ କରିପାରିନଥିଲେ । କିନ୍ତୁ ପାଠ ପଢିବାର ଜୋଶ୍ ମରିନଥିଲା । ତେବେ କୋରନା କାଳରେ ପୂରା ପରିବାର ଏକାଠି ହୋଇଥିବା ସମୟରେ ସେ ପାଠ ପଢିବା ପ୍ରତି ତାଙ୍କ ଆଗ୍ରହକୁ ପରିବାର ସମ୍ମୁଖରେ ପ୍ରକାଶ କରିଥିଲେ । ଏବଂ କରୋନା ସମୟରେ 78 ବର୍ଷ ବୟସରେ ହିଁ ଦଶମ ବୋର୍ଡ ପରୀକ୍ଷା ଦେଇ ପାସ୍ କରିଥିଲେ । ଆଉ ଏବେ ଦ୍ୱାଦଶ ପାସ୍ କରିଛନ୍ତି ।
ଅନ୍ୟପଟେ ରତ୍ନଙ୍କ ଘରର ଆର୍ଥିକ ସ୍ଥିତି ଭଲ ନଥିବା କାରଣରୁ ତାଙ୍କ ପିଲାମାନେ ଅଧାରୁ ପାଠ ଛାଡିଥିଲେ । ତେବେ ନିଜ ସନ୍ତାନମାନଙ୍କୁ ପ୍ରେରଣା ଦେବା ପାଇଁ ସେ ନିଜେ ପରିଣତି ବୟସରେ ପାଠ ପଢିବାକୁ ସ୍ଥିର କରିଥିଲେ । ଯାହା ଦ୍ୱାରା କି ସେମାନଙ୍କ ପିଲାମାନେ ପ୍ରେରଣା ପାଇବେ ଏବଂ ନିଜ ନିଜର ପାଠ ପଢା ପୂରା କରିବେ ।