ଗୁପ୍ତକାଶୀ : ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ଏକ ପ୍ରକାର ଠପ୍ ହୋଇଯାଇଛି । ଭୂସ୍ଖଳନ ଯୋଗୁ ଦ୍ୱିତୀୟ କେଦାର ବାବା ମଧ୍ୟମେଶ୍ୱରଙ୍କୁ ସଂଯୋଗ କରୁଥିବା ତୋଲି ପୋଲ ଭୁଶୁଡିଯାଇଛି । ଫଳରେ ୧୫୦ ଭକ୍ତ ଏବଂ ସ୍ଥାନୀୟ ଲୋକ ଫସି ରହିଛନ୍ତି । ପୋଲ ଭୁଶୁଡିବା ନେଇ ଖବର ପାଇବା ପରେ ରେସକ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
କିଛି ଦିନ ହେବ କେଦାର ଘାଟିରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଠପ୍ ହୋଇପଡିଛି । ଜାତୀୟ ରାଜପଥ ସହିତ ବିଭିନ୍ନ ରାସ୍ତାର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନ୍ୟପଟେ ବର୍ଷା ଯୋଗୁ ବିପଦସଙ୍କୁଳ ଅବସ୍ଥାରେ ରହିଛି ମଧୁଗଙ୍ଗା ନଦୀ । କେଦାରନାଥ ନିକଟ ଲୈଚୋଲିରେ ବାଦଲ ଫାଟିବା ଯୋଗୁ ପ୍ରବଳ ବର୍ଷା ହୋଇଛି । ସେହିପରି ଭୂସ୍ଖଳନ ଯୋଗୁ 2ଜଣ ଲୋକ ନିଖୋଜ ଅଛନ୍ତି । ତେବେ ନିଖୋଜଙ୍କ ପାଇଁ ତଲାସୀ ଅଭିଯାନ ଜାରି ରହିଛି ।