ଭୁବନେଶ୍ୱର : ସ୍ୱାଭିମାନ ଓ ସ୍ୱାବଲମ୍ବନ ବିନା ସମାଜ ଆଗକୁ ଯାଇପାରିବନି । ଅମୃତ କାଳରେ ଓଡ଼ିଶା ଓ ଭାରତବର୍ଷକୁ ବିକଶିତ କରାଇବା ପାଇଁ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା କ୍ରମେ ଡିଜିଟାଲ ଇଣ୍ଡିଆର ଉପଯୋଗ କରିବା ପାଇଁ ପଡିବ ଏବଂ ମହିଳା ଉଦ୍ୟୋଗୀଙ୍କୁ ଏକାଠି କରି ସେମାନଙ୍କର ଦାୟିତ୍ୱ ନେବା ପାଇଁ ପଡିବ । ମାଆମାନେ ନିଜେ ସ୍ୱାବଲମ୍ବୀ ସହ ସେମାନଙ୍କୁ ବିକଶିତ ଓଡ଼ିଶା ପାଇଁ ନେତୃତ୍ୱ ନେବାକୁ ହେବ । ସୋମବାର ଭୁବନେଶ୍ୱରରେ ‘ଆମ ଓଡ଼ିଶା’ ତଥା ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା୫୦’ର ତୃତୀୟ ସଂସ୍କରଣର ଉଦଘାଟନ କରିବା ଅବସରରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ରାଜ୍ୟରେ ମହିଳାଙ୍କର ସ୍ୱତନ୍ତ୍ର ସ୍ଥାନ ଅନାଦି ଅନନ୍ତ କାଳରୁ ରହିଛି । ପବିତ୍ର ମାର୍ଗଶୀର ମାସ ଗୁରୁବାରରେ ମାଆ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା, ଘରକୁ ସ୍ୱଚ୍ଛ ରଖିବାର ବାର୍ତା ଏବଂ ସମର୍ପଣ ଭାବନା ଓ ଅନ୍ୟମାନଙ୍କୁ ମହାପ୍ରସାଦ ଖୁଇବାର ସଂସ୍କାର ଓ ପରମ୍ପରା ଓଡ଼ିଆ ଜାତି ଓ ସମାଜରେ ପୁରାତନ କାଳରୁ ରହିଛି ।
ଆଜି ସମାଜ ବଦଳୁଛି । ଦୁନିଆ ବଦଳୁଛି । ଦାୟିତ୍ୱ ବହୁତ ବଡ କଥା ନୁହେଁ । ମାତ୍ର ଆଗାମୀ ୨୫ ବର୍ଷରେ ଯେଉଁମାନେ ସତରେ ଓଡ଼ିଶାକୁ ବିକଶିତ କରାଇବେ ସେମାନେ ହେଉଛି ଗ୍ରାମାଂଚଳର ମହିଳାମାନଙ୍କ ଦ୍ୱାରା ହୋଇପାରିବ । ଏଥିପାଇଁ ସେମାନଙ୍କୁ ସ୍ୱାବଲମ୍ବୀ ଓ ସ୍ୱାଭିମାନୀ କରାଇବା ପାଇଁ ହେବ । ଭାରତ ସରକାର ମଧ୍ୟ ଏଥିରେ ସହଯୋଗୀ ହେବେ । ସେ ଆହୁରି କହିଛନ୍ତି ଯେ ଆଜିର ଦିନରେ ହ୍ୱାଟ୍ସଆପ୍, ଫେସବୁକ, ୟୁଟ୍ୟୁବ ବିଶ୍ୱର ନୂଆ ନୂଆ ବିଷୟ ଜାଣିବାର ମାଧ୍ୟମ ହୋଇଛି । ଦେଶର ସବୁ ଗାଁରେ ସ୍ପିଡ୍ ଇଂଟରନେଟ୍ ସୁବିଧା ଯୋଗାଇ ଦେବା ପାଇଁ ଅପ୍ଲିକାଲ ଫାଇବର ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ କଳ୍ପନା କରିଛନ୍ତି । ଏହାର ଉପଯୋଗ କରି ମହିଳାମାନେ ନିଜର ରୋଷେଇ ପ୍ରାଣାଳୀ କିମ୍ବା ଦକ୍ଷତାକୁ ଡିଜିଟାଲ ପ୍ଲାଟଫର୍ମରେ ଉପଯୋଗ କରିବା ପାଇଁ ମହିଳାଙ୍କୁ ପରାମର୍ଶ ଦେଇଥିଲେ ଶ୍ରୀ ପ୍ରଧାନ । ଏହା ଦ୍ୱାରା ସମାଜ, ରାଜ୍ୟ ଓ ଦେଶ ଲାଭବାନ ହେବ ବୋଲି ସେ କହିଥିଲେ ।
୨୦୩୬ରେ ଆଉ ପ୍ରାୟ ୧୩ ବର୍ଷ ପରେ ଓଡିଶା ଭାଷାଭିତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ରେ ଆଉ ପ୍ରାୟ ୨୪ ବର୍ଷ ପରେ ଭାରତ ସ୍ୱାଧୀନତା ପୂର୍ତିର ୧୦୦ ବର୍ଷ ପୂରଣ କରିବ । ଓଡ଼ିଶାରେ ନବଜାତ ଶିଶୁ ଓ ଗର୍ଭବତୀ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ । ଓଡ଼ିଶାର ବର୍ତମାନ ଓ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ହେଲେ ଏବେଠାରୁ ଶିଶୁ ଓ ମହିଳା ମାନଙ୍କ ସ୍ୱାସ୍ଥ୍ୟ ଏବଂ ପୋଷଣ ଉପରେ ଗୁରୁତ୍ୱ ଦେବାକୁ ହେବ । ଶିଶୁଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ସହ ରକ୍ତହୀନତା ସମ୍ପର୍କରେ ସଚେତନତା କରିବାକୁ ପଡିବ । ଏଥିପାଇଁ ସମ୍ବାଦ ସମେତ ଓଡ଼ିଆ ସମାଜକୁ ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ ଶ୍ରୀ ପ୍ରଧାନ କହିଛନ୍ତି ।
ସମଗ୍ର ରାଜ୍ୟରେ ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣି ସେମାନଙ୍କ ମାଧ୍ୟମରେ ମହିଳା ବର୍ଗର ସଶକ୍ତୀକରଣ କରାଇବା ଲକ୍ଷ୍ୟରେ ଏପରି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଶ୍ରୀ ପ୍ରଧାନ ସମ୍ବାଦ ଓ ସଂଶ୍ଲିଷ୍ଟ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।