ଶ୍ରୀନଗର : ଜମ୍ମୁକଶ୍ମୀରରେ ତ୍ରିରଙ୍ଗା ରାଲିର ଶୁଭାରମ୍ଭ ହୋଇଛି । ଜମ୍ମୁକଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ରବିବାର ଡାଲ୍ ହ୍ରଦ ନିକଟରୁ ଏହି ରାଲିର ଶୁଭାରମ୍ଭ କରିଛନ୍ତି । ଏସକେଆଇସିସି ଓ ବଟାନିକାଲ ଗାର୍ଡେନରୁ ବାହାରିଛି ଏହି ତ୍ରିରଙ୍ଗା ରାଲି । ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ରାଲି ଆୟୋଜିତ ହୋଇଛି ।
ଏହି ଅବସରରେ ଉପରାଜ୍ୟପାଳ କହିଛନ୍ତି ଯେ, ଆଜି ଜମ୍ମୁକଶ୍ମୀରର ଆକାଶ ତ୍ରିରଙ୍ଗାରେ ଚମକୁଛି । ଜମ୍ମୁ କଶ୍ମୀରର ଲୋକଙ୍କ ଏକଜୁଟ କରି ସେମାନଙ୍କ ମନରେ ଉତ୍ସାହ ଭରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଉପତ୍ୟକାର ଯୁବକଙ୍କହାତରେ ତ୍ରିରଙ୍ଗା ଦେଖି ସେ ଖୁସି ବ୍ୟକ୍ତ କରିଛନ୍ତି । ଏହି ଅଭିଯାନରେ ସାରା ଦେଶ, ମୋ ମାଟି-ମୋ ଦେଶ ଓ ହର୍ ଘର୍ ତ୍ରିରଙ୍ଗା ଭାବନା ନେଇ ଆଗକୁ ବଢୁଛି ।
ଜମ୍ମୁ କଶ୍ମୀରର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ ମଧ୍ୟ ଏହି ତ୍ରିରଙ୍ଗା ରାଲିରେ ସାମିଲ ହୋଇଥିଲେ । ଏହି ରାଲିରେ ସାମିଲ ହେବା ଗର୍ବର ବିଷୟ ବୋଲି ସେ କହିଛନ୍ତି । ଅନ୍ୟପଟେ ସ୍ୱାଧୀନତା ଦିବସ ପାଇଁ ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।