ମାଲକାନଗିରି : ମାଲାକାନଗିରି ଜିଲ୍ଲାର ଗୋଟିଏ ପାର୍ଶ୍ଵ ଦେଇ ଶାବେରୀ ନଦୀ, ଅନ୍ୟ ପାର୍ଶ୍ଵରେ ସିଲେରୁ ନଦୀ ରହିଥିବା ବେଳେ ଜିଲ୍ଲା ମଧ୍ୟବର୍ତ୍ତୀ ସ୍ଥାନରୁ ପ୍ରବାହିତ ହେଉଛି ମାଲାକନଗିରି ଜିଲ୍ଲାର ଜୀବନ ରେଖା କୁହାଯାଇଥିବା ପୋଟେରୁ ନଦୀ । ଏଥିପାଇଁ ଏହି ତିନି ନଦୀ କୂଳର ବିଭିନ୍ନ ସ୍ଥାନରୁ ବାଲି ଉଠାଇ ବିଭିନ୍ନ ଉନ୍ନୟନମୂଳକ କାମ କରାଯାଉଥିବା ଦେଖିବାକୁ ମିଳିଛି। ଏଭଳି ଅନୁକୂଳ ପରିସ୍ଥିତିର ସୁଯୋଗ ନେଇ କିଛି ବାଲି ମାଫିଆ ବେଆଇନ ଭାବେ ବାଲି ଚାଲାଣ କରି ଲାଭବାନ ହେଉଥିବା ଜଣାପଡିଛି। ଏଭଳି କିଛି ସଦ୍ୟତମ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ତହସିଲ ଅନ୍ତର୍ଗତ ପୋଲୁର ଗ୍ରାମ ନିକଟରେ ଥିବା ସିଲେରୁ ନଦୀ ତଟରେ। ବଣପାହାଡ଼ ଘେରା ଘଞ୍ଚ ଜଙ୍ଗଲ ରାସ୍ତା ସହ ସରକାରୀ ବାବୁଙ୍କ ଢ଼ିଲାପଣର ସୁଯୋଗ ନେଇ ଦୈନିକ ଶହ ଶହ ଟ୍ରକ ବାଲି ବେଆଇନ ଭାବେ ଚାଲାଣ କରାଯିବା ସହ କେତେକ ସ୍ଥାନରେ ଗଚ୍ଛିତ ରଖାଯାଉଥିବା ଦେଖିବାକୁ ମିଳିଛି। ସିଲେରୁ ନଦୀକୁ ଲାଗି ରହିଥିବା ପୋଲୁର ଗ୍ରାମ ଶେଷ ମୁଣ୍ଡରୁ ପ୍ରାୟ ୬ ଶହ ମିଟର ଦୂରରେ ସ୍ଥାନୀୟ ଅଂଚଳର କିଛି ଲୋକ ପୋକଲିନ ମେସିନ୍ ଯୋଗେ ସିଲେରୁ ନଦୀ କୂଳରୁ ବାଲି ଉଠାଇ ମାନ୍ୟମକୋଣ୍ଡା ଓ ଆଖପାଖ ଅଞ୍ଚଳରେ ଚଢା ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ସରକାରଙ୍କ ପକ୍ଷରୁ ଆବାସ ଘର ନିର୍ମାଣ ଲାଗି କାର୍ଯ୍ୟାଦେଶ ଦେଖାଇଲେ ବାଲି ଉଠାଣରେ କିଛିଟା କୋହଳ କରାଯାଉଥିବା ଜାଣିପାରି ସ୍ଥାନୀୟ ଅଞ୍ଚଳର ବାଲି ଚାଲାଣକାରୀ ମାନେ ଆବାସ ଗୃହ ପାଇଥିବା ହିତାଧୀକାରିଙ୍କ ଠାରୁ କାର୍ଯ୍ୟାଦେଶର ନକଲ ନେଇ ଖୋଲାଖୋଲି ଭାବେ ମେସିନ ଯୋଗେ ବାଲି ଉଠାଇବା ସହ ଚଢା ଦରରେ ବିକ୍ରି କରି ଲାଭବାନ ହେଉଛନ୍ତି। ଗରିବଙ୍କ ଦ୍ଵାହି ଦେଇ ସିଲେରୁ ନଦୀରୁ ବାଲି ଚାଲାଣ ହେଉଥିବା ବେଳେ ସରକାରୀ ବାବୁଙ୍କ ଢ଼ିଲାପଣ ଯୋଗୁଁ ଏଭଳି ବାଲି ଚାଲାଣ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି।
ଅନ୍ୟପଟେ ଏ ବାବଦରେ ସ୍ଥାନୀୟ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ସ୍ଥାନୀୟ ରାଜସ୍ଵ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ ମଧ୍ୟ କାହାକୁ ଠାବ କରାଯାଇ ନଥିବା କହିଛନ୍ତି ।