ମାଲକାନଗିରି : ସମଗ୍ର ଦେଶ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଦେଶରେ ଦେଶ ଭକ୍ତି ଜାଗରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ଵାରା ଘର ଘର ତ୍ରିରଙ୍ଗା ଦେଖିବାକୁ ମିଳିଛି। ସେହିପରି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ପଞ୍ଚାୟତ ତରଫରୁ ୧୧୦୦ ମିଟର ଲମ୍ବର ତ୍ରିରଙ୍ଗା ପ୍ରଦର୍ଶନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏତେ ଲମ୍ବର ତ୍ରିରଙ୍ଗା ଯାହା ଜିଲ୍ଲାରେ ପ୍ରଥମ ଥର ପାଇଁ ମାଥିଲି ପଞ୍ଚାୟତ ସରପଞ୍ଚ କାନାମରାଜୁ ନାୟକ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହାରଣା ଆୟୋଜନ କରିଥିଲେ। ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଡମ୍ବରୁ ଶିଶା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୁ ତାଙ୍ଗୁଲ, ମାଥିଲି ବ୍ଳକ ଅଧକ୍ଷ ମହେଶ କୁମାର ବାକା ଯୋଗଦେଇ ୧୧୦୦ ମିଟର ତ୍ରିରଙ୍ଗା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଆସନ୍ତା କାଲି ୭୭ତମ ସ୍ବାଧିନତା ଦିବସ ପାଳନ ଅବସରରେ ସାରା ଦେଶ ହର ଘର ତ୍ରିରଙ୍ଗା ଯାତ୍ରା ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ମାଥିଲିରେ ୧୧୦୦ ମିଟର ବିଶିଷ୍ଟ ଏକ ଲମ୍ବା ତ୍ରିରଙ୍ଗା ଶୋଭାଯାତ୍ରାର ଆୟୋଜନ କରାଯାଇଛି । ସ୍ଥାନୀୟ ଜନସାଧାରଣ ପ୍ରଶାସନ, ବୁଦ୍ଧିଜିବି, ସମସ୍ତ ରାଜନୈତିକ ଦଳର ରାଜନେତା, ବଳଦିଆ ଗୁଡା ସରକାରୀ ଜନଜାତି ଓ ଜାତି ବିଭାଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉତ୍କଳମଣି ଗୋପବନ୍ଧୁ ସ୍ନାତକ ମହାବିଦ୍ୟାଳୟ ଓ ସଦରରେ ଥିବା ସମସ୍ତ ବିଦ୍ୟାଳୟର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ମାଥିଲି ଗ୍ରାମପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରାଯାଇ ମାଥିଲି ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଏହି ତ୍ରିରଙ୍ଗା ପ୍ରଦର୍ଶନ ଶୋଭାଯାତ୍ରା ଦୀର୍ଘ ୩ କିଲୋମିଟର ପର୍ଯ୍ୟନ୍ତ କରାଯାଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲାର ମାଥିଲି ଶହିଦ ମାଟିରେ ଶହିଦଙ୍କ ବଳିଦାନକୁ ସମ୍ମାନ ଜଣାଇ ତଥା ସମସ୍ତ ଜନସାଧାରଣଙ୍କ ମନରେ ଦେଶପ୍ରେମକୁ ଜାଗ୍ରତ କରିବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଧେଶ୍ୟ ଥିବା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ପ୍ରକାଶ କହି ଛନ୍ତି ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ଜନସାଧାରଣ ବେଶ ଖୁସି ପ୍ରକଟ କରିଛନ୍ତି। ବଜାର କମିଟି ସଭାପତି ଶ୍ରୀକାନ୍ତ ଚୌଧୁରୀ ଓ କର୍ମକର୍ତ୍ତା, ଡ୍ରାଇଭର ମହାସଂଘର ବ୍ଲକ ସଭାପତି କେ.ଶିବ ପ୍ରସାଦ ରାଓ ଓ କର୍ମକର୍ତ୍ତା, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏବଂ ଶହ ଶହ ଜନସାଧାରଣ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ, ଜିଲ୍ଲା ପରିଷଦ ସଭ୍ୟ ହୀରଣ୍ୟ ମୁଦୁଲି, ସଦର ପଞ୍ଚାୟତ ସମିତି ସଭ୍ୟ ବାଲରାଜୁ କୋପେଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଅନେକ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ସହ ଦଳମତ ନିର୍ବିଶେଷରେ ବ୍ଳକ ତଥା ବ୍ଳକ ବାହାରୁ ଜନସାଧାରଣ ଯୋଗଦେଇ ସଫଳ କରାଇଥିବାରୁ ଦେଶ ତଥା ଦେଶ ପାଇଁ ପ୍ରାଣବଳି ଦେଇଥିବା ଶହିଦଙ୍କୁ ସମ୍ମାନ ବୋଲି ମତ ପ୍ରକାଶ ପାଇଛି। ଏପରି ଶୋଭାଯାତ୍ରା ସମୟରେ ରାସ୍ତାରେ ପଥ ଚାରି ମାନେ ମଧ୍ୟ ତ୍ରିରଙ୍ଗା ପତାକାକୁ ସମ୍ମାନ ଜଣେଇବା ପାଇଁ କିଛି ସମୟ ଧରି ଅଟକି ଯାଉଥିଲେ। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ମାଥିଲି ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାପକ ପୋଲିସ କର୍ମଚାରୀ ମାନଙ୍କୁ ନିୟୋଜିତ କରି ଶାନ୍ତି ଶୃଙ୍ଖଳା ସହ ୧୧୦୦ ମିଟର ତ୍ରିରଙ୍ଗା ପତାକା ଶୋଭାଯାତ୍ରା ଶେଷ ହୋଇଥିଲା।