ପୁରୀ, ୧୫ ଅଗଷ୍ଟ – ସ୍ଵାଧୀନତା ଶୃଙ୍ଖଳା, ଶାନ୍ତି ଓ ଉତ୍ତମ ବୁଝାମଣା ମଧ୍ୟରେ ବିକାଶ ଆଡ଼କୁ ଯାତ୍ରା କରିବାର ମୂଳ ମନ୍ତ୍ର। ଏହା ସ୍ଵେଛାଚାରିତା ନୁହେଁ। ଜାତୀୟତା, ସ୍ଵଦେଶ ପ୍ରୀତି, ସହଯୋଗ, ସଂପ୍ରୀତି ଓ ଦେଶର ଉନ୍ନତି ପାଇଁ ଏକତାବଦ୍ଧ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ସଂସଦୀୟ ବ୍ୟାପାର ତଥା ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ମଙ୍ଗଳବାର ଦିନ ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ଲେକ୍ସ ଠାରେ ୭୭ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ପୂଜାରୀ ଜାତୀୟ ପତାକା ଉତ୍ତୋଳନ, ସମ୍ମିଳିତ ପାରେଡରେ ଅଭିବାଦନ ଗ୍ରହଣ କରି ଶ୍ରୀକ୍ଷେତ୍ର ପୁରୀ ବାସୀଙ୍କୁ ସ୍ଵାଧୀନତା ଦିବସର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ସମେତ ସମସ୍ତ ସହୀଦ ଓ ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନେ ଦେଶ ପାଇଁ ଚିର ସ୍ମରଣୀୟ ବୋଲି କହିଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲୀଳା କ୍ଷେତ୍ର ପବିତ୍ର ପୁରୀ ନା କେବଳ ଆଧ୍ୟାତ୍ମିକ କ୍ଷେତ୍ର ଓ ପର୍ଯ୍ୟଟନ କ୍ଷେତ୍ର ନିମନ୍ତେ ପ୍ରସିଦ୍ଧ ବରଂ ଏହାର ନାମ ଭାରତ ସ୍ଵାଧୀନତା ସଂଗ୍ରାମ ଇତିହାସରେ ମଧ୍ୟ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ। ସହୀଦ ରାଜଗୁରୁଙ୍କ ବିରତ୍ଵ ଓ ଚାଖି ଖୁଣ୍ଟିଆଙ୍କ ସଂଗ୍ରାମୀ ବ୍ୟକ୍ତିତ୍ଵର ପଟାନ୍ତର ନାହିଁ। ଓଡିଶାର ସାଂସ୍କୃତିକ, ସାହିତ୍ୟିକ, ସାମାଜିକ, ରାଜନୈତିକ ଇତିହାସକୁ ପୁରୀ ଜିଲ୍ଲାର ଅବଦାନ ଅନସ୍ଵୀକାର୍ଯ୍ୟ ବୋଲି ସେ କହିଥିଲେ। ରାଜ୍ୟ ସରକାର ରାଜ୍ୟବାସୀଙ୍କ ଜୀବନ ଧାରାକୁ ଉନ୍ନତ କରିବା ସହ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ବିଭିନ୍ନ କ୍ଷେତ୍ରରେ ପ୍ରଭାବୀ ପଦକ୍ଷେପ ଗ୍ରହଣ କରିଛନ୍ତି ।୨୦୨୩- ୨୪ ସ୍ଵାସ୍ଥ୍ୟ ବଜେଟରେ ମୋଟ ୧୫୭୫୬ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଯାହା ୨୦୦୦- ୨୦୦୧ ବଜେଟ ତୁଳନାରେ ୩୦ ଗୁଣ ଅଧିକ। ସମସ୍ତଙ୍କ ପାଇଁ ସ୍ଵାସ୍ଥ୍ୟ ସେବାକୁ ନିର୍ଣ୍ଣାୟକ ଭାବେ ଦୃଷ୍ଟିରେ ରଖି ଆମ ହସପିଟାଲ ନାମକ ଏକ ନୂତନ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। ଯେଉଁଥିରେ ୧୪୭ ଗୋଟି ସ୍ଵାସ୍ଥ୍ୟ ଅନୁଷ୍ଠାନ ମାତ୍ର ୯ ମାସ ଅବଧି ମଧ୍ୟରେ ରୂପାନ୍ତରଣ କରାଯାଇ ପାରିବ। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ଯୋଜନା। ଏହା ମାଧ୍ୟମରେ ରାଜ୍ୟର୯୬.୫ ଲକ୍ଷ ପରିବାରର ପ୍ରାୟ ୩.୩ କୋଟି ସଦସ୍ୟ ୧୭ ଟି ବିଭିନ୍ନ ରାଜ୍ୟରେ ଥିବା ୬୦୦ ଉନ୍ନତ ଘରୋଇ ଚିକିତ୍ସାଳୟରେ ବିନା ଦେୟରେ ସ୍ଵାସ୍ଥ୍ୟ ସେବା ପାଇଥାନ୍ତି। ଆଜି ପର୍ଯ୍ୟନ୍ତ ଏଭଳି ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବା ୧୦ ଲକ୍ଷରୁ ଉର୍ଦ୍ଧ୍ବ ପରିବାର ପ୍ରାୟ ୨୧୦୦ କୋଟି ଟଙ୍କା ଏ ବାବଦରେ ପରୋକ୍ଷରେ ସଂଚୟ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ। ଏହା ପରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ପରେ ମନ୍ତ୍ରୀ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମରେ ଜିଲ୍ଲାର ସହିଦ ହୋଇଥିବା ନିମାପଡା ଅମଲାପଡାର ବିଜୟ କୁମାର ଭୋଇ, କାକଟପୁର ଗୋରଡିତୋଟାର ପୀତବାସ ବାରିକ, ନିମାପଡା ଘୋଡାସାଳିଆର ଜିତେନ୍ଦ୍ର କୁମାର ପ୍ରଧାନ, ପାଳଶ୍ରୀ ତମ୍ପାଳର ଊପେନ୍ଦ୍ର କୁମାର ଭୋଇ, କୃଷ୍ଣ ପ୍ରସାଦ ମାଲୁଦର ସୁଦାମ ଚରଣ ଦାସ ଓ ବ୍ରହ୍ମଗିରି ରେବଣା ନୂଆଗାଁର ମନୋରଞ୍ଜନ ଲେଙ୍କାଙ୍କ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଊଲ୍ଲେଖନୀୟ କାର୍ଯ୍ୟ ପାଇଁ ଆଗ୍ନିକ ପ୍ରିୟ ରଞ୍ଜନ ସାହୁ, ମୋହନ କୁମାର ମଲ୍ଲିକ, ଅର୍ଜୁନ ସିକା, ସତ୍ୟ ରଞ୍ଜନ ବିଶ୍ଵାଳ, ଦୋଳବେଦୀକୋଣ ସହରାଞ୍ଚଳ ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର ସୁନୀଲ କୁମାର ତରାଇ, କଣାସ ସାହସପୁର ଉପ ସ୍ଵାସ୍ଥ୍ୟକେନ୍ଦ୍ରର ମହିଳା ସ୍ଵାସ୍ଥ୍ୟ କର୍ମୀ ମଞ୍ଜୁଲତା ମହାରଣା, କୋଣାର୍କ ର ବାଲୁକା ଶିଳ୍ପୀ ସରିତା ଗୋଛାୟତ, ହିମାଳୟ ଆରୋହୀ ଏସ ସି ଏସ କଲେଜ ଛାତ୍ର ଆଶିଷ ଜେନା, କନେଷ୍ଟବଳ କଳ୍ପନା ସେଠୀ, ହୋମଗାର୍ଡ ହୃଦାନନ୍ଦ ମିଶ୍ର, ସଫେଇ କର୍ମଚାରୀ ପ୍ରଭାସିନୀ ଦେଈ, ହରି ନାଏକ, ଅମିତ ଗୋପ, ମୋନିକା ତୀର୍କେ, ଜାତୀୟ କ୍ରିଡାରେ ସଫଳ ହୋଇଥିବା ତାଇକୋଣ୍ଡା, ଥ୍ରୋ ବଲ ଓ ଖୋ ଖୋ ଦଳଙ୍କୁ, ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ପାରେଡର ସିନିୟର ଡିଭିଜନ ଏନସିସିରେ ସୂରଜମଲସାହା କଲେଜ, ଜୁନିୟର ଡିଭିଜନ ଏନସିସି ବାଳକ ବର୍ଗରେ ପୋଲିସ ହାଇସ୍କୁଲ, ବାଳିକା ବର୍ଗରେ ବିଶ୍ଵମ୍ବର ବିଦ୍ୟାପୀଠ, ସ୍କାଉଟ ବାଳକ ବର୍ଗରେ ସ୍ଵାମୀ ବିବେକାନନ୍ଦ ବିଦ୍ୟା ନିକେତନ, ବାଳିକା ବର୍ଗରେ ଡିଏଭି ପବ୍ଲିକ ସ୍କୁଲ ଓ ଶୃଙ୍ଖଳାରେ ସେଣ୍ଟ ଜାଭିୟର ହାଇସ୍କୁଲ ବୀରହରେକୃଷ୍ଣପୁରଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଷ୍ଟାଡିୟମ ପରିସରରେ ବୃକ୍ଷ ରୋପଣ, ଉତ୍କଳ ବାଳାଶ୍ରମର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ଓ ପୋଷାକ ବଣ୍ଟନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କୁ ଫଳ ବଣ୍ଟନ ଏବଂ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଉଦଘାଟନ କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡଃ. କନୱର ବିଶାଲ ସିଂ, ଜିଲ୍ଲା ପରିଷଦ ସଭାପତି ସ୍ଵପ୍ନାରାଣୀ ସ୍ଵାଇଁ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ଡଃ. ଶରତଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ଵାଇଁ, ସିଡିଏମଓ ଡା. ସୁଜାତା ମିଶ୍ର ଅନ୍ୟାନ୍ୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ଯୋଗ ଦେଇଥିଲେ।
ପ୍ରତ୍ୟୁଷରୁ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯାଇଥିଲା। ଗାନ୍ଧୀ ଘାଟ ଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସର୍ବୋଦୟ କମିଟି ସହଯୋଗରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ପରିଚାଳନା କରାଯାଇଥିଲା।