ଉତ୍ତରକାଶୀ : ନଦୀରେ ବୁଡିଲା ବ୍ରିଜ୍, ଅନ୍ତର୍ଜାତୀୟ ସୀମା ସହ ଯବାନଙ୍କ ଯୋଗାଯୋଗ ବିଚ୍ଛିନ୍ନ । ଉତ୍ତରାଖଣ୍ଡର ନେଲାଙ୍ଗ ଘାଟିକୁ ସଂଯୋଗ କରୁଥିବା ବେଲି ବ୍ରିଜର ପିଲର ଭୁଶୁଡିଯାଇଛି । ଗଙ୍ଗା ନଦୀର ଶାଖା ଚୋରଗାଡ ନଦୀ ଉପରେ ଥିବା ବ୍ରିଜଟି ହିମାଚଳ ପ୍ରଦେଶ ସହିତ ସୀମାନ୍ତକୁ ଯୋଡିଥାଏ । ତେବେ ବ୍ରିଜଟି ଭୁଶୁଡିବା ଯୋଗୁ ଆଇଟିବିପି ଜବାନଙ୍କର ଅନ୍ତର୍ଜାତୀୟ ସୀମା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବ୍ରିଜର ଏକ ପିଲର ଭୁଶୁଡିବା କାରଣରୁ ପୂରା ବ୍ରିଜଟି ନଦୀରେ ବୁଡିଯାଇଛି । ସାମରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହି ବ୍ରିଜଟି ଭାରତ ପାଇଁ ବେଶ୍ ମହତ୍ତ୍ବପୂର୍ଣ୍ଣ । ଏହି ନେଲାଙ୍ଗ ଘାଟି ଭାରତ-ଚୀନ ସୀମାନ୍ତରେ ରହିଛି ।
ବ୍ରିଜ ଭୁଶୁଡିବା ନେଇ ପୂରା ରିପୋର୍ଟ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିବା କହିଛନ୍ତି ଗଙ୍ଗୋତ୍ରୀ ନ୍ୟାସନାଲ ପାର୍କର ଉପନିର୍ଦ୍ଦେଶକ ରଙ୍ଗନାଥ ପାଣ୍ଡେ । ବ୍ରିଜ ନିର୍ମାଣ ପାଇଁ ପ୍ରଶାସନ ନିକଟରୁ ଅନୁମତି ମଗାଯାଇଛି ।
ଚୋରଗାଡ ନଦୀ ଉପରେ ଥିବା ଏହି ବ୍ରିଜ ଦେଇ ସାଧାରଣତଃ ସେନା, ଆଇଟିବିପିର ଯବାନ ଓ ମେଣ୍ଡାପାଳକ ଯାଆସ କରିଥାନ୍ତି । ତେବେ ବ୍ରିଜ ଭୁଶୁଡିବା କାରଣରୁ ସେମାନଙ୍କୁ ଯିବାଆସିବାରେ ସମସ୍ୟା ହୋଇଛି ।